ବଲାଙ୍ଗିର : ସାଇବର ଅପରାଧୀମାନେ ଲୋକଙ୍କୁ ଅଭିନବ ଢଙ୍ଗରେ ଲୁଟିବାକୁ ବିଭିନ୍ନ କୌଶଳ ଆପଣାଉଛନ୍ତି । ମୋବାଇଲ ଟାୱାର ଓ ଇ-ବାଇକ, କାର୍ ଚାର୍ଜିଂ ପଏଣ୍ଟ ସ୍ଥାପନ ଭଳି ନାନାଦି ବାହାନାରେ ବିଭିନ୍ନ ସମୟରେ ଲୋକଙ୍କୁ ଭୁଆଁ ବୁଲାଇ ଲୁଟୁଛନ୍ତି । ଏବେ ଇ-ବାଇକ ଗ୍ରାହକଙ୍କ ଉପରେ ସେମାନଙ୍କ ନଜର । ଅନଲାଇନ୍ରେ ଗ୍ରାହକଙ୍କୁ ସବସିଡି ଯୋଗାଇଦେବା ନାଁରେ ବିଭିନ୍ନ ପ୍ରଲୋଭନ ଦେଖାଇ ଲୁଟ୍ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି ।
ପ୍ରକାଶ ଯେ, ବଲାଙ୍ଗିର ସହରର ଜଣେ ଯୁବକ ଏକ ଇ-ବାଇକ କିଣିବାକୁ ନାମିଦାମୀ ଇ-ବାଇକ୍ କମ୍ପାନୀ ସମ୍ପର୍କରେ ଅନଲାଇନ୍ରେ ସର୍ଚ୍ଚ କରୁଥିଲେ । ଉକ୍ତ ସମୟରେ ତାଙ୍କ ମୋବାଇଲ ହ୍ୱାଟସପ୍କୁ ହଠାତ୍ ଏକ ମେସେଜ୍ ଆସିଥିଲା । ଯେଉଁଥିରେ ତାଙ୍କୁ ୪୯୯ ଟଙ୍କା ଜମା କରିବାକୁ ଏକ ଆକାଉଣ୍ଟ ନମ୍ବର ଦିଆଯାଇଥିଲା । ଟଙ୍କା ଜମା କଲା ପରେ ଇ-ବାଇକ ବୁକିଂ ହେବା ସହ ତାଙ୍କୁ କୋଡ଼ିଏ ହଜାର ଟଙ୍କା ସବସିଡି ମିଳିବ ବୋଲି କୁହାଯାଇଥିଲା । ତେବେ ଗ୍ରାହକ ଜଣକ ଉକ୍ତ ଆକାଉଣ୍ଟ ସମ୍ପର୍କରେ ଯାଞ୍ଚ କରିଥିଲେ । ତାହା କୌଣସି କମ୍ପାନୀ ନାଁରେ ନଥାଇ ଜନୈକ ବ୍ୟକ୍ତିଙ୍କ ନାଁରେ ଥିଲା । ତାହା ନକଲି ହୋଇଥିବା ସନ୍ଦେହ କରିଥିଲେ । ହେଲେ ତା’ ପୂର୍ବରୁ ସେ ନିଜର ବ୍ୟାଙ୍କ ବିବରଣୀ, ଆଧାର କାର୍ଡ, ପାନ୍ କାର୍ଡ ଓ ନିଜର ଫଟୋ ଅନଲାଇନରେ ପଠାଇ ସାରିଥିଲେ । ବାରମ୍ବାର ଟଙ୍କା ଜମା କରିବାକୁ ତାଙ୍କ ନିକଟକୁ ମେସେଜ୍ ଆସୁଥିଲା । ଏପରିକି ସାଇବର ଅପରାଧରେ ସଂପୃକ୍ତ ଗୋଷ୍ଠୀ ଭିନ୍ନ ଭିନ୍ନ ନମ୍ବରରୁ ତାଙ୍କ ମୋବାଇଲକୁ ବାରମ୍ବାର ହ୍ୱାଟସପ୍ କଲ୍ କରିଥିଲେ ସୁଦ୍ଧା ସେ ଆଉ ଟଙ୍କା ଜମା କରିନଥିଲେ ।
କେବଳ ଏହି ଜଣେ ଯୁବକ ନୁହେଁ, ବଲାଙ୍ଗିର ସହରରୁ ଗ୍ରାମାଞ୍ଚଚଳର ଲୋକଙ୍କୁ ନାନାଦି ସୁବିଧା ଦେବା ନାଁରେ କବଳିତ କରିବାକୁ ଉଦ୍ୟମ କରୁଛନ୍ତି ସାଇବର ଅପରାଧୀ । ବିଭିନ୍ନ ଫନ୍ଦି ଫିକର କରି ଟଙ୍କା ଲୁଟିବା ପାଇଁ ଜାଲ ବିଛାଉଛନ୍ତି । ସଚେତନ ଲୋକେ ଏଡେଇ ଯାଉଥିବା ବେଳେ ଲୋଭ ଓ ଆଶାୟୀମାନେ ସେମାନଙ୍କ କଥାରେ ହଁ ଭରି ଟଙ୍କା ଦେଇ ହଇରାଣ ହରକତ ହେଉଛନ୍ତି । ନିକଟରେ ବଲାଙ୍ଗିର ସାଇବର୍ ଓ ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁ ସଚେତନ କରିବା ପାଇଁ ପ୍ରଚାରପତ୍ର ବଣ୍ଟା ଯାଇଛି । ସେହିପରି ସାଇବର୍ ଠକଙ୍କ ଠାରୁ ଦୂରେଇ ରହିବାକୁ ବାର୍ତ୍ତା ଜରିଆରେ ସଚେତନ କରାଯାଉଛି । କିନ୍ତୁ ସାଇବର ଠକେଇ ସଂଖ୍ୟା କମିବା ବଦଳରେ ପୁଲିସ ପାଇଁ ଚିନ୍ତାର କାରଣ ହୋଇଛି ।
