ନକଲି ନିଶାଦ୍ରବ୍ୟର କେନ୍ଦ୍ରସ୍ଥଳୀ ପାଲଟିଛି ସ୍ମାର୍ଟସିଟି ରାଉରକେଲା

ରାଉରକେଲା : ସ୍ମାର୍ଟସିଟି ରାଉରକେଲା ଏବେ ନକଲି ନିଶାଦ୍ରବ୍ୟର କେନ୍ଦ୍ରସ୍ଥଳୀ ପାଲଟିଛି । ନକଲି ବିଦେଶୀ ମଦ ଠାରୁ ଆରମ୍ଭକରି ଗଞ୍ଜେଇ, ଡ୍ରଗ୍ସ ବେପାର ନିତିଦିନିଆ ହେଲାଣି । ତେବେ ଏବେ ଯାହା ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଛି, ତାହା ହେଉଛି ନକଲି ଗୁଟ୍‌ଖା, ଖଇନୀ ବେପାର । ରାଉରକେଲା ବଜାରରେ ବିଭିନ୍ନ ନାମୀଦାମୀ ବ୍ରାଣ୍ଡ୍‌ର ମାଳମାଳ ନକଲି ଗୁଟ୍‌ଖା, ଖଇନୀ ଉପଲବ୍ଧ । ବିଡ଼ମ୍ବନା ଏହା ଯେ, ଏଥିପ୍ରତି ବିଭାଗୀୟ ଅଧିକାରୀ ଆଦୌ ଦୃଷ୍ଟି ଦେଉନାହାନ୍ତି ।

ରାଉରକେଲା ସମେତ ଉପକଣ୍ଠ ବେଦବ୍ୟାସ, କଲୁଙ୍ଗା, ବନ୍ଧମୁଣ୍ଡା, ସାରନଗରୀ ଆଦି ଅଞ୍ଚଳ‌ରେ ଏହି କାରବାର ବେଗ ଧରିଛି । ଅସାଧୁ ବେପାରୀମାନେ ନକଲି କମଳାପସନ୍ଦ, ଡିଲକ୍ସ ମିକ୍ସ, ସଫଳ ଆଦିର ନକଲି ତିଆରି ବଜାରକୁ ଛାଡ଼ୁଛନ୍ତି । ଏମିତିକି ନକଲି ମୁଣ୍ଡି, ଶିବା, ଟୁରା ଖଇନୀ ତିଆରି କରୁଛନ୍ତି । ରାଉରକେଲାର ଏକ ଚର୍ଚ୍ଚିତ ଅଞ୍ଚଳରେ କମଳାପସନ୍ଦ, ସଫଳ, ଡିଲକ୍ସମିକ୍ସ ଆଦି ବ୍ରାଣ୍ଡ୍‌ର ନକଲି ଗୁଟ୍‌ଖା ତିଆରି ହେଉଛି । ଉଲ୍ଲେଖଯୋଗ୍ୟ, ଏହି ଅଞ୍ଚଳରେ ପୂର୍ବରୁ ପ୍ରାୟ ୫/୬ଟି ନକଲି ଗୁଟ୍‌ଖା କାରଖାନା ରହିଥିଲା । ଏବେ କିନ୍ତୁ ଏହି ସଂଖ୍ୟା ହ୍ରାସ ପାଇ ୩ରେ ପହଞ୍ଚିଥିବା ସୂଚନା ମିଳିଛି । ଏଠାରେ ଦୀର୍ଘ ବର୍ଷ ହେଲା ଏହି ଫ୍ୟାକ୍ଟ୍ରି ଚାଲୁଛି । ସେହିଭଳି କଲୁଙ୍ଗା ଶିଳ୍ପାଞ୍ଚଳରେ ପ୍ରାୟ ୪ଟି ଫ୍ୟାକ୍ଟ୍ରି ରହିଛି । ସେଠାରେ ମୁଣ୍ଡି ଛାପ୍‌ ଖଇନୀ, ଚଇନୀ ଖଇନୀ, ଶିବା ଖଇନୀ, ଟୁରା ଖଇନୀ ଆଦି ବ୍ରାଣ୍ଡ୍‌ର ନକଲି ଖଇନୀ ଉତ୍ପାଦନ କରୁଛନ୍ତି । ନକଲି ଖୁଟ୍‌ଖା ତିଆରି ସାମଗ୍ରୀରେ ଏମାନେ ଏତେ ପରିପକ୍ବ ଯେ, ତାହା ଶତପ୍ରତିଶତ ଅସଲ ଜଣାପଡ଼ୁଛି । ଅସଲି ଗୁଟ୍‌ଖା ପ୍ୟାକେଟରେ ଦେଖିବାକୁ ମିଳୁଥିବା ଲୋଗୋ, ରଙ୍ଗ, ବାର୍ତ୍ତା, ଲେଖାଶୈଳୀ ସବୁ ସମାନ ରହୁଛି । ଏହି ନକଲି ଗୁଟ୍‌ଖା କମ୍ପାନି ମାଲିକ ବୁଲିବୁଲି ଦୋକାନକୁ ପାନ ସାମଗ୍ରୀ ଯୋଗାଣ କରୁଥିବା ଖୁଚୁରା ବେପାରୀ ମାଧ୍ୟମରେ ବେପାର ଜାରି ରଖିଛନ୍ତି ।

ଗୁଟ୍‌ଖା ଫ୍ୟାକ୍ଟ୍ରି ସ୍ଥାପନ କରି ବେପାରରେ ମସଗୁଲ୍‌ ଥିବା ଏହି ଅସାଧୁ ବେପାରୀଙ୍କ ଉପରେ ଅଙ୍କୁଶ ଲଗାଇବାକୁ ବିଭାଗୀୟ ଅଧିକାରୀଙ୍କ ଜୁ’ ଫିଟୁନି । ପ୍ରକୃତରେ ତମାଖୁ/ଖଇନୀ ଆଦି ଉପରେ ରୋକ୍‌ ଲଗାଇବାକୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରେ ନନ୍‌-କମ୍ୟୁନିକେବଲ୍‌ ଡିଜିଜ୍‌ (ଏନ୍‌ସିଡି) ସେଲ୍‌ ସ୍ଥାପିତ ହୋଇଛି । ଜଣେ ବରିଷ୍ଠ ଡାକ୍ତର ଏହି ସେଲ୍‌ର ସଂଯୋଜକ ଥିବାବେଳେ ରାଉରକେଲା ମହାନଗର ନିଗମ(ଆର୍‌ଏମ୍‌ସି) ଖାଦ୍ୟ ନିରୀକ୍ଷକ, ସ୍ବାସ୍ଥ୍ୟ ଅଧିକାରୀ, ଡ୍ରଗ୍‌ ଇନ୍ସପେକ୍ଟର, ଅବକାରୀ ବିଭାଗ, ସ୍ଥାନୀୟ ପୁଲିସ ସମେତ ସମାଜସେବୀ ଏଥିରେ ସଦସ୍ୟ ଅଛନ୍ତି । ଅବଶ୍ୟ ଏମାନଙ୍କ ପାଖରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର କ୍ଷମତା ନାହିଁ; କିନ୍ତୁ ଚଢ଼ଉ କରିବା, ଜରିମାନା ଆଦାୟ କରିବା କ୍ଷମତା ପରିସରଭୁକ୍ତ । ତଥାପି କର୍ତ୍ତୃପକ୍ଷ ଏ ଦିଗରେ ଆବଶ୍ୟକୀୟ ଦୃଷ୍ଟି ଦେଉନାହାନ୍ତି । କମିଟି ସଦସ୍ୟଙ୍କ ମଧ୍ୟରେ ତାଳମେଳର ଅଭାବ ହେଉ ଅବା କ୍ଷମତାବିହୀନ ଦାୟିତ୍ବ ପ୍ରତି ଏହି ସରକାରୀ ଅଧିକାରୀଙ୍କ ଅନାଗ୍ରହ; ନକଲି ତମାଖୁ/ଗୁଟ୍‌ଖା/ଖଇନୀ ଫ୍ୟାକ୍ଟ୍ରି, ବେପାର ଉପରେ ଅଙ୍କୁଶ ଲଗାଇବାରୁ ପଛଘୁଞ୍ଚା ଦେଉଛନ୍ତି ।

Leave a Reply

Your email address will not be published. Required fields are marked *