ଚାଷୀଙ୍କୁ ମିଳୁନି ସବ୍‌ସିଡି ଟଙ୍କା, ଧାନ ବିହନ କ୍ରୟ ସମୟରେ ଦେଇଥିଲେ ପୂରା ଟଙ୍କା

ଅନୁଗୁଳ : ସବ୍‌ସିଡିରେ ଚାଷୀଙ୍କୁ ଧାନ ବିହନ ଯୋଗାଇଥିଲେ ସରକାର । କିନ୍ତୁ ସେଥିପାଇଁ ଚାଷୀଙ୍କଠୁ ଆଗୁଆ ନେଇଥିଲେ ପୂରା ଟଙ୍କା । କହିଥିଲେ, ଚାଷୀ ପୂରା ଟଙ୍କା ଆଗୁଆ ପୈଠ କଲାପରେ ତାଙ୍କ ଆକାଉଣ୍ଟ୍‌କୁ ସବ୍‌ସିଡି ଟଙ୍କା ଆସିବ । ଏଥିରେ ଦୁର୍ନୀତି ହେବନାହିଁ । ଚାଷୀ ନାଁରେ ସବ୍‌ସିଡି ଟଙ୍କା ବାଟମାରଣା ହେବନାହିଁ । ଦୁର୍ନୀତିରେ ଅଙ୍କୁଶ ଲଗାଇବା ପାଇଁ ସରକାର ଚଳିତ ବର୍ଷ କରିଥିବା ଏ ପ୍ରକାର ବ୍ୟବସ୍ଥା ଚାଷୀଙ୍କ ପାଇଁ ଏକ ପ୍ରକାର ବୋଝ ହୋଇଛି । ଇତି ମଧ୍ୟରେ ଧାନ ବୁଣା ସରି ଅମଳ ହେବାକୁ ବସିଲାଣି । ଚାଷୀଙ୍କ ଠାରୁ ସରକାର ଧାନ କିଣିବାକୁ ପ୍ରସ୍ତୁତି ଆରମ୍ଭ ବି କଲେଣି । ହେଲେ, ଚାଷୀଙ୍କୁ ଏଯାବତ୍ ବିହନ ସବ୍‌ସିଡି ଟଙ୍କା ନମିଳିବା ଅସନ୍ତୋଷ ସୃଷ୍ଟି କରିଛି ।

ସୂଚନା ମୁତାବକ, ଖରିଫ୍ ଋତୁ ପାଇଁ ସରକାର ଗତ ମେ ମାସରୁ ବିହନ ବାଣ୍ଟିବା ଆରମ୍ଭ କରି ଦେଇଥିଲେ । ବିହନ ଦାମ୍‌ ରଖିଥିଲେ କୁଇଣ୍ଟାଲ୍ ପିଛା ୩୫୦୭ ଟଙ୍କା । ନୂଆ ଏବଂ ପୁରୁଣା ବିହନ ପାଇଁ ସବ୍‌ସିଡି ନିୟମ ଥିଲା ଭିନ୍ନ ଭିନ୍ନ । ପୂଜା, ସ୍ବର୍ଣ୍ଣ, ୧୦୦୧, ଶାରଳା, ମୃଣାଳିନୀ ଭଳି ୧୦ ବର୍ଷର ପୁରୁଣା ବିହନ ପାଇଁ ସରକାର ୧୨୫୭ ଟଙ୍କାର ସବ୍‌ସିଡି ଘୋଷଣା କରିଥିଲେ । ସେହିପରି କଳାଚମ୍ପା, ଏମ୍‌ଟିୟୁ-୧୧୫୩, ଏମ୍‌ଟିୟୁ-୧୧୫୬, ମଉଡ଼ମଣି ଭଳି ନୂଆ କିସମ ଧାନ ବିହନ ପାଇଁ ଚାଷୀ ୧୫୫୭ ଟଙ୍କାର ସବ୍‌ସିଡି ଦିଆଯିବାର ବ୍ୟବସ୍ଥା ହୋଇଥିଲା । କିନ୍ତୁ, ଆଗ ପୂରା ଟଙ୍କା ଦେଇ ବିହନ କିଣିଲା ପରେ ଚାଷୀଙ୍କ ଅକାଉଣ୍ଟ୍‌କୁ ପରେ ପୂରା ଟଙ୍କା ଆସିବ ବୋଲି ନିୟମ କରାଗଲା । ତଦନୁସାରେ, ବିହନ ନିଗମ ଅନୁଗୁଳ ଜିଲ୍ଲାରେ ଚଳିତ ଖରିଫ୍‌ ଋତୁରେ ୮୨୦୦ କୁଇଣ୍ଟାଲ ଧାନ ବିକ୍ରି କରାଇଛି । ତନ୍ମଧ୍ୟରୁ ପୂଜା ଧାନ ପ୍ରାୟ ୩ ହଜାର କୁଇଣ୍ଟାଲ୍‌ ବିକ୍ରି କରାଯାଇଥିବା ବେଳେ, କଳାଚମ୍ପା ୨୭ ଶହ କୁଇଣ୍ଟାଲ୍, ଏମ୍‌ଟିୟୁ-୧୧୫୩ ଓ ଏମ୍‌ଟିୟୁ-୧୧୫୬ ବିହନ ୬୦୦ କୁଇଣ୍ଟାଲ୍ ବିକ୍ରି ହୋଇଛି ।

ନିଜ ହାତରୁ ପୂରା ଟଙ୍କା ଦେଇ ଚାଷୀକୁଳ ସେବା ସମବାୟ ସମିତିରୁ ବିହନ ଖର୍ଦ୍ଦି କରିଛନ୍ତି । ଇତି ମଧ୍ୟରେ ବିହନ ଗଜାହୋଇ ଧାନ ପାଚିବାକୁ ବସିଲାଣି । ଆଉ କେଇଟା ଦିନ ପରେ ଧାନ କଟା ଆରମ୍ଭ ହେବ । ଅମଳ ଧାନକୁ କିଣିବାକୁ ସରକାର ବି ଅଣ୍ଟା ଭିଡ଼ିଲେଣି । ଅଥଚ ବିହନ ଟଙ୍କା ଏଯାବତ୍‌ ସରକାର ବାଣ୍ଟି ନାହାନ୍ତି । ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍‌ କନ୍ତପଡ଼ାର ଚାଷୀ ସୌମ୍ୟରଞ୍ଜନ ପ୍ରଧାନଙ୍କ କହିବା ଅନୁସାରେ, ଚାଷ ପାଇଁ ସେ ଦୁଇ ପ୍ୟାକେଟ୍ ଧାନ ବିହନ କିଣିଥିଲେ । କିନ୍ତୁ, ଏଯାବତ୍‌ ସବ୍‌ସିଡି ଟଙ୍କା ଆକାଉଣ୍ଟ୍‌କୁ ଆସିନାହିଁ । କେବଳ ସୌମ୍ୟରଞ୍ଜନ ନୁହନ୍ତି, କନ୍ତପଡ଼ା ସେବା ଶତାଧିକ ଚାଷୀଙ୍କ ଅବସ୍ଥା ସେୟା ହୋଇଛି ।

ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରମିଲ୍ କୁମାର ସ୍ବାଇଁ କହିଛନ୍ତି, ଜିଲ୍ଲାରେ କେତେ ଚାଷୀ ବିହନ ନେଇଥିଲେ, ସେଥିରୁ କେତେ ଚାଷୀ ସବ୍‌ସିଡି ପାଇଲେ ଓ କେତେଜଣ ପାଇନାହାନ୍ତି, ତାହାର ତଥ୍ୟ ଆମ ପାଖରେ ନାହିଁ । ପ୍ରତି ସୋସାଇଟି ହିଁ ଏହା ଜାଣିଥିବେ ବୋଲି ସେ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *