୫ଜି ସେବାରୁ ବଞ୍ଚିତ ସ୍ମାର୍ଟ ସିଟି, ପ୍ରଥମ ପର୍ଯ୍ୟାୟ ସେବାରେ ଓଡ଼ିଶାକୁ ଅଣଦେଖା

ଭୁବନେଶ୍ବର : ଦେଶର ପ୍ରାୟ ୨୫ଟି ସହରରେ ଆସନ୍ତା ଅଗଷ୍ଟ-ସେପ୍ଟେମ୍ବରରୁ ୫ଜି ମୋବାଇଲ୍‌ ସେବା ଆରମ୍ଭ ହେବ ବୋଲି ‌କେନ୍ଦ୍ର ଟେଲିକମ୍ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି । ବିଡ଼ମ୍ବନାର ବିଷୟ ଯେ ସମ୍ଭାବ୍ୟ ସହର ତାଲିକାରେ ଓଡ଼ିଶାର କୌଣସି ସହରର ନାମ ନାହିଁ । ଓଡ଼ିଶା ଠାରୁ କମ୍‌ ଟେଲି ସାନ୍ଧ୍ରତା ଥିବା ରାଜ୍ୟ ଉତ୍ତରପ୍ରଦେଶରେ ୫ଜି ସେବା ଆରମ୍ଭ ହେବାକୁ ଥିବାବେଳେ ଓଡ଼ିଶାରେ କାହିଁକି ଆରମ୍ଭ ହେଉନି ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଉଠିଲାଣି ।

କେବଳ ଏତିକି ନୁହେଁ, ପ୍ରଥମ ପର୍ଯ୍ୟାୟରେ ଗୁଜୁରାଟର ତିନିଟି ସହର ଅହମଦାବାଦ, ଗାନ୍ଧୀନଗର ଓ ଜାମ୍‌ନଗର, ମହାରାଷ୍ଟ୍ରର ଦୁଇଟି ସହର ମୁମ୍ବାଇ ଓ ପୁନେରେ ୫ଜି ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି । ଆଶ୍ଚର୍ଯ୍ୟର ବିଷୟ ‌ଯେଉଁ ସବୁ ସହରକୁ ପଛରେ ପକାଇ ଭୁବନେଶ୍ବର ସ୍ମାର୍ଟ ସିଟି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଥିଲା ସେଠାରେ ପ୍ରଥମ ପର୍ଯ୍ୟାୟରେ ୫ଜି ସେବା ଆରମ୍ଭ ହେଉଥିବା ବେଳେ ଭୁବନେଶ୍ବରକୁ ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି । ଏପରିକି ଓଡ଼ିଶାରେ ଭୁବନେଶ୍ବର ଓ ରାଉରକେଲା ଦୁଇଟି ସ୍ମାର୍ଟ ସିଟି ଥିବାବେଳେ ଏଠାରେ ଟେଲି ସାନ୍ଦ୍ରତା ଦେଶର କିଛି ବଡ଼ ସହର ସହ ସମକକ୍ଷ । ହେଲେ ଭୁବନେଶ୍ବର କି ରାଉରକେଲାରେ ୫ଜି ସେବା ଆରମ୍ଭ କରିବାକୁ କେନ୍ଦ୍ର ଟେଲିକମ୍ ମନ୍ତ୍ରଣାଳୟର ଯୋଜନା ନାହିଁ । ଯେତେବେଳେ କି ମଧ୍ୟପ୍ରଦେଶର ଭୋପାଳ ସହର ପ୍ରଥମ ୫ଜି ସୁବିଧା ଥିବା ସ୍ମାର୍ଟ ସିଟି ହେବାକୁ ଯାଉଛି । ମଧ୍ୟପ୍ରଦେଶ ସରକାର ଏ ନେଇ ଘୋଷଣା କରିସାରିଛନ୍ତି ।

କେନ୍ଦ୍ର ଟେଲିକମ୍ ମନ୍ତ୍ରଣାଳୟ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୧୩ଟି ସହର ଅହମଦାବାଦ, ବେଙ୍ଗାଲୁରୁ, ଚଣ୍ଡୀଗଡ଼, ଚେନ୍ନାଇ, ଦିଲ୍ଲୀ, ଗାନ୍ଧୀନଗର, ଗୁରୁଗ୍ରାମ, ହାଇଦ୍ରା‌ବାଦ, ଜାମନଗର, କୋଲକାତା, ଲକ୍ଷ୍ନୌ, ମୁମ୍ବାଇ ଓ ପୁନେରେ ପରୀକ୍ଷାମୂଳକ ଭାବେ ୫ଜି ସେବା ଆରମ୍ଭ ହେବ । ତାହା ପରେ ଦେଶର ଅନ୍ୟ ରାଜ୍ୟଗୁଡ଼ିକ ଟେଲିକମ୍‌ ସଂସ୍ଥା ଏବଂ ଟେଲିକମ୍ ମନ୍ତ୍ରଣାଳୟ ଉପରେ ଚାପ ପକାଇ ପରୀକ୍ଷାମୂଳକ ଭାବେ ୫-ଜି ସେବା ଆରମ୍ଭ କରିଛନ୍ତି । ହେଲେ ଓଡ଼ିଶା ସରକାର ନା ଟେଲିକମ୍‌ ମନ୍ତ୍ରଣାଳୟ ନା ଟେଲିକମ୍ ସଂସ୍ଥା କାହାକୁ ବି ଅନୁରୋଧ କରିନାହାନ୍ତି କି ଚାପ ପକାଇ ନାହାନ୍ତି ।

କେନ୍ଦ୍ର ଟେଲିକମ୍ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓଡ଼ିଶାରୁ ନିର୍ବ‌ାଚିତ ହୋଇଥିବା ବେଳେ ଭୁବନେଶ୍ବର ମଧ୍ୟ ୫-ଜି ସେବା ତାଲିକାରେ ସ୍ଥାନ ପାଇବ ବୋଲି ଆଶା କରାଯାଉଥିଲା । କିନ୍ତୁ ସହରବାସୀଙ୍କୁ ନିରାଶ ହେବାକୁ ପଡ଼ିଛି । ଯଦି ଗୁଜୁରାଟର ତିନିଟି ସହରରେ ପ୍ରଥମ ପର୍ଯ୍ୟାୟରେ ୫-ଜି ସେବା ଆରମ୍ଭ ହୋଇପାରୁଛି ତେବେ କାହିଁକି ସ୍ମାର୍ଟ ସିଟି ଭୁବନେଶ୍ବରରେ ୫-ଜି ସେବା ଆରମ୍ଭ ହୋଇପାରିବ ନାହିଁ ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।

ଗୋଟିଏ ଟେଲିକମ୍ ଅପରେଟର ସଂସ୍ଥାର ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଓଡ଼ିଶାରେ ଚଳିତ ବର୍ଷ ୫-ଜି ସେବା ଆରମ୍ଭ ହେବା ସମ୍ଭାବନା ବହୁତ କମ୍‌ । କାରଣ ଜୁଲାଇ ମାସରେ ୫-ଜି ସ୍ପେକ୍ଟ୍ରମ ନିଲାମ ହେବାକୁ ଯାଉଛି । ଏହା ପୂର୍ବରୁ ବିଭିନ୍ନ ଟେଲିକମ୍‌ ସଂସ୍ଥା ଦେଶର ବିଭିନ୍ନ ରାଜ୍ୟରେ ୫-ଜି ସେବାର ପରୀକ୍ଷଣ କରିଥିଲେ । ଏଥିରେ ସରକାରୀ ସେବା ଠାରୁ ଆରମ୍ଭ କରି ମୋବାଇଲ୍‌ ଉପଭୋକ୍ତାଙ୍କ ପର୍ଯ୍ୟନ୍ତ କିଏ କିପରି ୫-ଜି ଦ୍ବାରା ଉପକୃତ ହେଉଛନ୍ତି ତାହା ପରୀକ୍ଷା କରାଯାଇଥିଲା । ହେଲେ ଓଡ଼ିଶାରେ କୌଣସି ଟେଲିକମ୍ ସଂସ୍ଥା ଏହି ପରୀକ୍ଷା କରିନାହାନ୍ତି । ଏପରିକି ୫-ଜି ସେବା ଯୋଗାଇବା ପାଇଁ ଯନ୍ତ୍ରପାତି ଓ ସରଞ୍ଜାମ ଲଗାଇନାହାନ୍ତି । ତେଣୁ ପ୍ରଥମ ପର୍ଯ୍ୟାୟ‌େର ଓଡ଼ିଶାର କୌଣସି ସହରରେ ୫-ଜି ସେବା ଆରମ୍ଭ ହେବ ନାହିଁ ।

କିଛି ରାଜ୍ୟର ସରକାର ବିଭିନ୍ନ ‌ଟେଲିକମ୍‌ ସଂସ୍ଥାଙ୍କୁ ଚିଠି ଲେଖି ପ୍ରଥମ ପର୍ଯ୍ୟାୟରେ ୫-ଜି ସେବା ଯୋଗାଇବାକୁ ଚାପ ପକାଇବା ପରେ କିଛି ପ୍ରମୁଖ ସହରରେ ଏବେ ୫-ଜି ସେବାକୁ ପରୀକ୍ଷାମୂଳ ଭାବେ ବ୍ୟବହାର କରାଯାଉଛି । ଯଦି ଓଡ଼ିଶା ସରକାର ଟେଲିକମ୍‌ ସଂସ୍ଥା ଉପରେ ଚାପ ପକାଇବେ କିମ୍ବା ଟେଲିକମ୍ ମନ୍ତ୍ରଣାଳୟ ଓଡ଼ିଶାରେ ୫-ଜି ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନେବେ ତେବେ କିଛି ମାସ ମଧ୍ୟରେ ଏହି ସେବା ଆରମ୍ଭ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ ।

Leave a Reply

Your email address will not be published. Required fields are marked *