ରସୁଲପୁର : ବିଦ୍ୟାଳୟରେ ନିମ୍ନମାନର ଖାଦ୍ୟ ପ୍ରସ୍ତୁତ ହେଉଛି । ଏଥିପାଇଁ ଛାତ୍ରଛାତ୍ରୀ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ନଖାଇ ଘରକୁ ଖାଇବାକୁ ଚାଲିଯାଉଛନ୍ତି । ଏ ବିଷୟରେ ଘରେ କହିବା କାରଣରୁ ଜଣେ ଛାତ୍ରୀକୁ ପ୍ରଧାନଶିକ୍ଷକ ମାଡମାରିଥିବା ଅଭିଯୋଗ ହୋଇଛି । କେବଳ ଏତିକି ନୁହେଁ ବିଦ୍ୟାଳୟରେ କେଉଁଭଳି ଖାଦ୍ୟ ପ୍ରସ୍ତୁତ ହେଉଛି ତାହା ଦେଖିବା ପାଇଁ ଯାଇଥିବା ଅଭିଭାବକଙ୍କ ନାମରେ ମଧ୍ୟ ଥାନାରେ ଅଭିଯୋଗ ହୋଇଛି ।
ଏଭଳି ଏକ ଘଟଣା ଘଟିଛି ରସୁଲପୁର ବ୍ଲକ୍ ଓଡିଶୋ ଗ୍ରାମର ସ୍ବପ୍ନେଶ୍ବର ସରକାରୀ ନୋଡାଇ ଉପ୍ରା ବିଦ୍ୟାଳୟରେ । ଏହି ସ୍କୁଲର ସପ୍ତମ ଶ୍ରେଣୀର ଜଣେ ଛାତ୍ରୀ ବିଦ୍ୟାଳୟରେ ନିମ୍ନମାନର ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ହେଉଥିବା ସଂପର୍କରେ ଘରେ ଜଣାଇଥିଲେ । ପିଲାମାନଙ୍କ ପାଇଁ କେବଳ ଭାତ ଡାଲମା ହେଉଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଅଲଗା ବ୍ୟଞ୍ଜନ ପ୍ରସ୍ତୁତ କରି ଖାଉଥିବା ସଂପର୍କରେ ଛାତ୍ରୀ ଜଣକ କହିଥିଲେ । ଏ ସଂପର୍କରେ ଜାଣିବା ପାଇଁ ଉକ୍ତ ଛାତ୍ରୀଙ୍କ ଅଭିଭାବକ ବିଦ୍ୟାଳୟ ରୋଷେଇ ଘରକୁ ଯିବାକୁ ଚାହୁଁଥିବା ବେଳେ ତାଙ୍କୁ ଛଡାଯାଇନଥିଲା । ପ୍ରଧାନ ଶିକ୍ଷକ କାହାରିକୁ ରୋଷେଇ ଘରକୁ ନଛାଡିବାକୁ କହିଥିବା ରୋଷେଇ କରୁଥିବା ଲୋକ କହିଥିଲେ ।
ପରେ ଉକ୍ତ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକ ଏହି କାରଣରୁ ମାଡ ମାରିଥିବା ଅଭିଯୋଗ ହୋଇଛି । ଏ ସଂପର୍କରେ ସଂପୃକ୍ତ ଅଭିଭାବକ ଜଣକ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିବା ସହିତ କୁଆଖିଆ ଥାନାରେ ମଧ୍ୟ ଅଭିଯୋଗ କରିଛନ୍ତି । ପ୍ରଧାନଶିକ୍ଷକ ରବିନ୍ଦ୍ର କୁମାର ପାତ୍ରଙ୍କୁ ପଚରାଯିବାରୁ ସଂପୃକ୍ତ ଅଭିଭାବକ ମଧ୍ୟାହ୍ନଭୋଜନ ଯାଂଚ କରିବାକୁ ଜିଦ୍ କରିବା ସହିତ ରୋଷେୟା ଏବଂ ଅନ୍ୟ ଶିକ୍ଷକମାନଙ୍କୁ ଖରାପ ବ୍ୟବହାର କରିଥିଲେ । ତେଣୁ ବିଦ୍ୟାଳୟ କମିଟି ପରାମର୍ଶ କ୍ରମେ ଥାନାରେ ଅଭିଯୋଗ କରିଛୁ ବୋଲି କହିଛନ୍ତି । ଏଥିସହିତ ସ୍କୁଲ୍ ରୋଷେଇ ଘରେ ଶିକ୍ଷମାନଙ୍କ ପାଇଁ ଅଲଗା ରୋଷେଇ ହେଉଥିବା କଥା ସେ ସ୍ବୀକାର କରିଛନ୍ତି ।
ରୋଷେଇ ଘରକୁ କାହାରିକୁ ବିନା ଅନୁମତିରେ ନଛାଡିବାକୁ ମଧ୍ୟ ସ୍କୁଲ୍ କମିଟି ପକ୍ଷରୁ ନିଷ୍ପତ୍ତି ହୋଇଥିବା ପ୍ରଧାନ ଶିକ୍ଷକ କହିଛନ୍ତି । ତେବେ ଛାତ୍ରୀଙ୍କୁ ମାଡ ମାରିବା କଥାକୁ ସେ ଅସ୍ବୀକାର କରିଛନ୍ତି । ଘଟଣା ସଂପର୍କରେ ରସୁଲପୁର ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀଚରଣ ମଲ୍ଲିକ କହିଛନ୍ତି ଯେ ସେ ଅଭିଯୋଗ ପାଇଛନ୍ତି । ବିଦ୍ୟାଳୟରେ ଯାହା ଛାତ୍ରଛାତ୍ରୀମାନଙ୍କ ପାଇଁ ରୋଷେଇ ହେବ ତାକୁ ଶିକ୍ଷକ ଶିକ୍ଷୟିତ୍ରୀ ଖାଇ ପାରିବେ । କିନ୍ତୁ ସେହି ରୋଷେଇ ଘରେ ସେମାନଙ୍କ ପାଇଁ ଅନ୍ୟ ଖାଦ୍ୟ ପ୍ରସ୍ତୁତ ହୋଇପାରିବ ନାହିଁ । ଏହା ଛଡା ଅଭିଭାବକମାନେ କ’ଣ ଖାଦ୍ୟ ପ୍ରସ୍ତୁତ ହେଉଛି ତାହା ଦେଖିବାରେ କୌଣସି ପ୍ରତିବନ୍ଧକ ନାହିଁ । ତେଣୁ ଘଟଣା ସଂପର୍କରେ ଅନୁସନ୍ଧାନ ହେଲା ପରେ ଆବଶ୍ୟକ ପଦକ୍ଷପେ ଗ୍ରହଣ କରାଯିବ ବୋଲି ବିଇଓ କହିଛନ୍ତି ।
