ବସ୍ତା : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ବ୍ରାହ୍ମଣଦାରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ଏହି ହିଂସାକାଣ୍ଡରେ ଜଣେ ଗୁୁରୁତର ଆହତ ହୋଇଛନ୍ତି । ଗତକାଲି ସକାଳେ ବ୍ରାହ୍ମଣଦାରେ ଗୋଟିଏ ରାଜନୈତିକ ଦଳର ପ୍ରାର୍ଥୀଙ୍କ ପୋଷ୍ଟର କିଏ ଚିରି ଦେଇଥିଲା । ତେବେ ଉକ୍ତ ଦଳର ସମର୍ଥକମାନେ ପ୍ରତିଦ୍ବନ୍ଦ୍ବୀ ଦୁଇ ରାଜନୈତିକ ଦଳର ସମର୍ଥକମାନେ ପୋଷ୍ଟର ଚିରିଥିବା ଅଭିଯୋଗ କରିଥିଲେ । ଗତକାଲି ସନ୍ଧ୍ୟାରେ ପୁଣି ଦୁଇ ପକ୍ଷ ମୁହାଁମୁହିଁ ହୋଇଥିଲେ । ଗୋଟିଏ ପକ୍ଷର ସମର୍ଥକମାନେ ଅନ୍ୟପକ୍ଷର ସମର୍ଥକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଏଥିରେ ବସନ୍ତ ପରିଡ଼ା ନାମକ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ବେଳେ ଏକାଧିକ ବ୍ୟକ୍ତି ଆହତ ହୋଇଛନ୍ତି । ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ୨ ଜଣ ଆକ୍ରମଣକାରୀଙ୍କୁ ଥାନାରେ ଅଟକ ରଖିଛି । ବସ୍ତା ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ବସନ୍ତଙ୍କ ଅବସ୍ଥା ସଂକଟାପନ୍ନ ଥିବା ଡାକ୍ତର କହିଛନ୍ତି ।
