ବଡ଼ମ୍ବା : ଲଘୁଚାପ ଜନିତ ଲଗାଣ ବର୍ଷା ଏବଂ ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ଦ୍ୱାରା ମହାନଦୀର ଜଳସ୍ତର ବଢୁଛି । ଶନିବାର ଅପରାହ୍ଣ ପ୍ରାୟ ସାଢେ ୪ଟା ସମୟରେ ବନ୍ୟାଜଳ ମହାନଦୀକୂଳ ପ୍ରସିଦ୍ଧ ମା’ ଭଟ୍ଟାରିକାଙ୍କ ପୀଠରେ ପ୍ରବେଶ କରିଛି । ମନ୍ଦିର ମୁଖଶାଳା ସମ୍ମୁଖ ନଦୀକୁ ପଡ଼ିଥିବା ସମସ୍ତ ପାହାଚ ବନ୍ୟାଜଳରେ ବୁଡ଼ିଯାଇଛି । ନଦୀ ଗର୍ଭରୁ ପ୍ରାୟ ୪୦ ଫୁଟ ଉଚ୍ଚର ବନ୍ୟାଜଳ ମନ୍ଦିର ଚଟାଣ ଦେଇ ପ୍ରବାହିତ ହେଉଛି । ଫଳସ୍ୱରୁପ ବିଳମ୍ବିତ ରାତିରେ ମନ୍ଦିର ଗର୍ଭଗୃହ ଭିତରକୁ ବନ୍ୟାଜଳ ପ୍ରବେଶ କରିବା ଆଶଂକା ପ୍ରକାଶପାଇଛି । ପରିସ୍ଥିତି ଉପରେ ସ୍ଥାନୀୟ ଦେବୋତ୍ତର ବିଭାଗ ଏବଂ ମନ୍ଦିର ସେବାସୀମାନେ ଅହରହ ନଜର ରଖିଛନ୍ତି । ଅପରପକ୍ଷରେ ଯଦି ବିଳମ୍ବିତ ରାତିରେ ମନ୍ଦିରରେ ବନ୍ୟାଜଳ ପ୍ରବେଶ କରେ ତେବେ ପୂର୍ବବିଧି ଅନୁଯାଇ ମା’ ଭଟ୍ଟାରିକାଙ୍କ ଚଳନ୍ତି ପ୍ରତିମା ନିକଟସ୍ଥ ପାହାଡ଼ ଉପରେ କରାଯାଇଥିବା ଅସ୍ଥାୟୀ ମନ୍ଦିରକୁ ବିଜେ କରାଯିବ ବୋଲି ଦେବୋତ୍ତର ପରିଚାଳକ ବିପନୀ ପୂର୍ବାରା ଏବଂ ପ୍ରମୁଖ ପୂଜକ ଶିରିଶ ରଣା କହିଛନ୍ତି । ମହାନଦୀରେ ବଢିର ମନୋରମ ଦୃଶ୍ୟ ଏବଂ ମା ଭଟ୍ଟାରିକାଙ୍କ ଦର୍ଶନଲାଗି ଅପରାହ୍ଣରେ ବହୁସଂଖ୍ୟାରେ ଦର୍ଶକ ଏବଂ ଶ୍ରଦ୍ଧାଳୁଙ୍କ ସମାଗମ ମନ୍ଦିର ବେଢାରେ ଦେଖିବାକୁ ମିଳିଛି ।
