ଉପର ମୁଣ୍ଡରେ ଅସମ୍ଭାଳ ସ୍ଥିତି, ମହାନଦୀରେ ବନ୍ୟା ଆଶଙ୍କା

ଭୁବନେଶ୍ବର : ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି । ଏହା ଘନୀଭୂତ ହୋଇ ଆସନ୍ତା ୨୪ ଘଣ୍ଟାରେ ଅବାପାତ ରୂପ ନେବ। ଏହା ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲାରେ ବର୍ଷା ଲାଗି ରହିଛି । ତେବେ ଆଜି ଠାରୁ ଦୁଇଦିନ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ଏବେ ରାଜ୍ୟବାସୀଙ୍କ ଚିନ୍ତା ବଢାଇଛି । ଏଭଳି ସ୍ଥିତିରେ ଛନକା ବଢାଇଛି ମହାନଦୀ । ମହାନଦୀରେ ଏକ ଛୋଟ ବନ୍ୟା ଆସୁଛି ବୋଲି ଖୋଦ୍‌ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ଶନିବାର ସୂଚନା ଦେଇଛନ୍ତି । ଛତିଶଗଡ଼ରେ ସପ୍ତାହେ ଧରି ଲଗାଣ ବର୍ଷା ଯୋଗୁଁ ସେଠାରେ ବନ୍ୟା ପରିସ୍ଥିତି ଉପୁଜିଛି । ମହାନଦୀ ସମେତ ଶିବନାଥ, ସୁରହୀ ଓ ସକରୀ ଆଦି ନଦୀ ଫୁଲିବାରେ ଲାଗିଛି । ଉପରମୁଣ୍ଡରେ ମହାନଦୀ ଫୁଲୁ ଥିବାରୁ ହୀରାକୁଦରେ ଜଳପତ୍ତନ ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଶନିବାର ସନ୍ଧ୍ୟା ସୁଦ୍ଧା ହୀରାକୁଦର ୩୪ଟି ଫାଟକ ଖୋଲାଯାଇଛି । ଅଧିକରୁ ଅଧିକ ଜଳ ନିଷ୍କାସନ ଲାଗି ହୀରାକୁଦ ଉପରେ ମଧ୍ୟ ଚାପ ବଢୁଛି ।

ଶ୍ରୀ ମିଶ୍ର କହିଛନ୍ତି, ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମ୍‌ ଉପରେ ଚାପ ପଡ଼ୁଛି । ହୀରାକୁଦର ଅଧିକ ଗେଟ୍ ଖୋଲିବା ପାଇଁ ଛତିଶଗଡ଼ର ଜଳସମ୍ପଦ ବିଭାଗ ଅଧିକାରୀମାନେ ଚାପ ପକାଉଛନ୍ତି । ୧୫ ତାରିଖ ସକାଳ ୮ଟା ସୁଦ୍ଧା ହୀରାକୁଦ ଛାଡିଥିବା ପାଣି କଟକର ମୁଣ୍ଡଳି ଅତିକ୍ରମ କରିବ । ଏହି ସମୟରେ ଏଠାରେ ୭ଲକ୍ଷ ରୁ ୮ଲକ୍ଷ କ୍ୟୁସେକ୍ ବନ୍ୟାପାଣି ଅତିକ୍ରମ କରିପାରେ । ୨୮ଟି ରୁ ଅଧିକ ଗେଟ୍ ଖୋଲା ହେଲେ ସାଧାରଣତଃ ବନ୍ୟା ଆଶଙ୍କା କରାଯାଇଥାଏ । ଏବେ ୩୪ଟି ଫାଟକ ଖୋଲାଯାଇଛି । ତେଣୁ ତଳମୁଣ୍ଡରେ ଥିବା ଗ୍ରାମଗୁଡ଼ିକୁ ସତର୍କ କରାଯାଇଛି । ଆବଶ୍ୟକ ସ୍ଥଳେ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଜିଲା ପ୍ରଶାସନମାନଙ୍କୁ ନିର୍ଦେଶ ଦିଆଯାଇଛି । ବିଭାଗୀୟ ବରିଷ୍ଠ ଅଧିକାରୀମାନଙ୍କୁ ପ୍ରଭାବିତ ହେବାକୁ ଥିବା ଜିଲାକୁ ପଠାଯାଉଛି । ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜଳସମ୍ପଦ ବିଭାଗ ପକ୍ଷରୁ ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲକରି ଦିଆଯାଇଛି । ସତର୍କ ରହି ନିର୍ଦ୍ଦେଶ ମୁତାବକ କାମ କରିବାକୁ ସମସ୍ତଙ୍କୁ କୁହାଯାଇଛି । ଦୁର୍ବଳ ନଦୀବନ୍ଧ ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଭାଗରେ ସ୍ବତନ୍ତ୍ର ନିୟନ୍ତ୍ରଣ କକ୍ଷ ଖୋଲାଯାଇ ପରିସ୍ଥିତି ଉପରେ ନଜର ରଖାଯାଇଥିବା ଶ୍ରୀ ମିଶ୍ର କହିଛନ୍ତି ।

ଅନ୍ୟପକ୍ଷରେ ବ୍ରାହ୍ମଣୀ ଓ ଜଳକା ଦୁଇଟି ସ୍ଥାନରେ ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି । ଭଦ୍ରକର ଆଖୁଆପଦାରେ ବୈତରଣୀ ଓ ମଥାନୀ ଠାରେ ଜଳକା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ସେହିଭଳି ସୁବର୍ଣ୍ଣରେଖା, ଇବ୍‌, ଦେବୀ ଆଦି ନଦୀର ଜଳସ୍ତର ବଢୁଥିବାବେଳେ ଋଷିକୁଲ୍ୟା ଓ ବଂଶଧାରା ନଦୀଜଳ ଖସୁଛି।ହୀରାକୁଦ ବନ୍ୟାଜଳ ମହାନଦୀ ଓ ଏହାର ଶାଖା ନଦୀ ଗୁଡିକରେ ପ୍ରବେଶ କରି ବନ୍ୟା ଆଶଙ୍କା ବଢାଇଥିବାରୁ ନଦୀ କୂଳିଆ ଲୋକଙ୍କ ଚିନ୍ତା ବଢିଯାଇଛି । ମହାନଦୀରେ ଅଧିକରୁ ଅଧିକ ପାଣି ଆସିବା ଫଳରେ ସମ୍ବଲପୁର-ସୋନପୁର ରାସ୍ତାର ଗୁଣ୍ଡେରପୁରର ମାଳତୀ ଯୋର ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଶହ ଶହ ବସ୍ ଓ ଭାରୀଯାନ ଚଳାଚଳ ଉଭୟ ପଟେ ଅଟକି ରହିଛନ୍ତି ।

ଅନ୍ୟପକ୍ଷରେ ଆସନ୍ତାକାଲି ରାଜ୍ୟର ୭ଟି ଜିଲାରେ ଅତିପ୍ରବଳ ଓ ୧୫ଟି ଜିଲାରେ ପ୍ରବଳବର୍ଷା ସମ୍ଭାବନା ରହିଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ଯାଜପୁର ଓ ଭଦ୍ରକ ଜିଲାକୁ ଲାଲ ସତର୍କ ସୂଚନା (ରେଡ୍‌ ୱାର୍ଣ୍ଣିଂ) ଏବଂ ଖୋର୍ଦ୍ଧା, ନୟାଗଡ଼, ଗଜପତି, ଗଞ୍ଜାମ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ, ସମ୍ୱଲପୁର, ସୋନପୁର, ବରଗଡ଼, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ ଓ ରାୟଗଡ଼ା ଜିଲା ପାଇଁ କମଳା ରଙ୍ଗର ସତର୍କ ସୂଚନା ଜାରି କରାଯାଇଛି । ବିଭାଗରେ ସ୍ବତନ୍ତ୍ର ନିୟନ୍ତ୍ରଣ କକ୍ଷ ଖୋଲାଯାଇ ପରିସ୍ଥିତି ଉପରେ ନଜର ରଖାଯାଇଛି । ସ୍ବତନ୍ତ୍ର ରିଲିଫ ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ସବୁ ଜିଲାପାଳଙ୍କୁ ସଜାଗ କରାଯାଇ ଥିବାବେଳେ ପ୍ରବଳ ବର୍ଷା ହେବାକୁ ଥିବା ଉପରୋକ୍ତ ୭ ଜିଲାର ଜିଲାପାଳଙ୍କୁ ସତର୍କ ସୂଚନା ଦିଆଯାଇଛି ।

ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ବୁଲେଟିନ୍‌ ଅନୁସାରେ ଆସନ୍ତାକାଲି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଉପରୋକ୍ତ ୭ ଜିଲାରେ କେତେକ ସ୍ଥାନରେ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ସବୁ ଜିଲାରେ ୨୦ସେମି ରୁ ଅଧିକ ବର୍ଷା ହୋଇପାରେ । ଏହା ବ୍ୟତୀତ ଅନ୍ୟ ୧୫ ଜିଲାର କେତେକ ସ୍ଥାନରେ ୧୨ ରୁ ୨୦ ସେ.ମି ପର୍ଯ୍ୟନ୍ତ ବର୍ଷା ହୋଇପାରେ । ସେହିପରି ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ନୂଆପଡ଼ା, ବଲାଙ୍ଗିର, ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟ ଜିଲାରେ ମଧ୍ୟ ୭ ରୁ ୧୧ ସେମି ପର୍ଯ୍ୟନ୍ତ ବର୍ଷା ହୋଇପାରେ । ଏସବୁ ଜିଲା ଲାଗି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେହିଭଳି ୧୪ ତାରିଖ ସକାଳ ସାଢ଼େ ୮ଟା ରୁ ୧୫ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, ସୋନପୁର, ବୌଦ୍ଧ, ବରଗଡ଼, ଅନୁଗୋଳ, ସମ୍ୱଲପୁର, ଝାରସୁଗୁଡ଼ା ଓ ଦେବଗଡ଼ ଜିଲାରେ କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନାକୁ ଦେଖି ଲାଲ୍‌ ସତର୍କ ସୂଚନା ଜାରି କରାଯାଇଛି । ଏହାଛଡ଼ା ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, କଟକ, ନୟାଗଡ଼, କନ୍ଧମାଳ, ରାୟଗଡ଼ା, ନବରଙ୍ଗପୁର,କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

୫ ଘଣ୍ଟାର ମୂଷଳଧାର ବର୍ଷା ସହ ସମ୍ବଲପୁର ସହରର ସ୍ଥିତି ଅତ୍ୟନ୍ତ ସଙ୍ଗୀନ ହୋଇ ପଡିଛି । ସହରର ଅଧିକାଂଶ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି । ସହରତଳି ଅଞ୍ଚଳ ପାଣିରେ ବୁଡି ରହିଛି । ସହରର କେନ୍ଦ୍ରସ୍ଥଳୀରେ ଥିବା ହୀରାକୁଦ କଲୋନୀ, ବିନାଖଣ୍ଡି, ଗୋପାଳମାଳ, ମୁଦିପଡା ଲେବର କଲୋନୀ, ଚାରଭାଟି, ସାରସ୍ବତ କଲୋନୀ, ପୁଟିବନ୍ଧ, ଦୁର୍ଗାପାଲି, ମୋତିଝରନ, ଦଶମତି କଲୋନୀ, ବରେଇପାଲି ଆଦି ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ୟା ପୀଡିତ ଅଞ୍ଚଳର ପରିବାରକୁ ବିଭିନ୍ନ ବନ୍ୟା ଆଶ୍ରୟସ୍ଥଳୀରେ ଥଇଥାନ କରାଯାଇଛି । ଶନିବାର ସନ୍ଧ୍ୟା ସୁଦ୍ଧା ୧୧୮୩ଜଣଙ୍କୁ ସ୍ଥାନାନ୍ତରିତ କରାଯାଇଥିବା ଜିଲା ପ୍ରଶାସନ ସୂତ୍ରରୁ ପ୍ରକାଶ ।

Leave a Reply

Your email address will not be published. Required fields are marked *