ପଦ୍ମପୁର : କେନ୍ଦୁଝର ସଦର ବ୍ଲକ ପଦ୍ମପୁରରେ କାଳବୈଶାଖି ତାଣ୍ତବ ରଚିଛି । ଝଡ଼ତୋଫାନ ଯୋଗୁଁ ପଦ୍ମପୁର ବଜାରରେ ବହୁ ଦୋକନ ଭାଙ୍ଗି ଯାଇଛି । ପଦ୍ମପୁରଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ଥିବା ସାହିର ଦିପୁ ସାହୁଙ୍କ ଜଳଖିଆ ଦୋକାନର ଛପର ଉଡ଼ିଯାଇଛି । ପଞ୍ଚାୟତ କାର୍ଯ୍ୟାଳୟ ଶ୍ୟାମସୁନ୍ଦର ସାହୁଙ୍କ ଦୋକନ ମଧ୍ୟ ପବନରେ ଛାରଖାର ହୋଇଛି । ନିକଟସ୍ଥ ଗୋବର୍ଦ୍ଧନ ବିଲରେ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିବାରୁ ବିଦ୍ୟତ୍ ସରାବର ବିଚ୍ଛିନ୍ନ ହୋଇଥିଲା । ଏନେଇ ପଦ୍ମପୁର ସରପଞ୍ଚ ଚପଳା ସାମଲ, ସଭ୍ୟ ସିଦ୍ଧାର୍ଥ ଶଙ୍କର ସାହୁ, ରାଜସ୍ବ ନିରୀକ୍ଷକ ଭୋଳେଶ୍ବର ପାତ୍ର କ୍ଷୟକ୍ଷତି ଆକଳନ ତଦାରଖ କରିଛନ୍ତି । ତୁରନ୍ତ ଏହି କ୍ଷତିଗ୍ରସ୍ତଙ୍କୁ ଜରିପାଲ ସମେତ ଆବଶ୍ୟକ ସହାୟତା ପ୍ରଦାନ କରାଯିବ ବୋଲି ଜଣାପଡିଛି ।
