ଓଡ଼ିଶାର ସହାୟତା ଲୋଡ଼ିଲେ ଆନ୍ଧ୍ର ବାସିନ୍ଦା

ମାଲକାନଗିରି : କୋଟିଆରେ ପଶି ଓଡ଼ିଶାର ଅଞ୍ଚଳକୁ କବ୍‌ଜା କରିବାକୁ ପୂରା ଜୋର୍‌ ଲଗାଇ ଦେଇଛି ଆନ୍ଧ୍ରପ୍ରଦେଶ । ଏଣେ ନିଜ ଅଞ୍ଚଳର ଲୋକମାନେ ମୌଳିକ ସୁବିଧାରୁ ବଂଚିତ ହେଉଛନ୍ତି । ସ୍ଥିତି ଏମିତି ହୋଇଛି ଯେ ପ୍ରତ୍ୟେକ କାମ ପାଇଁ ଆନ୍ଧ୍ରର ଏହିି ଗ୍ରାମବାସୀଙ୍କୁ ଓଡ଼ିଶା ଉପରେ ନିର୍ଭର କରିବାକୁ ପଡ଼ୁଛି । ଏପରିକି ଓଡ଼ିଶା ପ୍ରଶାସନର ସହାୟତା ଲୋଡ଼ିବାକୁ ସେମାନେ ପଛାଇନାହାନ୍ତି । ଓଡ଼ିଶାର ଧୂଳିପୁଟ ପଞ୍ଚାୟତ ସୀମାକୁ ଲାଗି ରହିଛି ଆନ୍ଧ୍ରର ଗାଡ଼ିବନ୍ଧ, ଡନ୍ତୁରାଇ, କାଣ୍ଡଳପଡ଼ୁ, ଶୋଉପଳା ଏବଂ ଗଜେଟ ଆଦି ଗାଁ । ଏହି ଗାଁ ଗୁଡ଼ିକୁ ଯୋଗାଯୋଗ ପାଇଁ ଭଲ ରାସ୍ତା ରହିଛି ନା ମିଳୁଛି ମୌଳିକ ସୁବିଧା । ଗ୍ରାମବାସୀଙ୍କ ନିବେଦନ କ୍ରମେ ଓଡ଼ିଶା ପକ୍ଷରୁ ଉପରୋକ୍ତ ଦୁଇରୁ ତିନୋଟି ଗାଁକୁ ବିଦ୍ୟୁତ ସଂଯୋଗ କରାଯାଇଛି । ସେହିପରି ଅନ୍ୟାନ୍ୟ ସୁବିଧା ବି ଓଡ଼ିଶା ଦ୍ବାରା ପାଉଛନ୍ତି ଗ୍ରାମବାସୀ । ତେଣୁ କିଛିଦିନ ତଳେ ଓଡ଼ିଶାରେ ମିଶିବା ପାଇଁ ପ୍ରଶାସନ ନିକଟରେ ଗୁହାରି କରିଥିଲେ । ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କୁ ମଧ୍ୟ ନିଜ ଗାଁକୁ ନେଇ ସମସ୍ୟା ଦେଖାଇଛନ୍ତି । ପ୍ରଶାସନିକ ଅଧିକାରୀ ବି ଲୋକଙ୍କ ଅବସ୍ଥା ଦେଖିବା ପରେ ସମସ୍ୟାଗୁଡିକ ସଂପର୍କରେ ଉପରିସ୍ଥ ଅଧିକାରୀକୁ ଜଣାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ମାଲକାନଗିରି ପ୍ରଶାସନ ଏହି ଗାଁ ଗୁଡିକୁ ଯୋଗାଯୋଗ ପାଇଁ କିଛି ଦୂର ପର୍ଯ୍ୟନ୍ତ ରାସ୍ତା ବ୍ୟବସ୍ଥା କରିଛି । ତଥାପି ଗ୍ରାମବାସୀଙ୍କୁ ନିଜ ପଞ୍ଚାୟତ ମହକୁମାରେ ପହଞ୍ଚିବାକୁ ହେଲେ ୨୦ ରୁ ଊର୍ଦ୍ଧ୍ବ କିଲୋମିଟର ପାହାଡିଆ ରାସ୍ତା ହୋଇ ଯିବାକୁ ପଡୁଛି ।

ସେହିପରି ସ୍ବାଭିମାନ ଅଞ୍ଚଳରେ ଜିଲ୍ଲା ପ୍ରଶାସନର ବିକାଶ କାର୍ଯ୍ୟକୁ ଦେଖି ଆନ୍ଧ୍ର ବାସିନ୍ଦା ବି ଓଡ଼ିଶାରେ ସାମିଲ ହେବାକୁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଥିଲା । ତେଣୁ ପ୍ରଥମେ ଏହି ଗାଁ ଗୁଡିକୁ ଓଡ଼ିଶା ସହ ସଂଯୋଗ କରିବା ପାଇଁ ଗ୍ରାମବାସୀ ଅନୁରୋଧ କରିଛନ୍ତି । ଆନ୍ଧ୍ର ପ୍ରଶାସନ ଗାଡିବନ୍ଧ ଗ୍ରାମର ଛୋଟ ପିଲାଙ୍କ ଟିକାକରଣ କରିନଥିବା ବେଳେ, ଗାଁରେ ଜଣେ ବି କୋଭିଡ୍‌ ଟିକା ନେଇନାହାନ୍ତି । ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବହୁ ପଛରେ ପଡ଼ିଯାଇଛି ଏହି ଗାଁ । ଭଗବାନଙ୍କ ଭରସାରେ ରହିଥିବା ଗ୍ରାମବାସୀ ପାରମ୍ପରିକ ଚାଷ ସହ ଗଞ୍ଜେଇ ଚାଷ କରୁଥିବା ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଗ୍ରାମବାସୀ ତେଲୁଗୁ ଭାଷାରେ କଥାବର୍ତ୍ତା କରୁଛନ୍ତି । ଯଦି ଓଡ଼ିଶାରେ ମିଶିବେ ତେବେ ଓଡ଼ିଆ ପଢ଼ିବେ ବୋଲି ପ୍ରକାଶ କରିଛନ୍ତି । ଧୂଳିପୁଟ ସୀମାରେ ଥିବା ଲିମାଟାଙ୍ଗ ଗ୍ରାମକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ ପ୍ରଶାନ୍ତ ବେହେରା ଗସ୍ତରେ ଯାଇଥିବା ବେଳେ ଆନ୍ଧ୍ରର ଗାଡିବନ୍ଧ ବାସିନ୍ଦା ତାଙ୍କୁ ଭେଟିଥିଲେ । ନିଜ ଗାଁର ଅବସ୍ଥା ଦେଖାଇ ରାସ୍ତା, ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟ ସେବା ଯଦି ଓଡ଼ିଶା ସରକାର ଦିଅନ୍ତି ତେବେ ଆମେ ଓଡ଼ିଶାରେ ମିଶିଯିବୁ ବୋଲି କହିଥିଲେ । ତେବେ ଯନ୍ତ୍ରୀ ଏ ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

Leave a Reply

Your email address will not be published. Required fields are marked *