୪ ମାଙ୍କଡ଼ ନଚାଳି ଅଟକ ; ୫ ପୋଷା ମାଙ୍କଡ଼ ଉଦ୍ଧାର

ବୈଶିଙ୍ଗା : ବୈଶିଙ୍ଗା ଥାନା ଅଧୀନ ଦାହିବାଡ଼ି ହାଟ ପଡ଼ିଆରୁ ୫ ପୋଷା ମାଙ୍କଡ଼କୁ ଉଦ୍ଧାର କରିବା ସହିତ ମାଙ୍କଡ଼ ପୋଷିଥିବା ୪ ବଙ୍ଗୀୟ ଯୁବକଙ୍କୁ ଅଟକ ରଖିଛି ବନ ବିଭାଗ । ସୂଚନା ମୁତାବକ ପଶ୍ଚିମବଙ୍ଗରୁ ଆସିଥିବା କିଛି ଯୁବକ ଦାହିବାଡ଼ି ହାଟ ପଡ଼ିଆରେ ଥିବା ଚାଳିଆ ଘରେ ରହିବା ସହ ଆଖପାଖ ଅଞ୍ଚଳରେ ମାଙ୍କଡ଼ ନାଚ ଦେଖାଇବା ସହିତ ବିଭିନ୍ନ ପ୍ରକାର ଚେରମୂଳି ଔଷଧ ବିକି ଗୁଜୁରାଣ ମେଣ୍ଟାଉଥିଲେ ।

ଏ ସମ୍ପର୍କରେ ଖବର ପାଇ ବେତନଟୀ ରେଞ୍ଜର ଘନାଶ୍ୟାମ ସିଂଙ୍କ ନିର୍ଦ୍ଦେଶରେ ବୈଶିଙ୍ଗା ବନପାଳ ଦୁଲାଲ ଚନ୍ଦ୍ର ଦିଗାର ଓ ବନରକ୍ଷୀ ଜୟନ୍ତୀ ପାତ୍ର ପହଞ୍ଚି ମାଙ୍କଡ଼ଗୁଡ଼ିକୁ ଉଦ୍ଧାର କରିବା ସହ ମାଙ୍କଡ଼ ନଚାଳିଙ୍କୁ ଅଟକ ରଖିଛନ୍ତି । ସେମାନେ ହେଲେ ପଶ୍ଚିମବଙ୍ଗ ରାଜ୍ୟ ହବଡ଼ା ଥାନା ଅଞ୍ଚଳର ରବିକୁଲ ମଲ, ସକୀର ମଲ, ସବିକୁଲ ମଲ ଓ ରୁବେଲ ମଲ। ଉଦ୍ଧାର ମାଙ୍କଡ଼ଗୁଡିକ ମଧ୍ୟରୁ ୪ଟି ମାଙ୍କଡ଼କୁ ବେତନଟୀ ପାଖ ଜଙ୍ଗଲରେ ଛଡ଼ା ଯାଇଥିବା ବେଳେ ଗୋଟିଏ ମାଙ୍କଡ଼ ଘଟଣାସ୍ଥଳରୁ ଖସିଯାଇଥିଲା । ପରେ ତାକୁ ଉଦ୍ଧାର କରି କ୍ଷୀରପଦା ଜଙ୍ଗଲରେ ଛଡ଼ାଯିବା ସହ ଓ ଅଟକ ଯୁବକମାନଙ୍କୁ ଚେତାବନୀ ଦେଇ ଛାଡ଼ି ଦେଇଛି ବନ ବିଭାଗ ।

Leave a Reply

Your email address will not be published. Required fields are marked *