ପୁରୀ : ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର ଖୋଲିବା ପାଇଁ ତେଜିଲା ଦାବି । ୧୦ ଦିନ ମଧ୍ୟରେ ରତ୍ନଭଣ୍ଡାର ନଖୋଲିଲେ ଶ୍ରୀମନ୍ଦିର ସାମ୍ନାରେ ଧାରଣା । ଏଭଳି କିଛି ଅଲଟିମେଟମ ଦେଇ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି ଆବେଦନକାରୀ ଅଭିଷେକ ଦାସ । ପୂର୍ବରୁ ଅଭିଷେକ ଦାସ ପିଟିସନର ଭାବେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା କରିଛନ୍ତି । ଜଗମୋହନ ମରାମତି ଓ ରତ୍ନଭଣ୍ଡାର ଖୋଲିବା ନେଇ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି ।
ତାଙ୍କ ମାମଲା ଉପରେ ବିଚାର କରି ହିଁ ହାଇକୋର୍ଟ ଆମିକସ୍ କ୍ୟୁରୀଙ୍କୁ ପୁରୀକୁ ଯିବାକୁ ନିର୍ଦ୍ଦେଶ ଦେଇଥିଲେ । ଶ୍ରୀମନ୍ଦିର ରତ୍ନଭଣ୍ଡାର କାନ୍ଥ ଦୁର୍ବଳ ହୋଇପଡିଥିବା ନେଇ ଏଏସଆଇର ଚିଠି ମଧ୍ୟ ସାମ୍ନାକୁ ଆସିଛି । ୮ ଅଗଷ୍ଟ ୨୦୨୨ରେ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଛି ଏଏସଆଇର ଭୁବନେଶ୍ୱର କାର୍ଯ୍ୟାଳୟ । ଏଥିରେ ଲେଖାଯାଇଛି, ହାଇକୋର୍ଟଙ୍କ ନିର୍ଦ୍ଦେଶରେ ୨୦୧୮ ମାର୍ଚ୍ଚ ୨୬ ତାରିଖରେ ଏକ ବୈଷୟିକ ବିଶେଷଜ୍ଞ କମିଟି ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ କରିବାକୁ ଯାଇଥିଲେ । ହେଲେ ଭିତର ରତ୍ନଭଣ୍ଡାରକୁ ପ୍ରବେଶ ଅନୁମତି ନମିଳିବାରୁ କେବଳ ବାହାରୁ ସ୍ଥିତିର ଅନୁଧ୍ୟାନ କରିଥିଲେ ।
ତେବେ କେତେକ ସ୍ଥାନରେ କାନ୍ଥର ପ୍ଲାଷ୍ଟର ଦୁର୍ବଳ ହୋଇଯାଇଛି ବୋଲି କମିଟି ଅନୁଭବ କରିଥିଲେ । ବାହାରୁ କାନ୍ଥରେ ଆଘାତ କଲେ ଫମ୍ପା ଶବ୍ଦ ଶୁଣାଯାଉଛି । ତେଣୁ ପ୍ରକୃତରେ ରତ୍ନଭଣ୍ଡାର କାନ୍ଥର ସ୍ଥିତି କିଭଳି ଅଛି ତାହା ଭିତରୁ ଅନୁଧ୍ୟାନ କରିଲେ ହିଁ ଜଣାପଡିବ । ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ଭିତର ରତ୍ନଭଣ୍ଡାରକୁ ଯାଇ ଅନୁଧ୍ୟାନ କରିବା ପାଇଁ ଅନୁମତି ଦେବାକୁ ଏହି ଚିଠିରେ ଉଲ୍ଲେଖ କରାଯାଇଛି । ଏହି ଚିଠିକୁ ଆଧାର କରି ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ଦାବି ଉଠିଛି ।
