ପାଟଣା : ଦିନକୁ ଦିନ ରାଜ୍ୟରେ ଓମିକ୍ରନ ସାଙ୍ଗକୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଵୃଦ୍ଧି ପାଉଛି । ଏହାକୁ ରୋକିବାକୁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଇଛନ୍ତି । ଏପରିକି କଠୋର କଟକଣା ଲଗାଇଛନ୍ତି । କିନ୍ତୁ ଅନେକ ସ୍ଥାନରେ ଅମାନିଆ କଟକଣାକୁ ଖାତିର କରୁନଥିବା ଦେଖିବାକୁ ମିଳିଛି । ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା ପାଟଣା ଥାନା ଓ ସାହାରପଡା ଅଞ୍ଚଳରେ । କୋଭିଡ ସଂକ୍ରମଣ କମାଇବା ପାଇଁ ଯାତ୍ରା ଓ ମେଳା ଆଦି ବନ୍ଦ କରାଯାଇଥିବା ବେଳେ ସାହାରପଡା ବ୍ଲକ ମାଛଗଡ଼ ଠାରେ ମକର ମେଳା ଆୟୋଜନ ହୋଇଛି । ଯେଉଁଥିରେ ହଜାର ହଜାର ଲୋକଙ୍କ ସମାଗମ ହୋଇଛି । ଏପରିକି ଲୋକେ କରୋନା କଟକଣାକୁ ଖାତିର କରୁନଥିବା ମଧ୍ୟ ଦେଖିବାକୁ ମିଳିଛି । ସରକାରୀ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଲୋକେ କଟକଣାକୁ ନ ମାନି ମନ ଇଛା ଭିଡ଼ ଜମାଉଛନ୍ତି ବୋଲି ଅଭିଯୋଗ କରାଯାଇଛି । କରୋନା କଟକଣାକୁ ଫୁ କରି ଧଜିଆ ଉଡାଇ ଦେଇଛନ୍ତି ଲୋକେ । ତୃତୀୟ ଲହର ଆସିବା ପରେ ଏବେ ସୁଦ୍ଧା ପାଟଣା ଓ ସାହାରପଡାରେ ୬୦ ରୁ ଉର୍ଦ୍ଧ୍ୱ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି । କିନ୍ତୁ ପାଟଣା ପୋଲିସ ଓ ସାହାରପଡା ବ୍ଲକ ପ୍ରଶାସନ ଭିଡ଼ ଉପରେ କୌଣସି ପଦକ୍ଷେପ ନ ନେଇ ନିଦାବିଷ୍ଣୁ ସାଜିଥିବା ସମସ୍ତଙ୍କୁ ଚକିତ କରିଛି । ଏ ଦିଗରେ ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେବା ସହ ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି ।
