ଶ୍ରୀମନ୍ଦିର କାର୍ଯ୍ୟାଳୟ ଖନନ ଓ ନିର୍ମାଣ ପ୍ରସଙ୍ଗ : ଖନନ ସ୍ଥଳକୁ ପୋତିଲା ଠିକାସଂସ୍ଥା, ବି‌ରୋଧ ପରେ ମୁଣ୍ଡ ନୁଆଁଇଲା ପ୍ରଶାସନ

ପୁରୀ : ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଖନନ ଓ ନିର୍ମାଣକୁ ବିରୋଧ ପରେ ମୁଣ୍ଡ ନୁଆଁଇଛି ପ୍ରଶାସନ । ଶ୍ରୀମନ୍ଦିର କାର୍ଯ୍ୟାଳୟ ପାଇଁ ବେଆଇନ୍‌ ଖନନ ଓ ନିର୍ମାଣ ସମ୍ପର୍କିତ ଖବର ପ୍ରକାଶ ଓ ବିରୋଧ ପରେ ଆଜି ଏହି ଖନନସ୍ଥଳକୁ ବାଲି ପକାଇ ପୋତିଛି ଠିକା ସଂସ୍ଥା । ଯେଉଁ ଜାଗାରେ କଂକ୍ରିଟ୍‌ର ନିର୍ମାଣ କାମ ଆରମ୍ଭ ହୋଇ ସାରିଥିଲା ଏବଂ ରଡ୍‌ ବାଇଣ୍ଡିଂ ପାଇଁ ପ୍ରସ୍ତୁତି ଚାଲିଥିଲା, ସେହି କାମକୁ ହଠାତ୍‌ ବନ୍ଦ କରି ବାଲି ପୋତି ଦିଆଯାଇଛି । ଅନ୍ୟପଟେ ଏବେ ବି ଏମାର ମଠ ପଛପାର୍ଶ୍ବରେ ଖନନ ପରେ ବିରାଟ ବିରାଟ ଗର୍ତ୍ତ ସୃଷ୍ଟି ହୋଇଥିବାରୁ ଏହା କେବେ ପୋତା ହେବ ବୋଲି ଭକ୍ତ, ସେବାୟତ ପ୍ରଶ୍ନ କରିଛନ୍ତି । ଆଗକୁ ବର୍ଷାଦିନ ଥିବାରୁ ଏହି ଖନନସ୍ଥଳରେ ପାଣି ଭର୍ତ୍ତି ହେଲେ ଆଖପାଖ ସାହି ପ୍ରଭାବିତ ହେବା ଆଶଙ୍କା ଥିବାରୁ ତୁରନ୍ତ ଏହି ଖନନସ୍ଥଳ ପୋତିବାକୁ ଦାବି ହୋଇଛି ।

ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଖନନ ଓ ନିର୍ମାଣକୁ ନେଇ ବିବାଦ ଲାଗି ରହିଛି । ବିରାଟ ବିରାଟ ଗର୍ତ୍ତ ଶ୍ରୀମନ୍ଦିର ପାଇଁ ବିପଦ ଆଣି ଦେଇଛି ବୋଲି ଭକ୍ତ, ବିଭିନ୍ନ ସଂଗଠନ ଅଭିଯୋଗ କରି ଆସୁଛନ୍ତି । ଏହା ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏପରିକି ଏହି ଖନନ ଫଳରେ ଶ୍ରୀମନ୍ଦିରରେ ଫାଟ ସୃଷ୍ଟି ହୋଇଛି ବୋଲି ଅଭିଯୋଗ କରିଛନ୍ତି । କଥା ଯାଇ ପୁରୀରୁ ଦିଲ୍ଲୀରେ ପହଞ୍ଚିଲାଣି । ବିଧାନସଭା ଓ ସଂସଦରେ ତମ୍ବିତୋଫାନ ଆରମ୍ଭ ହୋଇଗଲାଣି । ଏହାସତ୍ତ୍ବେ ନିର୍ମାଣ ଓ ଖନନ କାର୍ଯ୍ୟ ଜାରି ରହିଛି । ବିଶେଷକରି, ଶ୍ରୀମନ୍ଦିର କାର୍ଯ୍ୟାଳୟ ପାଇଁ କୌଣସି ଖନନ ଓ ନିର୍ମାଣ ଅନୁମତି ନ ଥିଲେ ବି ଖନନ ଓ ନିର୍ମାଣ କାର୍ଯ୍ୟ ଜାରି ରହିଥିଲା । ଏହି ସ୍ଥାନରେ ପ୍ରାୟ ୧୨ ଫୁଟ ଓସାର ଓ ୨୦ ଫୁଟ ଲମ୍ବର ବଡ଼ ବଡ଼ ଗାତ ଖୋଳି କଂକ୍ରିଟ୍‌ ନିର୍ମାଣ ଆରମ୍ଭ ହୋଇ ସାରିଥିଲା । ଏହାକୁ ବିରୋଧ ପରେ ଆଜି ଖନନସ୍ଥଳରେ ବାଲି ପୋତିବା ଆରମ୍ଭ କରିଛି ଠିକା ସଂସ୍ଥା। ପ୍ରାୟ ୧୫ ଫୁଟର ଗାତକୁ ଇତିମଧ୍ୟରେ ବାଲି ପକାଇ ସମତୁଲ କରାଯାଇଛି । ସେପଟେ ଏମାର ମଠ ପଛପାର୍ଶ୍ବରେ ବହୁଦିନରୁ ବଡ଼ ବଡ଼ ଗାତ ଖୋଳି ନିର୍ମାଣ କାର୍ଯ୍ୟ ଜାରି ରହିଛି । ଏବେ ବି ଏହି ଖନନସ୍ଥଳରେ ପୂର୍ବଭଳି ବଡ଼ ବଡ଼ ଗାତ ରହିଛି । ଏହି ଖନନ ବେଆଇନ୍‌ ହୋଇଥିବାବେଳେ ଏହାକୁ ତୁରନ୍ତ ପୋତିବାକୁ ଦାବି ହୋଇଛି । ନଚେତ୍‌ ବର୍ଷା ଦିନରେ ଏଠାରେ ପାଣି ଜମି ଆଖପାଖ ସାହି ଲୋକଙ୍କୁ ଉବୁଟୁବୁ କରାଇବ ବୋଲି ସ୍ଥାନୀୟ ଲୋକେ ମତ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *