ପ୍ୟାନ କି କବାଟ ନାହିଁ, ଖତ ଖାଉଛି କୋଡିଏ ହଜାର ଟଙ୍କିଆ ପାଇଖାନା

ଲେଫ୍ରିପଡ଼ା : ଲୋକଙ୍କ ନିକଟରେ ଏବେ ବି ପାଇଖାନା ନାହିଁ । ମୋଦି ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନରେ କୋଟି କୋଟି ଟଙ୍କାର ଅନୁଦାନ ଆସିଛି ସତ, ହେଲେ ସେଥିରୁ ସିଂହଭାଗ ବାଟମାରଣା ହୋଇଛି । କେଉଁଠି ପାଇଖାନା ନିର୍ମାଣ ନ ହୋଇ ଟଙ୍କା ହଡ଼ପ ହୋଇଛି ତ ପୁଣି କେଉଁଠି ନିମ୍ନମାନର ନିର୍ମାଣ କାର୍ଯ୍ୟ ଯୋଗୁ ପାଇଖାନା ଭୁଶୁଡ଼ି ଗଲାଣି । ଆଉ ଲୋକେ ବାହାରେ ଶୌଚ ହେବାକୁ ବାଧ୍ୟ ହେଉଛନ୍ତି । ହେଲେ ଆମ ପ୍ରଶାସନ ଏହି ଦୁର୍ନୀତି ଓ ଅନିୟମିତତାକୁ ଫଳକ ମାଧ୍ୟମରେ ଲୁଚାଇବାକୁ ଆରମ୍ଭ କରିଛି । ଲୋକେ ପାଇଖାନାରେ ମଳତ୍ୟାଗ କରନ୍ତୁ କି ବାହାରେ ସେ ବିଷୟ ଦୂରେ ଥାଉ, କିନ୍ତୁ ସବୁ ଗାଁ ବାହ୍ୟ ମଳମୁକ୍ତ ଗାଁ ହିସାବରେ କାଗଜପତ୍ରରେ ଟିପ୍‌ଟପ୍ ରହୁ । ଏଣୁ ଏବେ ପ୍ରଶାସନ ସ୍ୱଚ୍ଛ ଭାରତ ଅଭିଯାନ ପରିବର୍ତ୍ତେ ‘ବାହ୍ୟ ମଳମୁକ୍ତ ଗାଁ’ ସାଇନ୍ ବୋର୍ଡ଼ ମାରି ଖାଲି ବାହା ବାହା ନେଉଛନ୍ତି । ଲେଫ୍ରିପଡ଼ା ବ୍ଲକ୍‌ର ଅଳାପକା ଗ୍ରାମରେ ପାଇଖାନା ନିର୍ମାଣ କରାନଯାଇ ବିଭାଗୀୟ ଅଧିକାରୀ ଓ ଠିକାଦାର ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିନେଇଥିଲେ । ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଏକ ବଡ଼ଧରଣର ଦୁର୍ନୀତିର ପର୍ଦ୍ଦାଫାସ୍‌ ହୋଇଥିଲା ।

ସେହିଭଳି ବ୍ଲକ୍‌ରେ ୨୦୧୮-୧୯ ଏବଂ ୨୦୧୯-୨୦ ବର୍ଷରେ ଅନେକ ପଞ୍ଚାୟତରେ ପାଇଖାନା ନିର୍ମାଣ ନାମରେ ବିପୁଳ ପରିମାଣର ଅର୍ଥ ହେର୍‌ଫେର୍ କରାଯାଇଥିବା ଅଭିଯୋଗ ହୋଇଛି । ସାହାଜବାହାଲ ଗ୍ରାମରେ ମଧ୍ୟ ପାଇଖାନା ନିର୍ମାଣରେ ଅନିୟମିତତା ହୋଇଥିବା ସଂପର୍କରେ ଗ୍ରାମବାସୀ ଜିଲ୍ଳାପାଳଙ୍କଠାରେ ଅଭିଯୋଗ କରିଥିଲେ । ଏହାଛଡ଼ା ଦର୍ଲିପାଲି ଏବଂ ରାଏଡ଼ିହି ପଞ୍ଚାୟତରେ ସରକାରୀ ଅନୁଦାନ ୧୨ ହଜାର ଏବଂ ଏନ୍‌ଟିପିସି ଅନୁଦାନ ୮ ହଜାର ଏହିପରି ମୋଟ ୨୦ ହଜାର ଟଙ୍କା ବ୍ୟୟ ଅଟକଳରେ ପାଇଖାନା ନିର୍ମାଣ ହୋଇଥିବା ବେଳେ, ଏସବୁ ଠିକାଦାରିରେ ଚାଲିବା ଏବଂ କନିଷ୍ଠଯନ୍ତ୍ରୀ ଓ ଠିକାଦାରଙ୍କ ଅସାଧୁମେଣ୍ଟରେ ନିମ୍ନମାନର ପାଇଖାନା ନିର୍ମାଣ କରାଯାଇଥିବା ଅଭିଯୋଗ ହୋଇଛି ।

ତେବେ ଅଧିକାଂଶ ପାଇଖାନା ନିର୍ମାଣର ବର୍ଷେ ନ ଯାଉଣୁ ଭାଙ୍ଗିରୁଜି ନଷ୍ଟ ହୋଇଯାଇଥିବା ବେଳେ, ଅଧିକାଂଶରେ ନା ପ୍ୟାନ୍ ଅଛି ନା କବାଟ ଲାଗିଛି । ଫଳରେ ଲୋକେ ଏହାକୁ ଶୌଚ ପାଇଁ ବ୍ୟବହାର କରିପାରୁନଥିବା ବେଳେ, ସେଥିରେ କାଠକୁଟା ଆଦି ରଖୁଛନ୍ତି । ଉଲ୍ଲେଖ ଥାଉକି, ଦର୍ଲିପାଲି ଏବଂ ରାଏଡ଼ିହି ପଞ୍ଚାୟତରେ ଉଚ୍ଚମାନର ପାଇଖାନା ନିର୍ମାଣ ସକାଶେ ଏନ୍‌ଟିପିସି ପକ୍ଷରୁ ୮ ହଜାର ଟଙ୍କାରୁ ଅଧିକ ଅନୁଦାନ ଯୋଗାଇ ଦିଆଯାଉଥିବା ବେଳେ, ଏଭଳି ଅନିୟମିତତା ଯୋଗୁ ନିର୍ମାଣାଧୀନ ନିମ୍ନମାନର ପାଇଖାନାଗୁଡ଼ିକର ସ୍ଥାୟିତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବ୍ଲକ୍‌ର ପ୍ରାୟ ସବୁ ଗ୍ରାମରେ ଏହି ଦୁର୍ନୀତି ଓ ଜାଲିଆତି ରହିଥିବା ସ୍ଥଳେ ସ୍ୱଚ୍ଛ ଭାରତ ମିସନ ପକ୍ଷରୁ ତଞ୍ଚକତା କରାଯାଇ ‘ବାହ୍ୟ ମଳମୁକ୍ତ ଗାଆଁ’ର ସାଇନ୍‌ବୋର୍ଡ ମରାଯାଇଛି । ବିଭାଗୀୟ ଅଧିକାରୀମାନେ ନିଜର ସଫଳତା କାଗଜପତ୍ରରେ ଦର୍ଶାଇ ଏହି ଫଳକ ମାରି ରାଜ୍ୟ ଓ କେନ୍ଦ୍ରସ୍ତରରେ ବାହା ବାହା ନେବାକୁ ଉଦ୍ୟମ କରିଛନ୍ତି । ଏବେ ବି ଲୋକେ ଏ ଅଞ୍ଚଳରେ ବାହାରେ ମଳତ୍ୟାଗ କରି ଆସୁଛନ୍ତି । ଦୁର୍ନୀତି ନିବାରଣ ବିଭାଗ ଏ ବାବଦରେ ତଦନ୍ତ କରିବା ପାଇଁ ଲୋକେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *