ପାରାଦୀପ : ପୂଜା ଚାନ୍ଦା ନଦେବାରୁ କାଟିଦେଲେ ଲାଇନ । ଚାନ୍ଦା ଆଦାୟ ଜୁଲମ୍ ର ସବୁ ସୀମା ଟପିଗଲେ ବସ୍ତି କମିଟି । ପୂଜା ପାଇଁ ୫ ହଜାର ଟଙ୍କା ଚାନ୍ଦା ନଦେବାରୁ କାଟିଦେଲେ ଲାଇନ । ଏଭଳି ଅଭିଯୋଗ ଆସିଛି ବନ୍ଦର ନଗରୀ ପାରାଦୀପର ଷଣ୍ଡକୁଦ ବସ୍ତି ଅଞ୍ଚଳରୁ । ବସ୍ତିରେ ଏକ ଗରିବ ପରିବାର ଉପରେ ଏଭଳି ଜୁଲମ କରାଯାଇଥିବା ଓ ତାଙ୍କୁ ଜୀବନରୁ ମାରିଦେବାର ଧମକ ଦିଆଯାଇଥିବା ରାଜେଶ କୁମାର ବାଇ ଜଟାଧାରୀମୁହାଣ ଥାନାରେ ଲିଖିତ ଅଭିଯୋଗ କରିବା ସହ ନ୍ୟାୟ ପାଇଁ ଥାନା ସମ୍ମୁଖରେ ଧାରଣାରେ ବସିଛନ୍ତି ।
ଗତକାଲି ଠାରୁ ପୋଲିସର ସହାୟତା ମାଗିଥିବାବେଳେ ଅଦ୍ୟାବଧି ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ନେଇନଥିବା ଓ ଓଲଟା ପୂଜା କମିଟିର କିଛି ମୁଷ୍ଟିମେୟ ଲୋକଙ୍କୁ ଧରି ଥାନାରେ ସମ୍ପୃକ୍ତ ଯୁବକକୁ କେଶ୍ ଉଠାଇ ଆଣିବାକୁ ଚାପ ପକାଉଥିବା ଅଭିଯୋଗ ହୋଇଛି ।
ଆସୁଛି ଦୁର୍ଗା ପୂଜା । ଯାହାକୁ ନେଇ ସବୁଠି ଚଳଚଞ୍ଚଳ ପରିବେଷ ଦେଖିବାକୁ ମିଳିଛି । ହେଲେ ଏଭଳି ସ୍ଥିତିରେ ପୂଜା ଚାନ୍ଦା ନଦେବାରୁ ଲାଇନ ତାର କାଟିଦେବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି ।
