ଦେବଗଡ଼ : ଚାଷଜମିକୁ ଜଳସେଚନ କରିବା ପାଇଁ ସରକାର ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ କରୁଛନ୍ତି ଚେକ୍ ଡ୍ୟାମ୍ । କିନ୍ତୁ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ନିର୍ମିତ ହୋଇଥିବା ଚେକ୍ ଡ୍ୟାମ୍ ନିମ୍ନମାନର କାମର ସଙ୍ଗିନ ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ନିର୍ମାଣର କିଛିମାସ ପରେ ଉକ୍ତ ଚେକ୍ ଡ୍ୟାମ୍ ଭୁଶୁଡ଼ି ପଡ଼ିଛି । ଏଭଳି ଅଭିଯୋଗ ଆସିଛି ଦେବଗଡ଼ ଜିଲ୍ଲାର ତିଲେଇବଣି ବ୍ଲକର ବଣିଆଁକିଲିଣ୍ଡା ପଞ୍ଚାୟତରୁ । ପ୍ରାପ୍ତ ସୂଚନା ଅନୁଯାୟୀ, ତିଲେଇବଣି ବ୍ଲକ ବଣିଆଁକିଲିଣ୍ଡା ପଞ୍ଚାୟତ ଅନ୍ତର୍ଗତ ସୁନାମୁଣ୍ଡା ବନ୍ଧବାରିଆ ଗ୍ରାମରେ ଚାଷଜମିକୁ ଜଳସେଚନ କରିବା ପାଇଁ ସରକାର ୨୦୨୦-୨୧ ମସିହାରେ ନିର୍ମାଣ କରିଥିଲେ ଏହି ଚେକ୍ ଡ୍ୟାମ । ଅନ୍ୟପଟେ ତିଳେଇବଣି ବ୍ଲକରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ନିର୍ମାଣ ହୋଇଥିବା ଏହି ଚେକ୍ଡ୍ୟାମରେ ବ୍ୟୟ ହୋଇଥିଲା ୧୦ ଲକ୍ଷ ଟଙ୍କା । ଏହି କାର୍ଯ୍ୟ ଲାଗି ବିଭାଗୀୟ ଯନ୍ତ୍ରୀଙ୍କ ନାମରେ ୱାର୍କ ଅର୍ଡର ଥିବାବେଳେ, ନିର୍ମାଣ କରିଥିଲେ ଏହି ଅଞ୍ଚଳର ଜଣେ ରାଜନେତା ତଥା ଠିକାଦାର । ଅପରପକ୍ଷେ ସମ୍ପୃକ୍ତ ଠିକାଦାର ଜଣକ ଅନୁଦାନ ଅର୍ଥ ଆତ୍ମସାତ ଲକ୍ଷ୍ୟରେ ଏଷ୍ଟିମେଟ୍ ଅନୁଯାୟୀ ଏହାର ନିର୍ମାଣ କାର୍ଯ୍ୟ କରିନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀମାନେ ମଧ୍ୟ ଏହାର ଉପଯୁକ୍ତ ତଦାରଖ ମଧ୍ୟ କରିନଥିଲେ । ଫଳରେ ଏହି ଚେକ୍ ଡ୍ୟାମଟି ନିର୍ମାଣ ହେବାର ମାତ୍ର କିଛିମାସ ମଧ୍ୟରେ ଭୁଶୁଡ଼ି ପଡ଼ିଥିଲା । ଏନେଇ ଗ୍ରାମବାସୀ ଜିଲ୍ଲାପାଳ ଏବଂ ତିଲେଇବଣି ବିଡିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଲିଗାଲ ରାଇଟସ କାଉନ୍ସିଲର୍ ରାଜ୍ୟ ସଭାନେତ୍ରୀ ରାଣୀ ଅରୁନ୍ଧତୀ କୁମାରୀ ଦେବୀ ଉକ୍ତ ଘଟଣାର ଭିଜିଲାନ୍ସ ତଦନ୍ତ କରିବା ନିମନ୍ତେ ଦାବିପତ୍ର ପ୍ରଦାନ କରିଛନ୍ତି ।
