ଅନୁଗୁଳ : ତାଳଚେର ସ୍ଥିତ ମହାନଦୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ(ମିମସାର)କୁ ନେଇ ଅନିଶ୍ଚିତତା ଦୂର ହେଉନି । ଏହାକୁ ଚଳାଇବା ପାଇଁ ଏ ପର୍ଯ୍ୟନ୍ତ କୌଣସି ଠୋସ୍ ନିଷ୍ପତ୍ତି ହୋଇପାରି ନ ଥିବାରୁ ଏହା କେବେଠାରୁ ଆରମ୍ଭ ହେବ ତାହା ସ୍ପଷ୍ଟ ହେଉନି । ମେଡିକାଲ କଲେଜ ଚଳାଇବାକୁ ଏମ୍ସିଏଲ କର୍ତ୍ତୃପକ୍ଷ ଟେଣ୍ଡର ଡାକିଥିଲେ ମଧ୍ୟ ଏହା ଚୂଡ଼ାନ୍ତ ହେଇପାରୁନି । ଫଳରେ ମେଡ଼ିକାଲ କଲେଜ ନେଇ ଅନିଶ୍ଚିତତା ବଢ଼ି ବଢ଼ି ଚାଲିଛି । ଅପରପକ୍ଷରେ ଏଥିନେଇ ତାଳଚେର ସମେତ ଅନୁଗୁଳ ଜିଲ୍ଲାରେ ଜନଅସନ୍ତୋଷ ବଢ଼ିବାରେ ଲାଗିଛି । ଅନୁଗୁଳ ଜିଲ୍ଲାରେ ଗତ ଦୁଇ ଦଶନ୍ଧି ଧରି ମେଡିକାଲ କଲେଜ ଏକ ପ୍ରମୁଖ ପ୍ରସଙ୍ଗ ହୋଇରହିଛି । ଏଥିନେଇ ଜନଆନ୍ଦୋଳନ ହେବାପରେ ଏମ୍ସିଏଲ ଉପରେ ରାଜ୍ୟ ସରକାର ଚାପ ପକାଇ ତାଳଚେରରେ ଏକ ମେଡିକାଲ କଲେଜ ନିର୍ମାଣ କରିଥିଲେ । ଗତ ସାଧାରଣ ନିର୍ବାଚନ ପୂର୍ବରୁ ୨୦୧୯ ରେ ଏହି ମେଡ଼ିକାଲ କଲେଜର ନୂତନ କୋଠା ବି ଲୋକାର୍ପିତ ହୋଇସାରିଛି । କିନ୍ତୁ ଉଦ୍ଘାଟନ ପରଠାରୁ ଏହା ଭୂତକୋଠି ହୋଇ ପଡ଼ିଛି । ଏହାକୁ ଚଳାଇବା ପାଇଁ ରାଜ୍ୟ ସରକାର ଓ ଏମ୍ସିଏଲ ମଧ୍ୟରେ ତାଳମେଳ ଅଭାବରୁ ଜିଲ୍ଲାବାସୀ ଉତ୍ତମ ସ୍ବାସ୍ଥ୍ୟସେବାରୁ ବଂଚିତ ହେଉଛନ୍ତି । ଉଲ୍ଲେଖଯୋଗ୍ୟ ଯେ ମେଡ଼ିକାଲ କଲେଜ ଓ ଡାକ୍ତରଖାନା ନିର୍ମାଣ ପାଇଁ ୨୦୧୪ ରେ ରାଜ୍ୟ ସରକାର ଓ ଏମ୍ସିଏଲ୍ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା । ଏହାକୁ ତାଳଚେର ନେହରୁ ଶତାବ୍ଦୀ ଡାକ୍ତରଖାନା ନିକଟରେ କରିବା ପାଇଁ ନିଷ୍ପତ୍ତି ହେବା ପରେ ନୂଆ କୋଠା ପାଇଁ ରାଜ୍ୟ ସରକାର ୨୦ ଏକର ଜମି ଯୋଗାଇ ଦେଇଥିଲେ । ଏଠାରେ ୧୦୦ ଟି ଆସନ ବିଶିଷ୍ଟ ଏମବିବିଏସ ପାଠ୍ୟକ୍ରମ ପାଇଁ ପାଠପଢ଼ା ହେବା ସହ ନେହରୁ ଶତାବ୍ଦୀ ଡାକ୍ତରଖାନାକୁ ମିଶାଇ ୫ ଶହ ଶଯ୍ୟା ବିଶିଷ୍ଟ ଏକ ଅତ୍ୟାଧୁନିକ ଡାକ୍ତରଖାନା କାର୍ଯ୍ୟ କରିବ ବୋଲି କୁହାଯାଇଥିଲା । ପରେ ୨୦୧୬ ରେ ମେଡିକାଲ କଲେଜ କୋଠା ନିର୍ମାଣ ଆରମ୍ଭ ହେବା ସହ ୨୦୧୮ ରେ ଶେଷ ହୋଇଥିଲା । ତେଣୁ ୨୦୧୯-୨୦ ବର୍ଷ ରୁ ଏହି ମେଡ଼ିକାଲ କଲେଜରେ ପାଠପଢା ଆରମ୍ଭ ହେବା ସହ ଚିକିତ୍ସା ଆରମ୍ଭ ହେବ ବୋଲି ଆଶା ରହିଥିଲା । ମାତ୍ର, ଏହି ଆଶା ଏବେ ବି ଆଶାରେ ରହିଯାଇଛି । ଏଥିନେଇ ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି ଯେ, ମେଡ଼ିକାଲ କଲେଜ ଚଳାଇବା ପାଇଁ ଟେଣ୍ଡର ଆହ୍ବାନ କରାଯାଇଥିଲା । ଏଥିରେ ଗୋଟିଏ ସଂସ୍ଥାକୁ ଚୟନ କରାଯାଇଛି । ଏଥିନେଇ ଏମଓୟୁ ହେଲା ପରେ ମେଡ଼ିକାଲ କଲେଜ ଆରମ୍ଭ ହେବ ବୋଲି ସେ କହିଛନ୍ତି ।
