ଶହେ ବର୍ଷ ହେବ ନିର୍ବାଚିତ ପ୍ରତିନିଧିଙ୍କ ପାଦ ପଡିନି, ତଥାପି ୧୦ କିମି ପାହାଡିଆ ରାସ୍ତା ଅତିକ୍ରମ କରି ଭୋଟ ଦେବାକୁ ଯା’ନ୍ତି ତୁର୍କୀବାସୀ

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍‌ ଲାଞ୍ଜି ପଞ୍ଚାୟତ କୁଟିଆକନ୍ଧ ତୁର୍କା ଗାଁ ସ୍ଥାପିତ ହେବାର ଶହେ ବର୍ଷ ବିତିଗଲାଣି । କିନ୍ତୁ ସରକାରଙ୍କ ସବୁ ଯୋଜନା ଏମାନଙ୍କ ପାଇଁ ଅପହଞ୍ଚ ହୋଇ ରହିଛି । ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ଗମନାଗମନ, ପାନୀୟଜଳ ଏମାନଙ୍କ ପାଇଁ ସାତ ସପନ ହୋଇଛି । ଗାଁର ଗୋଟିଏ ବି ଝିଅ ସରକାରୀ ସ୍କୁଲରେ ପାଠ ପଢ଼ିନାହାନ୍ତି । ନବୀନ ମାଝୀ ନାମକ ଜଣେ ମାତ୍ର ନବମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି । ଗାଁରୁ ସ୍କୁଲ୍‌ର ଦୂରତା ୧୦ କିମି ।

ତୁର୍କା ଗାଁ ଯିବାକୁ ହେଲେ ଘାଟି ରାସ୍ତାରେ ଘଞ୍ଚ ଜଙ୍ଗଲ ମଧ୍ୟରେ ୩ଟି ପାହାଡ଼, ୪ଟି ନାଳ, ଝରଣା ଅତିକ୍ରମ କରିବାକୁ ପଡେ । ଆଜି ପର୍ଯ୍ୟନ୍ତ କୌଣସି ନିର୍ବାଚିତ ପ୍ରତିନିଧି ସାଂସଦ, ବିଧାୟକ, ସରପଞ୍ଚ କିମ୍ବା ସମିତି ସଭ୍ୟଙ୍କ ପାଦ ପଡ଼ିନାହିଁ ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି । କିନ୍ତୁ ମୂଲ୍ୟବାନ ଭୋଟ୍‌ ଦେବାକୁ ସେମାନେ ଗାଁ ଠାରୁ ୧୦ କିମି ଦୂର ଆସି ଯୁବା ଗାଁ ମତଦାନ କେନ୍ଦ୍ରରେ ଭୋଟ୍ ଦେଇଥାନ୍ତି । ଗାଁର ବିକାଶ ହେବ ବୋଲି ଆଶା ରଖି ସେମାନେ ଭୋଟ୍‌ ଦେଇଥାନ୍ତି । କିନ୍ତୁ ନିର୍ବାଚନ ସରିଗଲେ ସେମାନଙ୍କ ଆଶା ଆଶାରେ ହିଁ ରହିଥାଏ । ୩୦ଟି ପରିବାର ସରକାରଙ୍କ ବିଭିନ୍ନ ମୌଳିକ ସୁବିଧାରୁ ଆଜି ପର୍ଯ୍ୟନ୍ତ ବଞ୍ଚିତ ହୋଇ ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି । ତୁର୍କା ଗାଁର ବିକାଶ ପ୍ରତି କେବେ ସରକାର ଦୃଷ୍ଟି ଦେବେ ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତି ।

Leave a Reply

Your email address will not be published. Required fields are marked *