ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଷ୍ଟାମ୍ପ ପେପରରେ ପ୍ରତିଶ୍ରୁତି

କାଶୀପୁର : ଭୋଟ ପାଇଁ ପ୍ରାର୍ଥୀମାନେ ଭିନ୍ନଭିନ୍ନ କୌଶଳ ଆପଣାଉଥିବାବେଳେ, ଏବେ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଷ୍ଟାମ୍ପ୍‌ପେପର୍‌ରେ ପ୍ରତିଶ୍ରୁତି ଦିଆଯାଇଥିବା ଭଳି ଘଟଣା ବି ସାମ୍‌ନାକୁ ଆସିଛି । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍‌ରେ ଏହି ଘଟଣା ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି । କାଶୀପୁର ବ୍ଲକ୍‌ର କୋଡ଼ିପାରି ପଞ୍ଚାୟତ ଅନ୍ତର୍ଗତ କଣ୍ଟାବାଞ୍ଜି ଗାଁରେ ପ୍ରାୟ ୨୫ ପରିବାର ରହୁଛନ୍ତି । ଗାଁକୁ ଏପର୍ଯ୍ୟନ୍ତ ପକ୍କା ରାସ୍ତା ହୋଇପାରିଲା ନାହିଁ । ସେହିପରି ନଦୀରେ ପୋଲ ନିର୍ମାଣ ବି ହୋଇପାରୁନି । ଜନପ୍ରତିନିଧି ଏବଂ ପ୍ରଶାସନକୁ ଏ ନେଇ ବାରମ୍ବାର ଗ୍ରାମବାସୀ ଅବଗତ କରାଇଛନ୍ତି । ତଥାପି ଫଳ ଶୂନ । ତେଣୁ ନିର୍ବାଚନ ସମୟରେ ନେତାଙ୍କୁ ଠିକଣା ଜବାବ ଦେବାକୁ ନିଷ୍ପତ୍ତି ନେଇଥିଲେ ଗ୍ରାମବାସୀ । ଗାଁର ସମସ୍ୟାର ସମାଧାନ କରିବାକୁ ଅଡ଼ି ବସିଥିଲେ । ନଚେତ୍‌ ପୂରା ଗାଁ ଭୋଟ ବର୍ଜନ କରି ପ୍ରତିବାଦ ଜଣାଇବ ବୋଲି ଘୋଷଣା କଲେ । ଯଦି କୌଣସି ଦଳ କିମ୍ବା ପ୍ରାର୍ଥୀ ଲିଖିତ ଭାବେ ପ୍ରତିଶ୍ରୁତି ଦେବ ତେବେ ଯାଇ ସେମାନେ ଭୋଟ ଦେବେ । ଗ୍ରାମବାସୀଙ୍କ ଏଭଳି ଅଜବ ନିଷ୍ପତ୍ତି ସଂପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଏହାପରେ ଗ୍ରାମବାସୀଙ୍କ ନିକଟରେ ପହଞ୍ଚି ଯାଇଥିଲେ କାଶୀପୁର (ଖ) ଜୋନ୍‌ ସ୍ବାଧୀନ ଜିଲ୍ଲା ପରିଷଦ ପ୍ରାର୍ଥିନୀ ରିଙ୍କି ନାଏକ । ଗ୍ରାମବାସୀଙ୍କୁ ବହୁ ସମୟ ଧରି ବୁଝାସୁଝା କରିଥିଲେ । ଶେଷରେ ଷ୍ଟାମ୍ପ ପେପର ଆଣି ଗ୍ରାମବାସୀଙ୍କ ସମସ୍ୟାର ସମାଧାନ କରିଦେବେ ବୋଲି ଲିଖିତ ଭାବେ ପ୍ରତିଶ୍ରୁତି ଦେଇଥିଲେ । ଏହି ପ୍ରତିଶ୍ରୁତି ସମ୍ପର୍କରେ ରିଙ୍କି କହିଛନ୍ତି, ନିର୍ବାଚନ ଜିତିବା ଏବଂ ହାରିବା ତାଙ୍କ ହାତରେ ନାହିଁ । ଭୋଟର ହିଁ ସେହି ନିଷ୍ପତ୍ତି ନେବେ । କିନ୍ତୁ ଗାଁ ସମସ୍ୟାର ସମାଧାନ ପାଇଁ ଆଇନର ଆଶ୍ରୟ ନେବେ । ଯଥା ସମ୍ଭବ ଗାଁର ଅବସ୍ଥାରେ ପରିବର୍ତ୍ତନ ପାଇଁ ପଦକ୍ଷେପ ନେବେ ବୋଲି ସେ କହିଥିଲେ । ଏହି ପ୍ରତିଶ୍ରୁତି ପରେ ଭୋଟ୍‌ ବର୍ଜନ ନିଷ୍ପତ୍ତି ପ୍ରତ୍ୟାହାର କରାଯାଇଥିବା କହିଛନ୍ତି ଗ୍ରାମର କାଶୀନାଥ ମାଝୀ, ସୋମନାଥ ମାଝୀ, ଭାସ୍କର ମାଝୀ, ଭୀମସେନ ମାଝୀ ।

Leave a Reply

Your email address will not be published. Required fields are marked *