ଭୁବନେଶ୍ବର : ଆସନ୍ତା ୨୧ ତାରିଖରୁ ରାଜ୍ୟରେ ଆରମ୍ଭ ହେବ ଇଣ୍ଟିଗ୍ରେଟେଡ୍ ମ୍ୟାଲେରିଆ, ଡେଙ୍ଗୁ, ଡାଇରିଆ, ଯକ୍ଷ୍ମା, କୁଷ୍ଠ ଓ କୋଭିଡ ରୋଗୀଙ୍କୁ ଚିହ୍ନଟ ଅଭିଯାନ । ଜୁନ୍ ୨୧ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ସେପ୍ଟେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । କାର୍ଯ୍ୟକ୍ରମ ଅଧୀନରେ ଆଶା କର୍ମୀମାନେ ଘରକୁ ଘର ବୁଲି ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଖୋଜିବା ସହିତ ଲୋକମାନଙ୍କୁ ସଚେତନ କରିବେ । ଏଥିପାଇଁ ଜାତୀୟ ସ୍ବାସ୍ଥ୍ୟ ମିସନ୍ ପକ୍ଷରୁ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଜାରି ହୋଇଛି । ପୂର୍ବରୁ ମଧ୍ୟ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏଭଳି ଅଭିଯାନ ଆଗୁଆ ରୋଗୀଙ୍କୁ ଚିହ୍ନଟ କରିବାରେ ବେଶ୍ ଫଳପ୍ରଦ ହୋଇଥିଲା ।
କିଭଳି ଢଙ୍ଗରେ ଏସବୁ ରୋଗୀ ସ୍କ୍ରିନିଂ କରାଯିବ ଏଥିପାଇଁ ଏନ୍ଏଚ୍ଏମ୍ ପକ୍ଷରୁ ଏକ ଗାଇଡଲାଇନ୍ ପ୍ରସ୍ତୁତ କରାଯାଇଛି । ୩ ମାସ ଏହି ଅଭିଯାନରେ ପ୍ରଥମ ୨ ମାସ ଆଶା କର୍ମୀ ଘରକୁ ଘର ବୁଲି ସନ୍ଦିଗ୍ଧ ରୋଗୀଙ୍କୁ ଚିହ୍ନଟ କରିବେ । ତୃତୀୟ ମାସରେ ଯେଉଁ ରୋଗୀ ଚିହ୍ନଟ ହୋଇଥିବେ ସେମାନଙ୍କର ସ୍ଥିତି ଅନୁଧ୍ୟାନ କରିବେ । ସପ୍ତାହକୁ ଅତିକମ୍ରେ ୩ ଦିନ ଏହି କାର୍ଯ୍ୟକ୍ରମ ହେବା ସହିତ ପ୍ରତିଦିନ ୮/୧୦ଟି ଘରକୁ ବୁଲିବେ । ଏଥିରେ ଆଶା କର୍ମୀଙ୍କୁ ସହାୟତା କରିବେ ମୋବାଇଲ ହେଲ୍ଥ ୟୁନିଟ୍(ଏମ୍ଏଚ୍ୟୁ) ଓ ମୋବାଇଲ ହେଲ୍ଥ ଟିମ୍(ଏମ୍ଏଚ୍ଟି) । ଯେଉଁ ଘରେ ଡାଇରିଆ ରୋଗୀ ଚିହ୍ନଟ ହେବେ ସେମାନଙ୍କୁ ଓଆରଏସ୍ ଓ ଜିଙ୍କ ପ୍ରଦାନ କରାଯିବ ।
ରାଜ୍ୟରେ ଏବେ କୋଭିଡ ସଂକ୍ରମଣରେ ବୃଦ୍ଧି ଘଟିଛି । ତେଣୁ ଯେଉଁମାନଙ୍କର ଆଇଏଲଆଇ ଓ ଏସ୍ଏଆରଆଇ ଲକ୍ଷଣ ରହିଥିବ ସେମାନଙ୍କୁ ଚିହ୍ନଟ କରି ନିକଟସ୍ଥ ପିଏଚ୍ସି/ସିଏଚ୍ସିକୁ ରାଟ୍ ଟେଷ୍ଟ ପାଇଁ ପଠାଇବେ । ଯେଉଁମାନେ କୋଭିଡ ଟିକା ନେଇ ନ ଥିବେ ସେମାନଙ୍କୁ ଟିକା ନେବା ପାଇଁ ଆଶା କର୍ମୀ ସଚେତନ କରିବେ । ସେହିପରି ମ୍ୟାଲେରିଆ ସନ୍ଦିଗ୍ଧଙ୍କ ଆରଡିଟି ଜରିଆରେ ପରୀକ୍ଷା କରାଯିବା ସହିତ ମଶାର ଉତ୍ସକୁ ଚିହ୍ନଟ କରାଯାଇ ନଷ୍ଟ କରିବା ପାଇଁ ପଦକ୍ଷେପ ନିଆଯିବ । ଔଷଧୀୟ ମଶାରୀ ବଣ୍ଟନ ସହିତ ଲିମ୍ଫୋଡେମା ଓ ହାଇଡ୍ରୋସିଲ୍ ରୋଗୀଙ୍କୁ ଚିହ୍ନଟ କରିବା ଲାଗି ପଦକ୍ଷେପ ନେବାକୁ କୁହାଯାଇଛି । ୨ ସପ୍ତାହରୁ ଅଧିକ ସମୟ ଧରି କାଶ ସହିତ ଓଜନ ହ୍ରାସ, ରାତିରେ ଝାଳ ବୋହିବା ଆଦି ଲକ୍ଷଣ ଥିବା ବ୍ୟକ୍ତିଙ୍କ ସ୍କ୍ରିନିଂ କରାଯିବ । କୋଭିଡରୁ ସୁସ୍ଥ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟ ଯକ୍ଷ୍ମା ପରୀକ୍ଷା କରାଯିବ । ଏହାସହ ସ୍କ୍ରିନିଂ ସମୟରେ ଯଦି କୌଣସି ବ୍ୟକ୍ତି କୁଷ୍ଠରେ ଆକ୍ରାନ୍ତ ଥିବା ସନ୍ଦେହ ଉପୁଜିବ ତାଙ୍କୁ ତୁରନ୍ତ ନିକଟସ୍ଥ ପିଏଚ୍ସି/ସିଏଚ୍ସିକୁ ପରବର୍ତୀ ସ୍କ୍ରିନିଂ ପାଇଁ ପଠାଇବାର ବ୍ୟବସ୍ଥା କରିବେ ।
ଗାଇଡଲାଇନ୍ ଅନୁସାରେ ଯେଉଁ ଅଞ୍ଚଳରେ ଅଧିକ ସଂଖ୍ୟାରେ ଏହି ଆକ୍ରାନ୍ତମାନେ ଚିହ୍ନଟ ହେବ ସେଠାରେ ଇଣ୍ଟିଗ୍ରେଟେଡ୍ ଆଇଇସି କର୍ଣ୍ଣର/କିଓସ୍କ ପ୍ରତିଷ୍ଠା କରାଯିବ । ହାତ ଧୋଇବା, ପରିମଳ, ମ୍ୟାଲେରିଆ, ଡେଙ୍ଗୁ ନିୟନ୍ତ୍ରଣ ଆଦିର ପୋଷ୍ଟର ଲଗାଇବାକୁ ନିର୍ଦେଶ ରହିଛି । ଏଥିପାଇଁ ରାଜ୍ୟ, ଜିଲ୍ଲା, ବ୍ଲକ୍ ଓ ଆଶା କର୍ମୀଙ୍କ ତାଲିମ କାର୍ଯ୍ୟକ୍ରମ କରିବା ପାଇଁ କୁହାଯାଇଛି । ରାଜ୍ୟସ୍ତରରେ ଏକ ଟିମ୍ ପ୍ରତି ମାସରେ ଗୋଟିଏ ଜିଲ୍ଲାକୁ ପରିଦର୍ଶନ କରିବା ସହିତ ଅଭିଯାନର ତଦାରଖ କରିବେ ।
