ପୁରୀ : ଅଢ଼େଇ ବର୍ଷ ପରେ ଶେଷରେ ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର । ମାଗଣାରେ ଭକ୍ତମାନେ ଶ୍ରୀଗୁଣ୍ଡିଚା ମନ୍ଦିର ବୁଲିପାରିବେ । ଭକ୍ତ ଓ ଶ୍ରୀଗୁଣ୍ଡିଚା ମନ୍ଦିର ସୁରକ୍ଷା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଜିଲ୍ଲା ପ୍ରଶାସନ କରିବ । ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସପ୍ତାହେ ଭିତରେ ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ କୁହାଯାଇଛି । ନିଷ୍ପତ୍ତି ଅନୁଯାୟୀ, ଭକ୍ତମାନେ ଆଡ଼ପମଣ୍ଡପ ପାଖକୁ ଯାଇପାରିବେନି କି ସ୍ପର୍ଶ କରିପାରିବେନି । ସେହିଭଳି ରୋଷଘରକୁ ବି ପ୍ରବେଶ କରିପାରିବେନି । ଏଥିପାଇଁ ଆଡ଼ପମଣ୍ଡପ, ରୋଷଘର ପାଖରେ ବାରିକେଡିଂ କରାଯିବ ।
ଅନ୍ୟ ନିଷ୍ପତ୍ତି ଅନୁସାରେ, ଶ୍ରୀମନ୍ଦିର ମରାମତି ପାଇଁ ୫ ବର୍ଷିଆ ବଜେଟ୍ ସହ ଅନ୍ୟାନ୍ୟ ଆକ୍ସନ ପ୍ଲାନ ମାସେ ଭିତରେ ପ୍ରସ୍ତୁତ କରି ଦେବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ପ୍ରତ୍ନତତ୍ତ୍ବ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛି । ସେହିଭଳି ଗତ ବର୍ଷକ ଭିତରେ ଶ୍ରୀମନ୍ଦିର କ’ଣ ସବୁ ମରାମତି ହୋଇଛି, ସେ ଉପରେ ବିସ୍ତୃତ ବିବରଣୀ ଆସନ୍ତା ସୋମବାର ସୁଦ୍ଧା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଗତବର୍ଷ ଶ୍ରୀମନ୍ଦିର ଗର୍ଭଗୃହକୁ ଛାଡ଼ିଦେଲେ, ଅନ୍ୟାନ୍ୟ ସ୍ଥାନର ଲେଜର୍ ସ୍କାନିଂ ହୋଇଥିଲା । ଏହି ରିପୋର୍ଟ ଆଜି ପର୍ଯ୍ୟନ୍ତ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରଯାଇନି । ଏହି ରିପୋର୍ଟ ତୁରନ୍ତ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରିବାକୁ ପରିଚାଳନା କମିଟି କହିଛି । ଯେ ପର୍ଯ୍ୟନ୍ତ ଏହି ରିପୋର୍ଟ ପ୍ରଦାନ କରାନଯାଇଛି, ସେ ପର୍ଯ୍ୟନ୍ତ ଗର୍ଭଗୃହ କି ଅନ୍ୟାନ୍ୟ ସ୍ଥାନର ଲେଜର ସ୍କାନିଂ ଅନୁମତି ଦିଆଯାଇପାରିବ ନାହିଁ ବୋଲି ପରିଚାଳନା କମିଟି ରୋକ୍ଠୋକ୍ କହିଛି । ପ୍ରତ୍ନତତ୍ତ୍ବ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ପରିଚାଳନା କମିଟି ସଦସ୍ୟ ହୋଇଥିଲେ ବି ପରିଚାଳନା କମିଟି ବୈଠକରେ ଅନୁପସ୍ଥିତ ରହିବାକୁ ନେଇ ବି ହଟ୍ଟଗୋଳ ହୋଇଛି ।
ଶ୍ରୀମନ୍ଦିର ରତ୍ନଭଣ୍ଡାର ଏବେ ବିପଦପୂର୍ଣ୍ଣ ଅବସ୍ଥାରେ ଥିବାରୁ ତ୍ବରିତ ଲାଗି ପ୍ରତ୍ନତତ୍ତ୍ବ ବିଭାଗ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିବ ବୋଲି ପ୍ରତ୍ନତତ୍ତ୍ବ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଅରୁଣ ମଲ୍ଲିକ କହିଛନ୍ତି । ସେ କହିଛନ୍ତି, ଆମେ ଜାଣିଛୁ ରତ୍ନଭଣ୍ଡାର ଅସୁରକ୍ଷିତ ଅବସ୍ଥାରେ ରହିଛି । ଏହା ମରାମତି ବି ଆବଶ୍ୟକ ପଡ଼ୁଥିବା ଜାଣିବାକୁ ପାଇଛୁ । କିନ୍ତୁ ଅନୁଧ୍ୟାନ ନ କଲେ କିଛି କହିହେବନି । ଅନ୍ୟପଟେ ଆଜି ପ୍ରତ୍ନତତ୍ତ୍ବ ବିଭାଗ ରତ୍ନଭଣ୍ଡାର ପ୍ରସଙ୍ଗ ଉଠାଇଥିଲେ ବି ଭିନ୍ନ ପ୍ରସଙ୍ଗ ଉଠାଇ ଶ୍ରୀମନ୍ଦିର ପରିଚାଳନା କମିଟି ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ଏଡ଼ାଇ ଯାଇଥିବା ଜଣାପଡ଼ିଛି ।
ରଥଯାତ୍ରାରେ ସେବକମାନେ ଠାକୁରଙ୍କ ସାମ୍ନାରେ ରହୁଥିବା କାରଣରୁ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ପ୍ରସଙ୍ଗରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି ହୋଇଥିଲା । ସେହିଭଳି ଶ୍ରୀମନ୍ଦିର ଶୋଧ ଓ ଅନ୍ୟାନ୍ୟ କାର୍ଯ୍ୟ ଠିକ୍ରେ କରାଯାଉନଥିବାରୁ ବୈଠକରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଏହି ପ୍ରସଙ୍ଗରେ ସଦସ୍ୟମାନେ ଅସନ୍ତୋଷ ପ୍ରକାଶ କରିବା ପରେ ଖୁବଶୀଘ୍ର ଦଇତାପତି ନିଯୋଗ ଓ ଛତିଶାନିଯୋଗ ବୈଠକ ଡାକି ବିସ୍ତୃତ ଆଲୋଚନା କରିବାକୁ ଆଜି ପରିଚାଳନା କମିଟି ନିଷ୍ପତ୍ତି ନେଇଛି ।
ଶ୍ରୀମନ୍ଦିରରେ ଭକ୍ତମାନେ ଶ୍ରୀଜିଉଙ୍କ ଦର୍ଶନ ବେଳେ ଶ୍ରୀମୁଖ ଦର୍ଶନରୁ ବଞ୍ଚିତ ହେଉଛନ୍ତି । ପାଳିଆ ସେବକଙ୍କ ସହ ପାଳି ନ ଥିବା ସେବକମାନେ ଗର୍ଭଗୃହରେ ପଶି ଭକ୍ତଙ୍କ ଦର୍ଶନ ପଥ ଓଗାଳୁଥିବାରୁ ଏଭଳି ପରିସ୍ଥିତି ଉପୁଜୁଛି । ଏ ନେଇ ଉଦ୍ବେଗ ପ୍ରକାଶ ପରେ ଶେଷରେ ଶ୍ରୀମନ୍ଦିରରେ ସେବକ ସଂଖ୍ୟା ସୀମିତ କରିବାକୁ ନିଷ୍ପତ୍ତି ହୋଇଛି । ଏ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ କହିଛନ୍ତି, ପରିଚାଳନା କମିଟି ନିଷ୍ପତ୍ତିକ୍ରମେ ଆମେ ଶ୍ରୀମନ୍ଦିର ସେବକ ସଂଖ୍ୟା ସୀମିତ କରିବାକୁ ନିଷ୍ପତ୍ତି ନେଇଛୁ । ଯେଉଁମାନଙ୍କ ପାଳି ରହିଛି, ସେମାନେ ହିଁ ମହାପ୍ରଭୁଙ୍କ ନୀତିକାନ୍ତି ପାଇଁ ଗର୍ଭଗୃହକୁ ଯାଇପାରିବେ । ଅନ୍ୟ କାହାରିକୁ ଏଠାକୁ ଅନୁମତି ମିଳିବନି । ଫଳରେ ମହାପ୍ରଭୁଙ୍କ ଆଗରେ ଅଯଥା ଭିଡ଼ ହେବନି, ଭକ୍ତମାନେ ଶୃଙ୍ଖଳିତ ଦର୍ଶନ ସାରି ଫେରିବେ। ସୂଚନାଯୋଗ୍ୟ, ଶ୍ରୀମନ୍ଦିର ସ୍ବତ୍ତ୍ବଲିପି ଅନୁଯାୟୀ ମହାପ୍ରଭୁଙ୍କ ୧୧୯ ପ୍ରକାରର ଦୈନିକ ସେବା ରହିଥିବାବେଳେ ବର୍ତ୍ତମାନ ପ୍ରାୟ ୯୦ଟି ସେବା ସଂପାଦନ ହେଉଛି । କିନ୍ତୁ ଯେଉଁମାନେ ପାଳି ଖଟୁଛନ୍ତି, ସେମାନଙ୍କଠାରୁ ଢ଼େର ଅଧିକ ସେବକ ଗର୍ଭଗୃହରେ ପଶି ମହାପ୍ରଭୁଙ୍କ ଦର୍ଶନ ଅବରୋଧ କରିବା ସହ ଭକ୍ତଙ୍କୁ ଶୋଷଣ କରୁଥିବା ଅଭିଯୋଗ ହୋଇ ଆସୁଛି ।
ମହାପ୍ରଭୁଙ୍କ ଅମୃତମଣୋହି ଜମି ସହ ଅନ୍ୟାନ୍ୟ ଜମିକୁ ନେଇ ଆଜିର ବୈଠକରେ ତମ୍ବିତୋଫାନ ହୋଇଛି । ବନ୍ଦୋବସ୍ତରେ ମହାପ୍ରଭୁଙ୍କ ଯେଉଁ ଜମି ଏପଟସେପଟ ହୋଇଛି, ତାର ସଂଶୋଧନ ପାଇଁ ବାରମ୍ବାର ରାଜସ୍ବ ବିଭାଗର ଅଧିକାରୀଙ୍କୁ ଚିଠି କଲେ ବି କେହି ଶୁଣୁନଥିବା ଅଭିଯୋଗ ହୋଇଛି । ତହସିଲଦାରମାନେ ଚିଠି ପାଇ ନିରବ ବସୁଛନ୍ତି । ଏହାକୁ ନେଇ ଆଜିର ବୈଠକରେ ଆଲୋଚନା ପରେ ଜିଲ୍ଲାପାଳ ଏ ଦିଗରେ ହସ୍ତକ୍ଷେପ କରିବେ ବୋଲି କହିଛନ୍ତି । ନିଜେ ସମ୍ପୃକ୍ତ ଜିଲ୍ଲାପାଳଙ୍କୁ ଚିଠି କରି ତୁରନ୍ତ ସଂଶୋଧନ କାର୍ଯ୍ୟ ସମ୍ପାଦନ କରିବାକୁ କହିବେ ବୋଲି କହିଛନ୍ତି ।
ପୁରୀ ଜିଲ୍ଲାରେ ବନ୍ଦୋବସ୍ତରେ ମହାପ୍ରଭୁଙ୍କ ପ୍ରାୟ ୨ ହଜାର ଏକର ଜମି ଏପଟସେପଟ କରାଯାଇଛି । ସର୍ବାଧିକ ଜମି ଦୁର୍ନୀତି ପୁରୀ ତହସିଲ ଅଧୀନରେ ହୋଇଛି । ପ୍ରାୟ ୧୧ ଶହ ଏକର ଜମି ପୁରୀ ତହସିଲ ଅଧୀନରେ ଚଞ୍ଚକତା କରାଯାଇଛି । ସେହିଭଳି ଗୋପ ତହସିଲରେ ୪ ଶହ ଏକର, ବ୍ରହ୍ମଗିରି ତହସିଲରେ ୨ ଶହ ଏକର ଜମି ଚଞ୍ଚକତା କରାଯାଇଛି । କୃଷ୍ଣପ୍ରସାଦ ଓ ସତ୍ୟବାଦୀକୁ ଛାଡ଼ିଦେଲେ ବାକି ତହସିଲରେ ଏଭଳି ୪୦ ରୁ ୫୦ ଏକର ଜମି ଚଞ୍ଚକତା କରାଯାଇଛି । ଏହାର ତାଲିକା ପାଇବା ପରେ ଶ୍ରୀମନ୍ଦିର ପ୍ରଶାସନ ସମ୍ପୃକ୍ତ ତହସିଲଦାରଙ୍କୁ ବାରମ୍ବାର ଚିଠି ଲେଖିଲାଣି । କିନ୍ତୁ କେହି ଏହାକୁ କର୍ଣ୍ଣପାତ କରୁନାହାନ୍ତି । କିଭଳି ଏହି ଜମି ମହାପ୍ରଭୁଙ୍କ ଖାତାକୁ ଫେରିବ ସେ ଦିଗରେ ଦୃଷ୍ଟି ଦେବାକୁ କୁହାଯାଇଛି । ସେପଟେ ଶ୍ରୀମନ୍ଦିର ଲ୍ୟାଣ୍ଡ ସବ୍କମିଟି ନିଷ୍ପତ୍ତିକୁ ଆଜି ପରିଚାଳନା କମିଟି ମଞ୍ଜୁରି ପ୍ରଦାନ କରିଛି ।
