ବୌଦ୍ଧ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ୫୭ ନଂ ଜାତୀୟ ରାଜପଥ ମାଧପୁର ଛକ ନିକଟରେ ଆଦିବାସୀ ହରିଜନ ସଂଗ୍ରାମୀ ସମିତି ପକ୍ଷରୁ ରାସ୍ତା ଅବରୋଧ । ଅଡେନିଗଡ଼ଠାରୁ କଣ୍ଡରା ପର୍ଯ୍ୟନ୍ତ ଏକ ସର୍ବକାଳୀନ ସ୍ଥାୟୀ ରାସ୍ତା ନିର୍ମାଣ ଦାବି ନେଇ ମଙ୍ଗଳବାର ସକାଳୁ ୫୭ ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ ସ୍ଥାନୀୟ ଲୋକେ । ଅଡେନିଗଡ଼ ପଞ୍ଚାୟତର ଉପାନ୍ତ ଅଞ୍ଚଳ ତଥା କଣ୍ଡରା, କାଚପାଯୁ, ବାଙ୍କପାଜୁ ଓ ସୁଲକେଟି ଭଳି ଗ୍ରାମର ୫ଟି ଗ୍ରାମକୁ ସ୍ବାଧୀନତା ୭୫ ବର୍ଷ ବିତିଯାଇଥିଲେ ମଧ୍ୟ ରାସ୍ତା ନଥିବାରୁ ଯାତାୟାତରେ ବାଧାପ୍ରାପ୍ତ ହୋଇଛି । ପୂର୍ବରୁ ଅନେକ ଥର ଜିଲ୍ଲାପାଳଙ୍କ ନିକଟରେ ଗ୍ରାମବାସୀ ଲିଖିତ ଭାବେ ଅଭିଯୋଗ କରିଛନ୍ତି ହେଲେ ଆଜି ପର୍ଯ୍ୟନ୍ତ ତାହା ପୂରଣ ନ ହେବାରୁ ଗ୍ରାମବାସୀ ରାସ୍ତା ଅବରୋଧ କରିଛନ୍ତି । ଖାଲି ସେତିକି ନୁହେଁ ଦାବି ପୂରଣ ନହେଲେ ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପଂଚାୟତର ୫ ଗୋଟି ଗ୍ରାମର ଲୋକମାନେ ଭୋଟ୍ ବର୍ଜନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଘଟଣା ସ୍ଥଳରେ ପୋଲିସ ଓ ସରକାରୀ ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝାଇବା ପରେ ରାସ୍ତା ଅବରୋଧ ହଟିଛି । ସେପଟେ ରାସ୍ତା ଅବରୋଧ ପାଇଁ ବହୁ ସମୟ ଧରି ଶତାଧିକ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ରାସ୍ତାରୋକ ପ୍ରତ୍ୟାହାର ପରେ ଯାତାୟାତ ସ୍ଵାଭାବିକ ହୋଇଛି ।
