ଭୋଟ ପାଇଁ ନେହୁରା ହେଉଛନ୍ତି ନେତା

କବାଟବନ୍ଧ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ଜୋରଦାର ହୋଇଛି । ଧର୍ମଶାଳା ବ୍ଲକ ୧୧ ନମ୍ବର ଜିଲ୍ଲାପରିଷଦ ଜୋନ୍‌ ପାଇଁ ବିଜେଡି ଓ ବିଜେପି ସମେତ କଂଗ୍ରେସ ପ୍ରାର୍ଥୀ ଘରକୁ ଘର ବୁଲି ପ୍ରଚାର ଆରମ୍ଭ କରିଦେଲେଣି । ବିଜେଡି ପ୍ରାର୍ଥୀ ସୁଧାଂଶୁ ଭୂଷଣ ସାହୁ, ବିଜେପି ପ୍ରାର୍ଥୀ ବିଷ୍ଣୁ ଚରଣ ସାହୁ, କଂଗ୍ରେସ ପ୍ରାର୍ଥୀ ଗଙ୍ଗାଧର ମଲ୍ଲିକ ନିଜ ନିଜର ସମର୍ଥକଙ୍କ ସହ ବିଭିନ୍ନ ପଞ୍ଚାୟତରେ ଘରକୁ ଘର ଯାଇ ନିଜ ସପକ୍ଷରେ ପ୍ରଚ‌ାର କରି ଭୋଟରମାନଙ୍କୁ ଦେବାକୁ ନିବେଦନ କରୁଛନ୍ତି । ସୁଧାଂଶୁ ବିଜେଡିର ଜଣେ ପୁରୁଣା କର୍ମୀ । ଏଣ୍ତଳବା ପଞ୍ଚାୟତରୁ ତାଙ୍କ ପତ୍ନୀ ଥରେ ସରପଞ୍ଚ ହୋଇଥିଲେ । ଚିରାଚରିତ ଢଙ୍ଗରେ ସୁଧାଂଶୁ ତାଙ୍କର ପ୍ରଚାର ଚଳାଇଥିବା ବେଳେ ଶିକ୍ଷକତାରୁ କିଛି ମାସ ହେଲା ଅବସର ନେଇ ରାଜନୀତିରେ ପାଦ ଦେଇଥିବା ବିଷ୍ଣୁ ସାମାନ୍ୟ ଅଲଗା ଢଙ୍ଗରେ ପ୍ରଚାର କରୁଥିବା ଦେଖାଯାଇଛି । ସେ ଗାଁ ଗାଁ ବୁଲି ଲୋକଙ୍କ ସୁଖଦୁଃଖ ପଚାରି ବୁଝୁଛନ୍ତି । ଅଭାବ ଅସୁବିଧା ସଂପର୍କରେ ଏକ ଟିପାଖାତାରେ ତାକୁ ଲେଖି ରଖୁଛନ୍ତି । ନିର୍ବାଚନରେ ବିଜୟୀ ହେଲେ ସେମାନଙ୍କ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଉଛନ୍ତି । ସେହିପରି ଚା’ ଦୋକାନ କରି ପୂର୍ବରୁ ରାଇଛନ୍ଦା ପଞ୍ଚାୟତର ସମିତିସଭ୍ୟ ଭାବେ ବିଜୟୀ ହୋଇଥିବା କଂଗ୍ରେସର ଜିଲ୍ଲାପରିଷଦ ପ୍ରାର୍ଥୀ ଗଙ୍ଗାଧର ମଲ୍ଲିକ ହାତଗଣତି ସମର୍ଥକ ତଥା ବେଳେବେଳେ ଏକା ଯାଇ ପ୍ରତି ଗାଁରେ ପହଞ୍ଚି ଭୋଟ୍‌ ମାଗୁଛନ୍ତି । ଏହି ଜୋନ୍‌ରେ ମୋଟ ୫ ଜଣ ପ୍ରାର୍ଥୀ ଜିଲ୍ଲାପରିଷଦ ପାଇଁ ଲଢୁଛନ୍ତି ।

Leave a Reply

Your email address will not be published. Required fields are marked *