ତେଲକୋଇ : ଧାନ ଅମଳ ମେସିନ ଓଲଟି ବାପା ଓ ପୁଅ ମୃତ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଦୈତାରୀ ଥାନା ଅନ୍ତର୍ଗତ ରଙ୍ଗମାଟିଆ ଗ୍ରାମରେ । ଧାନ ଅମଳ ମେସିନ ତଳେ ଚାପିହୋଇ ବାପ-ପୁଅଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୩ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ମୃତକ ବାପା ଦୁର୍ଗା ମୁର୍ମୁ ଓ ତାଙ୍କର ୯ ବର୍ଷର ପୁଅ ମହେଶ୍ବର ମୁର୍ମୁ । ଜଣେ ଚାଷୀଙ୍କ ଘରେ ଧାନ ଅମଳ ମେସିନ ସାହାଯ୍ୟରେ ଧାନ ଅମଳ ସାରି ଅନ୍ୟ ସ୍ଥାନକୁ ଅମଳ ପାଇଁ ଟ୍ରାକ୍ଟର ଯୋଗେ ଯାଉଥିବା ବେଳେ ଟ୍ରାକ୍ଟର ସହିତ ମେସିନଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଟ୍ରାକ୍ଟର ଉପରେ ବସି ଯାଉଥିବା ବାପା ଓ ପୁଅ ମେସିନ ତଳେ ଚାପି ହୋଇ ଯାଇଥିଲେ । ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା । ଘଟଣାଟି ସୋମବାର ସନ୍ଧ୍ୟା ୫ ଟା ବେଳକୁ ଘଟିଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମେସିନ ତଳୁ ବାପା ଓ ପୁଅଙ୍କ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି ।
