ଭୋଟ ବର୍ଜନ ପାଇଁ ନିଷ୍ପତ୍ତି ନେଲେ ପଣ୍ଡଲୋଇ ଆର୍.ଏଣ୍ଡ୍.ଆର୍ କଲୋନୀ ବାସିନ୍ଦା

ରେଙ୍ଗାଲି : ରେଙ୍ଗାଲି ବ୍ଳକର ପଣ୍ଡଲୋଇ ଠାରେ ଥିବା ଆର୍.ଏଣ୍ଡ୍.ଆର୍ କଲୋନୀରେ ଥଇଥାନ ହୋଇଥିବା ଆଦିତ୍ୟ ଆଲୁମିନା ପ୍ରକଳ୍ପର ଶହ ଶହ ପରିବାର ଆଗାମୀ ଦିନରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବର୍ଜନ କରିବା ପାଇଁ ଆଜି ଅନୁଷ୍ଠିତ ଏକ ସଭାରେ ନିଷ୍ପତ୍ତି ନେଇଥିବାର ଜଣାପଡିଛି । ୨୦୧୧ ମସିହାରୁ ଆଦିତ୍ୟ ଆଲୁମିନା ପ୍ରକଳ୍ପ ଯୋଗୁ ବିସ୍ତାପିତ ହୋଇ କଲୋନୀରେ ଥଇଥାନ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଘର ଡିହର ପଟ୍ଟା ଦିଆନଯିବା, ଆର୍.ଏଣ୍ଡ୍.ଆର୍ ପଲିସିର ଚୁକ୍ତି ଅନୁଯାୟୀ ବିସ୍ଥାପିତ ପରିବାର ମଧ୍ୟରୁ ନିଯୁକ୍ତି ଦିଆନଯିବା । ଚାକରି ପାଇଁ ଇଚ୍ଛୁକ ନଥିବା ବିସ୍ଥାପିତଙ୍କୁ ଚାକିରି ବଦଳରେ ଟଙ୍କା ଦିଆନଯିବା । କଲୋନୀରେ ସ୍କୁଲ ଏବଂ ସ୍ୱାସ୍ଥ୍ୟ କେନ୍ଦ୍ରର ବ୍ୟବସ୍ଥା କରାନଯିବା । କଲୋନୀରେ ଥିବା ପୋଖରୀରେ ପାଚେରୀ ନିର୍ମାଣ କରାନଯିବା ଆଦି ସମସ୍ୟାର ପ୍ରତିବାଦରେ କଲୋନୀର ବାସିନ୍ଦା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ରବିବାର କୋଲୋନୀରେ ଏ ସଂକ୍ରାନ୍ତରେ ଏକ ସଭା କରାଯାଇ ସର୍ବ ସମ୍ମତି କ୍ରମେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପହିଛି । ସୋମବାର ଜିଲ୍ଲା ପ୍ରଶାସନକୁ ଏ ସଂକ୍ରାନ୍ତରେ ଲିଖିତ ଆକାରରେ ଜଣାଇ ଦିଆଯିବ ବୋଲି ସଭାରେ ନିଷ୍ପତ୍ତି ନିଆଯାଇଛି । ଏହି ସମସ୍ୟାର ପ୍ରତିକାର ପାଇଁ ବାରମ୍ବାର ପ୍ରଶାସନ ଏବଂ କମ୍ପାନୀ ନିକଟରେ ଦାବୀ କରାଯାଇଥିଲେ ମଧ୍ୟ କୌଣସି ସମଧାନ ହେଉନଥିବାରୁ ଭୋଟ୍ ବର୍ଜନ କରିବାକୁ କଲୋନୀର ବାସିନ୍ଦା ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଥିବା କହିଛନ୍ତି ।

Leave a Reply

Your email address will not be published. Required fields are marked *