ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ନେଇ ଚିନ୍ତା ବଢୁଛି, ସୀମା ଗଳାବାଟ ଦେଇ ପ୍ରବେଶ କରୁଥିବା ସୂଚନା

ଜଳେଶ୍ବର : ଦେଶରେ ମହାମାରୀର ତୃତୀୟ ଲହର ଆରମ୍ଭ ହୋଇ ଯାଇଥିବାବେଳେ ଗତ ୩/୪ ଦିନ ହେଲା କୋଲକାତାରେ ରହୁଥିବା ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ ଜିଲ୍ଲାର ଲୋକମାନେ ବସ୍‌, ଟ୍ରେନ୍‌ରେ ଗାଁ ମୁହାଁ ହେଉଥିବା ଦେଖିବାକୁ ମିଳୁଛି । ତେବେ ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ କୌଣସି ସରକାରୀ କଟକଣା ନ ଥିବାରୁ ଆଗାମୀ ଦିନରେ ବାଲେଶ୍ବର ସମେତ ଭଦ୍ରକ, ମୟୂରଭଞ୍ଜ ଜିଲ୍ଲାରେ କୋଭିଡ୍‌ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ସବୁଠାରୁ ବଡ଼କଥା ହେଉଛି, ପଶ୍ଚିମବଙ୍ଗର ୯୦ ଟି ଗାଁ ସୀମା ଓଡ଼ିଶାକୁ ଲାଗିରହିଛି । ଅନୁରୂପ ଭାବେ ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ଜଳେଶ୍ବର, ଭୋଗରାଇର ୮୨ ଟି ଗାଁ ପଡ଼ୋଶୀ ପଶ୍ଚିମବଙ୍ଗକୁ ଲାଗି ରହିଥିବାବେଳେ ଏହିସବୁ ଗାଁଗୁଡ଼ିକରୁ ପ୍ରତିଦିନ ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଏବଂ ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଲୋକେ ଅବାଧରେ ଯାତାୟାତ କରୁଛନ୍ତି । ବିଶେଷକରି ଓଡ଼ିଶାର ସୀମାନ୍ତ ଅଞ୍ଚଳରେ ଫେରି ବ୍ୟବସାୟ ପାଇଁ ପଶ୍ଚିମବଙ୍ଗରୁ ବହୁସଂଖ୍ୟାରେ ବ୍ୟବସାୟୀ ଆସୁଥିବା ବେଳେ ସେମାନଙ୍କ ଉପରେ କୌଣସି କଟକଣା ନାହିଁ । ଏହି କାରଣରୁ ୨୦୨୦ ଓ ୨୦୨୧ ରେ ଓଡ଼ିଶାର ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡ଼ିକରେ କରୋନା ସଂକ୍ରମଣ ହାର ବୃଦ୍ଧି ପାଇବା ସହ ଅନେକ ଲୋକ ମୃତ୍ୟୁବରଣ ମଧ୍ୟ କରିଥିଲେ । ମକର ସଂକ୍ରାନ୍ତିରେ ପଶ୍ଚିମବଙ୍ଗରେ ବିଖ୍ୟାତ ଗଙ୍ଗାସ୍ନାନ ମେଳା ହେଉଥିବା ବେଳେ ଏହି ମେଳାକୁ ଯିବା ପାଇଁ ଓଡ଼ିଶାର ସୀମାନ୍ତ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଗୋଡ଼ କାଢ଼ି ବସିଛନ୍ତି । ସୀମା ଗଳାବାଟଗୁଡ଼ିକୁ ଏବେଠୁ ଅବରୋଧ ନ କଲେ ଏବଂ ସତର୍କ ଦୃଷ୍ଟି ନ ରଖିଲେ ଆଗାମୀ ଦିନରେ କୋଭିଡ୍‌ ଓ ଓମିକ୍ରନ୍‌ ସଂକ୍ରମଣ ଆହୁରି ଭୟଙ୍କର ରୂପ ନେବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଆକଳନ କରିଛନ୍ତି । ତେଣୁ ପଶ୍ଚିମବଙ୍ଗ ଫେରନ୍ତାଙ୍କ ଉପରେ ତୀକ୍ଷ୍‌ଣ ନଜର ରଖାଯିବା ସହ ଗମନାଗମନ ପାଇଁ ଉଦ୍ଦିଷ୍ଟ ରାସ୍ତାଗୁଡିକୁ ସିଲ୍ କରିବା ପାଇଁ ଜନସାଧାରଣରେ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *