ଭୁବନେଶ୍ୱର : ଥମିବାର ନାମ ନେଉନାହିଁ ଡେଙ୍ଗୁ ଅଂକ୍ରାନ୍ତଙ୍କ ସଂଖ୍ୟା । ସ୍ମାର୍ଟ ସିଟିରେ ଏବେ ଚିନ୍ତା ବଢାଇଲାଣି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ଖୋର୍ଦ୍ଧା ଜିଲ୍ଲାରେ ଡେଙ୍ଗୁ ରୋଗୀ ସଂଖ୍ୟା ପହଁଚିଲା ୨୪୦୮ ଥିବାବେଳେ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୯୮୮ ରେ ପହଞ୍ଚିଛି ।
ବିଏମ୍ସି ବର୍ଷା ସିଜିନ ଆରମ୍ବରୁ ଡେଙ୍ଗୁ ମୁକାବିଲା କରିବା ପାଇଁ ସପ୍ତାହରେ ଦୁଇ ଦିନ ଡ୍ରାଏ ଡେ ପାଳନ ସହ ସଚେତନତା ରଥ ୱାର୍ଡ ବୁଲି ସଚେତନ କରୁଥିଲା, ବର୍ତ୍ତମାନ ସ୍ଥିତିରେ ସବୁ ଫେଲ ମାରିଥିବା ଦେଖିବାକୁ ମିଳୁଛି । କେବଳ ସହରାଞ୍ଚଳରେ ନୁହେଁ ଖୋର୍ଦ୍ଧା ଜିଲ୍ଲା ଗ୍ରାମାଞ୍ଚଳ ତଥା ଭୁବନେଶ୍ୱର ଉପକଣ୍ଠରୁ ଚିହ୍ନଟ ହେଲେଣି ୫ଶହ ରୁ ଅଧିକ ରୋଗୀ । ରେଡ଼ ଯୋନରେ ଖୋର୍ଦ୍ଧା ଥିବାବେଳେ ଭୁବନେଶ୍ୱର ହଟସ୍ପଟ ପାଲଟିଛି । ତେବେ ଜାନୁଆରୀରେ ଜଣେ ରୋଗୀ ଚିହ୍ନଟ ହୋଇଥିଲେ ।
ମାର୍ଚ୍ଚରେ ୫, ଏପ୍ରିଲ ଓ ମେ ମାସରେ ୬ ଜଣ ଆକ୍ରାନ୍ତ ବାହାରିଥିଲେ । ଜୁନ୍ରେ ସଂଖ୍ୟା ବଢି ସିଧା ୬୯ ରେ ପହଞ୍ଚିଥିଲା । ଜୁଲାଇରେ ୨୦୩ ରୋଗୀ ଚିହ୍ନଟ ହୋଇଛନ୍ତି । ଗତ ଦୁଇ ମାସ ହେବ ଡେଙ୍ଗୁ ରୋଗୀ ସଂଖ୍ୟା ବୃଦ୍ଧି ପାଇଛି । ଅଗଷ୍ଟ ମାସରେ ୭୬୩ ଏବଂ ସେପ୍ଟେମ୍ବର ମାସ ଗତକାଲି ସୁଦ୍ଦା ୯୩୫ ଡେଙ୍ଗୁ ରୋଗୀ ଚିହ୍ନଟ ହେଲେଣି ।
