ଭାଙ୍ଗିଲା ନନ୍ଦିଘୋଷ ରଥ ଅଖ

ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ଅଖ ଭଙ୍ଗା ବୋଲି ଜଣାପଡ଼ିବା ପରେ ଏହାକୁ ବଦଳାଇବାକୁ ଉଚ୍ଚସ୍ତରୀୟ ରଥ ଯାଞ୍ଚ କମିଟି ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶ ପରେ ଶୁକ୍ରବାର ବିଳମ୍ୱିତ ରାତିରେ ବଡ଼ଦାଣ୍ଡକୁ ଖୋଳାଯାଇଛି । ଖନନ ଶେଷପରେ ଆଜି (ଶନିବାର) ସକାଳୁ ଅଖ ପରିବର୍ତ୍ତନ କରାଯିବ ବୋଲି ଜଣାପଡ଼ିଛି ।

ତିନି ରଥ ନନ୍ଦିଘୋଷ, ତାଳଧ୍ବଜ ଓ ଦର୍ପଦଳନ ରଥର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଥିବାବେଳେ ଆଜି ତିନି ରଥର ଚାରିନାହାକା ଉଠିଛି । ପ୍ରତ୍ନତତ୍ତ୍ବ ବିଭାଗ କୋର୍‌ କମିଟି ସଦସ୍ୟ, ରେଳ ବିଭାଗ, ପୂର୍ତ୍ତ ବିଭାଗ, ଶ୍ରୀମନ୍ଦିର ପ୍ରଶାସନ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ନେଇ ଗଠିତ ରଥ ଯାଞ୍ଚ କମିଟି ତିନି ରଥର ଯାଞ୍ଚ୍‌ପରେ ନନ୍ଦିଘୋଷ ରଥ ଅଖ ଭାଙ୍ଗି ପଡ଼ିଥିବା ଜଣାପଡ଼ିଥିଲା । ଦୁଇ ଚକରେ ଲାଗିଥିବା ଏହି ଅଖ ତୁମ୍ବ ପାଖରୁ ଦୁଇଫାଳ ହୋଇଯାଇଥିଲା । ଅଖର ଦୁଇଫାଳରୁ ଗୋଟିଏ ପାର୍ଶ୍ବ ବି ଉପରକୁ ଉଠିଯାଇଥିବା ଏବଂ ଏହା ଉପରେ ଲାଗିଥିବା ଦଣ୍ଡା, ଗୁଜ, ଜଳଯନ୍ତ୍ର, ଗୟଳ ସବୁ ଗୋଟିଏ ପାର୍ଶ୍ବକୁ ଢଳି ପଡ଼ିଥିବା ଦେଖିବାକୁ ମିଳିଥିଲା । ମହାରଣାମାନେ ଏହି ଫାଟରେ ଲୁହା କ୍ଲାମ୍ପ୍‌ଦେଇ ସମ୍ଭାଳିବାକୁ ଚେଷ୍ଟା କରିଥିଲେ ବି ସମ୍ଭବ ହୋଇନଥିଲା ।

ଅଖର ପରିବର୍ତ୍ତନ ପାଇଁ ରାତି ପ୍ରାୟ ୧୧ଟାରେ ପୂର୍ତ୍ତ ବିଭାଗ ପକ୍ଷରୁ ଧଳା ଗାର ଚିହ୍ନ ଦେଇ ଡ୍ରିଲିଂ ମେସିନ୍ ଜରିଆରେ ଖନନ କରାଯାଇଥିଲା । ପ୍ରଥମେ ଡ୍ରିଲିଂ ମେସିନ୍‌ରେ ଦୁଇ ଚକ ତଳ ଖନନ କରାଯାଇଥିଲା । ପରେ ଜେସିବି ଲଗାଇ ବଡ଼ବଡ଼ ଗାତ ଖୋଲାଯାଇଛି । ପରେ ଏହି ଗାତ ଦେଇ ଦୁଇ ଚକ ଅଖ ସହ ବାହାରିବା ପରେ ପୁନର୍ବାର ଅଖ ବଦଳାଇ ନୂଆ ଅଖ ସଂଯୋଗ କରି ପୁଣି ରଥରେ ପୂର୍ବ ସ୍ଥାନରେ ରଖାଯିବ ବୋଲି ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *