କେନ୍ଦୁଝର : ଆମ ସ୍କୁଲ ଆମକୁ ଫେରାଇ ଦିଅ । ଦୂରକୁ ପଢିବାକୁ ଯାଇପାରୁନୁ, ଗାଁରେ ଥିବା ସ୍କୁଲ ଖୋଲ । ଏହା ରହିଛି ଧାରଣାରେ ବସିଥିବା ଏହି କୁନି କୁନି ଛାତ୍ରଛାତ୍ରୀଙ୍କ ଦାବି । ସ୍କୁଲ ଖୋଲିବା ଦାବିରେ ଅଡି ବସିଛନ୍ତି ଛାତ୍ରଛାତ୍ରୀ ।
କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅନ୍ତର୍ଗତ ବେଗୁନିଆପଦି ଗାଁରେ ୫୦ ରୁ ଅଧିକ ପରିବାର ବସବାସ କରନ୍ତି । ଏହି ଗାଁରେ ୧୯୬୨ ମସିହାରେ ବେଗୁନିଆପଦି ପ୍ରାଥମିକ ବିଦ୍ୟାଳୟ ଖୋଲିଥିଲା । ମାତ୍ର ୨୦୨୦ ମସିହାରେ କମ୍ ଛାତ୍ରଛାତ୍ରୀ ଥିବା ଦର୍ଶାଇ ରାଜ୍ୟ ସରକାର ଏହାକୁ ବନ୍ଦ କରିବା ସହ ଟୁକୁଣା ସ୍କୁଲରେ ମିଶାଇ ଦେଇଥିଲେ । ଫଳରେ ଏଠାରେ ପଢୁଥିବା ଛାତ୍ରଛାତ୍ରୀ ଦୁଇ କିଲୋମିଟର ଦୂରରେ ଥିବା ସ୍କୁଲକୁ ପାଠ ପଢିବାକୁ ଯାଉଛନ୍ତି ।
ଛାତ୍ରଛାତ୍ରୀମାନେ ବେଶ୍ ବିପଦସଙ୍କୁଳ ଅବସ୍ଥାରେ ରାସ୍ତାରେ ଯାଆସ କରୁଛନ୍ତି । ଏହି ରାସ୍ତାରେ ପ୍ରତିଦିନ ଶହଶହ ବାଲି ବୋଝେଇ ଟ୍ରକ ଯାଆସ କରୁଥିବା ବେଳେ କୁନି କୁନି ଶିଶୁ ମାନଙ୍କ ସୁରକ୍ଷା ନେଇ ଉଠିଛି ପ୍ରଶ୍ନ ।
ଗାଁରେ ଥିବା ସ୍କୁଲ ଖୋଲିବାକୁ ଜୋର ଧରିଛି ଦାବି । ଶ୍ରେଣୀଗୃହଗୁଡିକ ଭଲ ଥିବା ବେଳେ ସ୍କୁଲ ଚାରିପଟେ ପାଚେରୀ ମଧ୍ୟ ରହିଛି । ଏହି ସ୍କୁଲକୁ ବନ୍ଦ ନକରି ଖୋଲିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ ।
ଅନ୍ୟପଟେ ଗାଁରେ ସ୍କୁଲ ଖୋଲିବାକୁ ଉଦ୍ୟମ କରିବେ ବୋଲି କହିଛନ୍ତି ହାଟହିଡି ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ । ସ୍କୁଲ ମିଶ୍ରଣକୁ ବିରୋଧ କରିଛନ୍ତି ଛାତ୍ରଛାତ୍ରୀ । ଗାଁ ସ୍କୁଲ ବନ୍ଦ ହେବା ଯୋଗୁ ଜୀବନକୁ ବାଜି ଲଗାଇ ଯାଆସ କରୁଛନ୍ତି ଛାତ୍ରଛାତ୍ରୀ । ତେବେ ଏହି ସ୍କୁଲକୁ ଖୋଲିବାକୁ ଜୋର ଧରିଛି ଦାବି ।
