ସରକାରୀ ହସ୍ପିଟାଲର ସଙ୍ଗୀନ ଚିତ୍ର, ଆର୍‌ଜିଏଚ୍‌ ରେ ତଳେ ଶୋଉଛନ୍ତି ରୋଗୀ

ସୁନ୍ଦରଗଡ଼ : ସରକାରୀ ହସ୍ପିଟାଲର ସଙ୍ଗୀନ ଚିତ୍ର । ଆର୍‌ଜିଏଚ୍‌ ରେ ତଳେ ଶୋଉଛନ୍ତି ରୋଗୀ । ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲର ସମାନ ମାନ୍ୟତା ପାଇଛି ରାଉରକେଲା ସରକାରୀ ଡାକ୍ତରଖାନା । ସୁନ୍ଦରଗଡ଼ ସମେତ ସୀମାବର୍ତ୍ତୀ ପଡ଼ୋଶୀ ଝାଡ଼ଖଣ୍ଡ ଓ ଛତିଶଗଡ଼ ରୋଗୀଙ୍କର ଏକମାତ୍ର ଭରସା ।

୨୭୬ ବେଡ୍‌ ବିଶିଷ୍ଟ ଆର୍‌ଜିଏଚ୍‌ରେ ଦୈନିକ ଭର୍ତ୍ତି ହେଉଛନ୍ତି ୪୦୦ ରୁ ଅଧିକ ରୋଗୀ । ସ୍ଥିତି ଏମିତି ଉପୁଜୁଛି ଯେ, ବେଡ ଅଭାବରୁ ଅନେକ ଗୁରୁତର ରୋଗୀ ବେଡ୍‌ ତଳ ଚଟାଣରେ ଶୋଇବାକୁ ବାଧ୍ୟ ହେଉଛନ୍ତି । ୧୦ କି ୨୦ ଜଣ ରୋଗୀ ନୁହଁନ୍ତି, ପ୍ରତ୍ୟେକ ଦିନ ଶତାଧିକ ରୋଗୀଙ୍କୁ ଚଟାଣରେ ଶୋଇ ଚିକିତ୍ସିତ ହେଉଛନ୍ତି ।

ସୁନ୍ଦରଗଡ଼ ଜିଲ୍ଲା ସମେତ ଏହି ଡାକ୍ତରଖାନା ଉପରେ ନିର୍ଭରଶୀଳ ଝାଡ଼ଖଣ୍ଡ, ବିହାର ଓ ଛତିଶଡର ଅନେକ ରୋଗୀ ଏହି ସମାନ ଦଶା ‌ଭୋଗୁଛନ୍ତି । ଆର୍‌ଜିଏଚ୍‌ ପକ୍ଷରୁ ପ୍ରତ୍ୟେକ ବିଭାଗରେ ଯେତିକି ବେଡ୍‌ ପଡିଛି, ହସ୍ପିଟାଲ ପକ୍ଷରୁ ଆହୁରି କିଛି ଅଧିକ ବେଡ୍‌ର ବ୍ୟବସ୍ଥା କରାଯାଇଛି । କିନ୍ତୁ ଏହା ସମୁଦ୍ରକୁ ଶଙ୍ଖେ ପରି ହୋଇଛି । ହସ୍ପିଟାଲ କର୍ତ୍ତୃପକ୍ଷ ବିଭାଗୀୟ ଅଧିକାରୀଙ୍କୁ ଚିଠି ଲେଖି କାମ ସାରି ଦେଉଛନ୍ତି ।

କିନ୍ତୁ ସରକାର ଚୁପ୍‌ ରହୁଛନ୍ତି । ଆଜି ଯାଏ ବେଡ୍‌ ସଂଖ୍ୟା ବୃଦ୍ଧି ପାଇଁ କୌଣସି ପଦକ୍ଷେପ ନିଆଯାଇ ନାହିଁ । ୨୦୧୯ ଅକ୍ଟୋବର ୨୮ରେ ଆର୍‌ଜିଏଚ୍‌କୁ ୪୦୦ ଶଯ୍ୟା ଡାକ୍ତରଖାନା କରାଗଲା ବୋଲି ସରକାର ଘୋଷଣା କଲେ । ଏ ସମ୍ପର୍କିତ ଚିଠି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆର୍‌ଜିଏଚ୍‌ ନିର୍ଦ୍ଦେଶକଙ୍କ ପାଖକୁ ଆସିଲା । କିନ୍ତୁ କିଛି ହେଲାନି । ଇତି ମଧ୍ୟରେ ଦୁଇ ବର୍ଷ ବିତିଥିଲେ ମଧ୍ୟ ବଢ଼ୁଛି ଲୋକଙ୍କ ଦୁର୍ଦ୍ଦଶା ।

Leave a Reply

Your email address will not be published. Required fields are marked *