ଭୁବନେଶ୍ବର : ଓମ୍ଫେଡ୍ରେ କେନ୍ଦ୍ରୀୟ ଅନୁଦାନର ହେରଫେର ଓ ଟେଣ୍ଡର ଫିକ୍ସିଂର ଭିଜିଲାନ୍ସ ତଦନ୍ତ ହେବ । ଓମ୍ଫେଡ୍ର କିଛି ବରିଷ୍ଠ କର୍ମଚାରୀଙ୍କ ବିରୋଧରେ ଏହି ତଦନ୍ତ କରିବା ଲାଗି କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ନିର୍ଦେଶ ଦେଇଛନ୍ତି ଲୋକାୟୁକ୍ତ । ୩ ମାସ ଭିତରେ ଏହାର ପ୍ରାରମ୍ଭିକ ତଦନ୍ତ ରିପୋର୍ଟ ଦେବା ଲାଗି କ୍ରାଇମବ୍ରାଞ୍ଚକୁ କୁହାଯାଇଛି । ସୂଚନା ଅନୁସାରେ, ୨୦୧୩-୧୪ ରୁ ୨୦୧୭-୧୮ ମଧ୍ୟରେ ଓମଫେଡର ରାଜ୍ୟ କାର୍ଯ୍ୟାଳୟ ସମେତ ୧୧ଟି ଜିଲ୍ଲା ଦୁଗ୍ଧ ସମବାୟ ୟୁନିଅନର ଅଡିଟ ବେଳେ ବ୍ୟାପକ ଅର୍ଥ ହେରଫେର ହୋଇଥିବା ନଜରକୁ ଆସିଥିଲା । କେନ୍ଦ୍ରୀୟ ଯୋଜନା ଆଇଡିଡିପି, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା(ଆରକେଭିୱାଇ), ଆରକେଭିୱାଇ ଗୋମାତା ସମୃଦ୍ଧି ପ୍ରକଳ୍ପ-୨, ଜାତୀୟ ଦୁଗ୍ଧ ବିକାଶ କାର୍ଯ୍ୟକ୍ରମ(ଏନ୍ପିଡିଡି), ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି, ଏନ୍ପିବିବିଡିଡି, ଏନ୍ଏମ୍ପିଏସ୍, ସ୍ବତନ୍ତ୍ର ଦୁଗ୍ଧ ବିକାଶ କାର୍ଯ୍ୟକ୍ରମ(ଏସ୍ପିଡିଡି) ଓ ଆଦିବାସୀ ମହିଳା ଦୁଗ୍ଧ ସମବାୟ ସମିତି ଭଳି ଯୋଜନାରେ ଆସିଥିବା ଟଙ୍କାକୁ ବିଭିନ୍ନ ଢଙ୍ଗରେ ହରିଲୁଟ୍ କରାଯାଇଛି । ଅଡିଟ୍ରେ ସମୁଦାୟ ୨୦୭ କୋଟି ୪୪ ଲକ୍ଷ ରୁ ଅଧିକ ଅର୍ଥକୁ ନେଇ ଆପତ୍ତି ହୋଇଥିବା ବେଳେ ତହିଁରୁ ୩୦ କୋଟି ୬୫ ଲକ୍ଷ ୮୨ ହଜାର ଟଙ୍କା ହେରଫେରରେ ସଂପୃକ୍ତ କର୍ମଚାରୀଙ୍କ ଠାରୁ ଭରଣା କରିବା ଲାଗି କୁହାଯାଇଛି । ଏପରିକି ଦୁଗ୍ଧ ଚାଷୀଙ୍କୁ ଅନ୍ଲାଇନ୍ରେ ଟଙ୍କା ପଇଠ ପାଇଁ ଆସିଥିବା ୫ କୋଟି ୫୬ ଲକ୍ଷରୁ ଅଧିକ ଟଙ୍କାକୁ ଅନ୍ୟତ୍ର ଖର୍ଚ କରାଯାଇଛି । ସମୁଦାୟ ୬୩ଟି ବର୍ଗରେ କିଭଳି ଅନୁଦାନ ଅର୍ଥକୁ ହେରଫେର କରାଯାଇଛି ତାହା ଅଡିଟ୍ରେ ଦର୍ଶାଯାଇଛି । ମିଛ ବିନିଯୋଗ ପ୍ରମାଣପତ୍ର(ୟୁସି), ଖର୍ଚ୍ଚ ନ ହୋଇଥିବା ଟଙ୍କା ନ ଫେରାଇବା, ବେଆଇନ ଭାବେ ଅନୁମତି ବିହୀନ ଖର୍ଚ, ବିଲ୍ ନ ଥାଇ ଖର୍ଚ, ନିର୍ଦ୍ଦିଷ୍ଟ ସଂସ୍ଥାକୁ ଅହେତୁକ ଅନୁକମ୍ପା ଦେଖାଇବା ଭଳି ଦିଗରେ ଏହି ଚଞ୍ଚକତା ହୋଇଥିବା ଜଣାପଡ଼ିଛି ।
ଅଡିଟ୍ ରିପୋର୍ଟରେ ଏଭଳି ହେରଫେର ସାମ୍ନାକୁ ଆସିବା ପରେ ୨୦୨୦ ମସିହାରେ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଅର୍ଥ ହରିଲୁଟ୍ରେ ସଂପୃକ୍ତ କର୍ମଚାରୀଙ୍କ ବିରୋଧରେ ତଦନ୍ତ କରିବା ଲାଗି ଆବେଦନକାରୀ ଲୋକାୟୁକ୍ତଙ୍କୁ ନିବେଦନ କରିଥିଲେ । ଲୋକାୟୁକ୍ତ ଏହାର ଶୁଣାଣି କରିବା ପରେ କ୍ରାଇମବ୍ରାଞ୍ଚ ତଦନ୍ତ କରିବା ଲାଗି ନିର୍ଦେଶ ଦେଇଛନ୍ତି । ଉଲ୍ଲେଖ ଯେ ଦୁଗ୍ଧ ଚାଷୀଙ୍କୁ ଦୁଗ୍ଧ କିଣା ବାବଦରେ ଅର୍ଥକୁ ଅନ୍ଲାଇନ୍ ଜରିଆରେ ପ୍ରଦାନ କରିବା ଲାଗି ଏକ ନିଷ୍ପତ୍ତି ହୋଇଥିଲା । ଆରକେଭିୱାଇ ଯୋଜନା ଅଧୀନରେ ଟଙ୍କା ନେଣଦେଣ ବଦଳରେ ଅନ୍ଲାଇନ୍ ଜରିଆରେ ଟଙ୍କା ପ୍ରଦାନ କରିବା ଲାଗି ରାଜ୍ୟ ସମବାୟ ବ୍ୟାଙ୍କ ପକ୍ଷରୁ ଏକ ଡାଟା ସେଣ୍ଟର ପ୍ରତିଷ୍ଠା କରାଯାଇଥିଲା ।
