ଲୋକଙ୍କ ପ୍ରଶ୍ନ ବାଣର ଶିକାର ହେଲେ ବିଧାୟକ

ଭୁବନେଶ୍ୱର :  ପୁଣି ହଟହଟା ହେଲେ ବିଧାୟକ । ବିଧାୟକ ଦେବୀ ପ୍ରସାଦ ମିଶ୍ର ଲୋକଙ୍କ ପ୍ରଶ୍ନ ବାଣର ଶିକାର ହୋଇଛନ୍ତି । ୨୭ ବର୍ଷର ବିଧାୟକଙ୍କୁ ହିସାବ ମାଗିଲେ ଜନତା ।  ଏ ଦୃଶ୍ୟ କଟକ ବଡ଼ମ୍ବା ବ୍ଲକ ଅନ୍ତର୍ଗତ ଗୋପାଳପୁର ଗ୍ରାମରେ ଦେଖିବାକୁ ମିଳିଛି । ସ୍ଥାନୀୟ ଅଞ୍ଚଳରେ କୌଣସି ଆଖି ଦୃଶିଆ ବିକାଶ ହୋଇନଥିବା ନେଇ ଜନତା ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି ।

ସେହିପରି ମନ୍ତ୍ରୀ ସମୀର ରଞ୍ଜନ ଦାସ ମଧ୍ୟ ନିଜ ନିର୍ବାଚନ ମଣ୍ଡଳୀରେ ପ୍ରଚାର ସମୟରେ ଜନତାଙ୍କ ପ୍ରଶ୍ନରେ ଘାଇଲା ହୋଇଛନ୍ତି । ମନ୍ତ୍ରୀଙ୍କୁ ହିସାବ ମାଗିଲେ ଜନତା ।  ଏତେ ବର୍ଷ ଶାସନରେ କ’ଣ କରିଛନ୍ତି ବୋଲି ପଚାରିଲେ ଜନତା । ଆଉ କେଇଟା ଦିନ ପରେ ଭୋଟ୍ । ଏବେଠୁ ସବୁ ଦଳ ନିଜର ବଳ କଷାକଷି ଆରମ୍ଭ କରିଦେଇଛନ୍ତି । ଭୋଟରଙ୍କୁ ଆକୃଷ୍ଟ କରିବାକୁ ଅଭିନବ ପନ୍ଥା ଆପଣାଉଛନ୍ତି ପ୍ରାର୍ଥୀ । ଆଉ ପ୍ରଚାର ବେଳେ ସାମନାକୁ ଆସୁଛି ରୋଚକ ଦୃଶ୍ୟ ।

ସୂଚନାଯୋଗ୍ୟ, ଫେବୃଆରୀ ୧୬ ରୁ ସମଗ୍ର ରାଜ୍ୟରେ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ହେବ । ରାଜ୍ୟରେ ୫ଟି ପର୍ଯ୍ୟାୟ ନିର୍ବାଚନ ଫେବୃଆରୀ ୧୬, ୧୮, ୨୦, ୨୨ ଓ ୨୪ ତାରିଖରେ ହେବ । ସେହିପରି ଫେବୃଆରୀ ୨୬, ୨୭ ଓ ୨୮ ତାରିଖରେ ଭୋଟଗଣତି ସମସ୍ତ ବ୍ଲକ ମୁଖ୍ୟାଳୟରେ ଜିଲ୍ଲା ପରିଷଦ ଜୋନୱାରି ହେବ । ଭୋଟ ଗଣତି ସମାପ୍ତ ସହ ଫେବୃଆରୀ ୨୮ ତାରିଖରେ ହିଁ ଆଦର୍ଶ ଆଚରଣ ବିଧି ପ୍ରତ୍ୟାହାର ହେବ । ୬ ହଜାର ୬୬୭ ଆସନ ପାଇଁ ସରପଞ୍ଚ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା  ।  ୮୫୩ ଜିଲ୍ଲା ପରିଷଦ ଜୋନ ପାଇଁ ହେବ ଲଢ଼େଇ । ସେହିପରି ୬,୪୬୭ ସମିତି ସଭ୍ୟ ଓ ୫୫,୩୬୭ ଜଣ ୱାର୍ଡମେମ୍ବର ଆସନ ପାଇଁ ମଧ୍ୟ ନିର୍ବାଚନ ଲଢ଼ିବେ ପ୍ରାର୍ଥୀ । କିଏ କରିବ ବାଜିମାତ ତାହା ଉପରେ ସମସ୍ତଙ୍କ ନଜର ।

Leave a Reply

Your email address will not be published. Required fields are marked *