ଚିକିଟି : ଆଉ ମାତ୍ର ୪ ଦିନ ପରେ ଖୋଲିବ ପ୍ରାଥମିକ ବିଦ୍ୟାଳୟ । ପ୍ରାୟ ଦୁଇ ବର୍ଷ ପରେ ସ୍କୁଲ ଖୋଲିଥିବାରୁ ସବୁ ପିଲା ଖୁସି ଓ ଆନନ୍ଦିତ ଥିବାବେଳେ ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଲାଲମେଣ୍ଟ ପଂଚାୟତର ବିରମେଖପୁର ଗ୍ରାମର କୁନିକୁନି ଛାତ୍ରଛାତ୍ରୀଙ୍କ ମୁହଁରୁ ହସ ଉଭେଇ ଯାଇଛି । ସ୍କୁଲ ଖୋଲିବା ନେଇଁ ଗ୍ରାମରେ କୌଣସି ସ୍ଵଷ୍ଟ ଚିତ୍ର ମିଳୁନି । ଏହାକୁ ନେଇ ଗ୍ରାମବାସୀ ଓ ଅଭିଭାବକମାନେ ପ୍ରତିକ୍ରିୟାଶୀଳ ହୋଇ ଉଠିଛନ୍ତି । ଗତକାଲି ଗ୍ରାମ ବୈଠକରେ ଭୋଟ ବର୍ଜନ ନିଷ୍ପତ୍ତି ନେଇଛନ୍ତି ଗ୍ରାମବାସୀ ଓ ଅଭିଭାବକ । ଗ୍ରାମର ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ଷମ ନହେଲେ ଚଳିତ ପଂଚାୟତ ନିର୍ବାଚନକୁ ବର୍ଜନ କରିବେ ବୋଲି ସର୍ବସମ୍ମତି କ୍ରମେ ଚେତାବନୀ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ୪୦ ରୁ କମ ପିଲା ଥିବା ଦର୍ଶାଇ ସ୍କୁଲକୁ ନିକଟ ଗ୍ରାମ ଗୁମା ବିରସିଂହପୁର ସ୍କୁଲରେ ମିଶାଇ ଦିଆଯାଇଥିଲା । ଗ୍ରାମବାସୀ ଏହାକୁ ବିରୋଧକରି ଏବିଇଓ ଓ ସିଆରସିସିଙ୍କୁ ତାଲା ପକାଇ ଅଟକ ରଖି ଧାରଣା ଦେଇଥିଲେ ।
ତତ୍କାଳୀନ ତହସିଲଦାର ଓ ଥାନା ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝାଇ ଉଭୟ ଅଧିକାରୀଙ୍କୁ ଉଦ୍ଧାର କରିଥିଲେ । ନଭେମ୍ବର ୧୧ ରେ ଗ୍ରାମବାସୀ ବିଇଓ କାର୍ଯ୍ୟାଳୟରେ ଧାରଣା ଦେଇଥିଲେ । ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନ ନେବାରୁ ପରବର୍ତ୍ତୀ ସମୟରେ ଗ୍ରାମବାସୀ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ । ଏବେ ଗ୍ରାମର ୩୦ ପିଲାଙ୍କ ଭାଗ୍ୟ ଅନିଶ୍ଚିତତା ଦେଇ ଗତିକରୁଛି । ଆଗାମୀ ୧୪ ତାରିଖରେ ପ୍ରାଥମିକ ବିଦ୍ୟାଳୟ ଖୋଲିବ । ସ୍କୁଲ ଖୋଲିବା ନେଇ କୌଣସି ପଦକ୍ଷେପ ନ ନେବାରୁ ଗ୍ରାମବାସୀ ଗତକାଲି ରାତିରେ ଏପରି କଠୋର ନିଷ୍ପତ୍ତି ନେଇଛନ୍ତି । ପ୍ରାୟ ୧୨୦ ପରିବାର ବିଶିଷ୍ଟ ଏହି ଗ୍ରାମରେ ପ୍ରାୟ ୪୪୧ ଭୋଟର ଅଛନ୍ତି ଓ ଭୋଟ ବର୍ଜନ ପାଇଁ ସମୁହ ଚେତାବନୀ ଦେଇଛନ୍ତି । ଗତକାଲି ରାତିରେ ପୁଣି ବୈଠକ ବସିଥିଲା । ଲିଖିତ ଭାବେ ଏହି ଦାବିକୁ ଅଞ୍ଚଳବାସୀମାନେ ବିଡିଓ ଓ ଜିଲ୍ଲାପାଳଙ୍କୁ ପ୍ରଦାନ ପାଇଁ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି ।
