ହାତଗୋଡ଼ ବାନ୍ଧି ଚୋରକୁ ଅପହରଣ

ଜଗତସିଂହପୁର : ପାରାଦୀପରେ ପୁଣି ଏକ ଚାଞ୍ଚଲ୍ୟକର ଘଟଣା ସାମ୍‌ନାକୁ ଆସିଛି । ଜଣେ ମୋବାଇଲ ଚୋରକୁ ଟ୍ରକ୍ ସାମ୍ନାରେ ବାନ୍ଧି ଦଣ୍ଡଦେବା ଘଟଣାର କେଇଦିନ ନ ପୂରୁଣୁ ‌ଗତକାଲି ରାତିରେ ପୁଣି ସେମିତି ଏକ ଘଟଣା ଘଟିଛି । ଜଣେ ଚୋରକୁ ହାତ ଗୋଡ଼ ବାନ୍ଧି ଟ୍ରକ୍ ଡାଲାରେ ପକାଇ ନେଇ ଯାଉଥିବା ବେଳେ ପୁଲିସ ତାକୁ ଉଦ୍ଧାର କରିଛି । ଏହି ମାମଲାରେ ଟ୍ରକ୍ ଚାଳକ ସଦାନନ୍ଦ ରାଉତଙ୍କୁ ପାରାଦୀପ ଲକ୍ ଥାନା ପୁଲିସ ଗିରଫ କରିଥିବା ବେଳେ ଏହାର ହେଲପର କାଳିଆ ଫେରାର ହୋଇଯାଇଛନ୍ତି । ଟ୍ରକ୍‌ଟିକୁ ମଧ୍ୟ ପୁଲିସ ଜବତ କରିଛି ।

ଲକ୍ ଥାନା ଇନସପେକ୍ଟର ସବ୍ୟସାଚୀ ରାଉତଙ୍କ ସୂଚନା ମୁତାବକ, ସଦାନନ୍ଦ ଚଳାଉଥିବା ଟ୍ରକ (ଓଡି୦୫ ଏନ୍୭୫୭୮)ଟିକୁ ଗତକାଲି କାର୍ବନ ଛକ ନିକଟରେ ପାର୍କିଂ କରିଥିଲା । ଏହି ସମୟରେ ଭିତରଗଡ଼ ଅଞ୍ଚଳର ଯୁବକ ମିଥୁନ ମଲ୍ଲିକ ଉକ୍ତ ଟ୍ରକରୁ ୧୧ ହଜାର ଟଙ୍କା ଚୋରି କରିଥିଲା । ଏହାର କିଛିଘଣ୍ଟା ପରେ ସେ ପୁଣି ଥରେ ସେଠାକୁ ଆସି ଆଉ ଗୋଟିଏ ଟ୍ରକ୍‌ରୁ ମୋବାଇଲ ଚୋରି କରିବା ପାଇଁ ଉଦ୍ୟମ କରୁଥିବାବେଳେ ସଦାନନ୍ଦ ଓ କାଳିଆ ତାଙ୍କୁ କାବୁ କରି ନେଇଥିଲେ । ସେମାନେ ମିଥୁନକୁ ନିସ୍ତୁକ ମାଡ଼ ମାରିଥିଲେ । ହାତଗୋଡ଼ ବାନ୍ଧି ଟ୍ରକ୍ ଡାଲାରେ ପକାଇ ପାରାଦୀପ-ଚଣ୍ଡିଖୋଲ ଜାତୀୟ ରାଜପଥରେ ନେଇ ପଳାଇ ଯାଇଥିଲେ । କେନ୍ଦ୍ରାପଡ଼ା ହଜାରି ନିକଟରେ ସେମାନେ ଚା’ ପିଇବା ପାଇଁ ଟ୍ରକ ରଖିଥିଲେ । ଏହାର ସୁଯୋଗନେଇ ମିଥୁନ ଜୋରରେ ଚିତ୍କାର କରିଥିଲା । ଏହାଦେଖି ସଦାନନ୍ଦ ଓ କାଳିଆ ତୁରନ୍ତ ସେଠାରୁ ଆସି ଟ୍ରକ୍‌କୁ ନେଇ ପଳାଇ ଯାଉଥିଲେ ।

ଏହି ସମୟରେ ନିକଟରେ ଉପସ୍ଥିତ ଥିବା ଲୋକମାନେ ସ୍ଥାନୀୟ ମାର୍ଶାଘାଇ ଥାନାକୁ ଖବର ଦେଇଥିଲେ । ମାର୍ଶାଘାଇ ଥାନା ପୁଲିସ ଉକ୍ତ ଟ୍ରକ୍‌ଟିକୁ ଗୋଡ଼ାଇ ଗୋଡ଼ାଇ ଧରିଥିବାବେଳେ ହେଲପର କାଳିଆ ସେଠାରୁ ଫେରାର ହୋଇ ଯାଇଥିଲେ । ମାତ୍ର ସଦାନନ୍ଦ ଓ ମିଥୁନକୁ ପୁଲିସ ଥାନାକୁ ଆଣିଥିଲା । ସେଠାରେ ପଚରାଉଚରା କରିବାରୁ ସଦାନନ୍ଦ ସବୁ ସତ ମାନି ଯାଇଥିଲେ । ଯେହେତୁ ଘଟଣାଟି ପାରାଦୀପରେ ଘଟିଥିଲା, ସେଥିପାଇଁ ପୁଲିସ ଏହି ଦୁଇ ଜଣଙ୍କୁ ସମ୍ପୃକ୍ତ ଲକ୍ ଥାନାକୁ ହସ୍ତାନ୍ତର କରିଥିଲା । ମାମଲାର ତଦନ୍ତ କରି ପୁଲିସ ସଦାନନ୍ଦଙ୍କୁ ଗିରଫ କରିଛି ।

Leave a Reply

Your email address will not be published. Required fields are marked *