ଭୁବନେଶ୍ବର : ୨୦୨୧ ମସିହାରେ ରାଜ୍ୟର ୧୧ ରୁ ୧୪ ବର୍ଷୀୟା ୭୬୪୪ ଛାତ୍ରୀ ସ୍କୁଲରୁ ପାଠପଢ଼ା ଛାଡ଼ିଛନ୍ତି । ଏମାନେ ସବୁ ଅଧାରୁ ପାଠ ଛାଡ଼ିଛନ୍ତି ବୋଲି ରାଜ୍ୟ ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଓଡ଼ିଶା ସ୍କୁଲ ଏଜୁକେସନ ପ୍ରୋଗ୍ରାମ ଅଥରିଟିକୁ ସୂଚନା ଦିଆଯାଇଛି । କୌଣସି ବିଦ୍ୟାର୍ଥୀ ଲଗାତାର ୭ ଦିନ ଅନୁପସ୍ଥିତ ରହିଲେ ସ୍ଥିତି ଅନୁଧ୍ୟାନ ପାଇଁ ଶିକ୍ଷକଙ୍କୁ ନିର୍ଦେଶ ରହିଛି । ଏହା ସତ୍ତ୍ବେ ଗୋଟିଏ ବର୍ଷ ମଧ୍ୟରେ ଏତେ ସଂଖ୍ୟକ ପିଲା ସ୍କୁଲ ନ ଆସିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଅଧାରୁ ପାଠ ଛାଡ଼ିଥିବା ଏହି ଛାତ୍ରୀଙ୍କ ମଧ୍ୟରେ କଳାହାଣ଼୍ଡିରେ ସର୍ବାଧିକ ୨୩୭୩, ରାୟଗଡ଼ାର ୨୨୫୬, ଅନୁଗୁଳର ୨୯, ବଲାଙ୍ଗୀର ୧୦୬, ବରଗଡ଼ ୩୩, ବୌଦ୍ଧ ୩, କଟକ ୪, ଦେବଗଡ଼ ୧, ଢେଙ୍କାନାଳ ୨୬, ଗଜପତି ୧୦୯, ଯାଜପୁର ୧, ଝାରସୁଗୁଡ଼ା ୩, କନ୍ଧମାଳ ୪, କେନ୍ଦ୍ରାପଡ଼ା ୨, କେନ୍ଦୁଝର ୨୫୦, ଖୋର୍ଦ୍ଧା ୧୪୯, କୋରାପୁଟ ୯୭୦, ମାଲକାନଗିରି ୬୫୫, ମୟୂରଭଞ୍ଜ ୨୧, ନବରଙ୍ଗପୁର ୨୦୪, ନୟାଗଡ଼ ୩୯, ନୂଆପଡ଼ା ୩୪୯, ସମ୍ବଲପୁର ୫୪ ଏବଂ ସୋନପୁରର ୩ ଛାତ୍ରୀ ରହିଛନ୍ତି । ଲକ୍ଡାଉନ ଦେଢ଼ ବର୍ଷ ଧରି ଛାତ୍ରୀମାନେ ସ୍କୁଲ ନଆସିବାରୁ ଏମାନଙ୍କ ମଧ୍ୟରୁ ଅନେକ ବିବାହ କରିଛନ୍ତି ତ ଅଧିକାଂଶ ରୋଜଗାର ପାଇଁ ବାହାରକୁ ଚାଲି ଯାଇଛନ୍ତି । ଯେଉଁମାନେ ବାହାରକୁ ମଧ୍ୟ ଯାଇ ନାହାନ୍ତି ସେମାନେ ନିଜ ଜିଲ୍ଲାରେ କାହା ଘରେ, ଦୋକାନରେ କିମ୍ବା ନିର୍ମାଣ ଶ୍ରମିକ ଭାବରେ କାର୍ଯ୍ୟ କରୁଛନ୍ତି । ମହାମାରୀରେ ଅଭିଭାବକ ହରାଇଥିବା ଅନେକ ପିଲା ନିଜ ଭାଇ, ଭଉଣୀଙ୍କ ଯତ୍ନ ନେବା ପାଇଁ ଅଧାରୁ ପାଠ ଛାଡ଼ି ଦେଇଥିବା ଜଣାପଡ଼ିଛି ।
କଳାହାଣ୍ଡି, ରାୟଗଡ଼ା ଏପରିକି ଖୋର୍ଦ୍ଧାରେ ଏତେ ସଂଖ୍ୟକ ଝିଅ ଅନୁପସ୍ଥିତ ରହିବା ସେଠାକାର ସାମାଜିକ ଏବଂ ଆର୍ଥିକ ସ୍ଥିତିର ଚିତ୍ରକୁ ବୟାନ କରୁଛି । ରୋଜଗାର ପାଇଁ ଏହି ଜିଲ୍ଲାରୁ ଅଧିକ ସଂଖ୍ୟକ ଶ୍ରମିକ ବାହାରକୁ ଯାଇଥାଆନ୍ତି । ଲକ୍ଡାଉନରେ ସ୍କୁଲ ଏପରିକି ଆବାସିକ ଛାତ୍ରାବାସ ବନ୍ଦ ଥିବା ଯୋଗୁଁ ସେମାନେ ନିଜ କିଶୋରୀ ଝିଅଙ୍କୁ ମଧ୍ୟ ସାଙ୍ଗରେ ନେଇଯାଇଥିବା ଜଣାପଡ଼ିଛି । ସେଠାରେ ଏହି ଝିଅମାନଙ୍କ ପାଠପଢ଼ା ଚାଲିଛି ନା ବନ୍ଦ ହୋଇଯାଇଛି ଏ ସମ୍ପର୍କରେ ସ୍ପଷ୍ଟ ଚିତ୍ର ନାହିଁ । ଝିଅଙ୍କ ଅନୁପସ୍ଥିତ ନେଇ ରିପୋର୍ଟ ଦାଖଲ କରିଥିବା ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗ ଯୁଗ୍ମ ସଚିବ ବିଥିକା ସ୍ବାଇଁ ଏନେଇ ସ୍ପଷ୍ଟ ମତ ଦେଇ ନଥିବା ବେଳେ ପିଲାଙ୍କ ନାମଲେଖା ପାଇଁ ଶିକ୍ଷା ଅଧିକାରୀ ଏବଂ ପ୍ରକଳ୍ପ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଥିବା ଜଣାପଡ଼ିଛି । ସମ୍ବଲପୁର ସ୍ଥିତ ଲେଡିଲୁଇସ ବାଳିକା ହାଇସ୍କୁଲ ଜଣେ ଶିକ୍ଷୟିତ୍ରୀଙ୍କ ଅନୁସାରେ ସ୍କୁଲ ବନ୍ଦ ହୋଇଯାଇଥିବାରୁ ସଚେତନତା ଅଭାବରୁ ଅନେକ ପିଲାଙ୍କ ପାଠପଢ଼ା ବନ୍ଦ ହୋଇଯାଇଛି । ସେମାନେ ଅନ୍ଲାଇନରେ ପଢ଼ିବାକୁ ଆଗ୍ରହ କରିନାହାନ୍ତି । ଅନେକ ପରିବାର ଝିଅଙ୍କ ବିବାହ କରାଉଥିବା ସୂଚନା ପାଇ ଚାଇଲ୍ଡ ଲାଇନ ଜରିଆରେ ଏହାକୁ ରୋକା ଯାଇଛି । ଅନେକ ଝିଅ ରୋଜଗାର କରିବା ମଧ୍ୟ ଆରମ୍ଭ କରିବା ଯୋଗୁଁ ସ୍କୁଲ ଆସୁନଥିବା ଶିକ୍ଷୟିତ୍ରୀ କହିଛନ୍ତି ।
ପିଲାଙ୍କୁ ସ୍କୁଲ ଆସିବା ପାଇଁ ଅଷ୍ଟମ ପର୍ଯ୍ୟନ୍ତ ମାଗଣାରେ ବହି, ନବମ, ଦଶମରେ ସାଇକେଲ, ଅନୁସୂଚିତ ଜାତି, ଜନଜାତି ପିଲାଙ୍କୁ ଷ୍ଟାଇପେଣ୍ଡ ଏବଂ ବହି ଦିଆଯାଏ । ଏହି ପ୍ରୋତ୍ସାହନ ପିଲାଙ୍କୁ ସ୍କୁଲ ଆସିବାକୁ ଆକର୍ଷିତ କରିପାରି ନାହିଁ । କିନ୍ତୁ ଅନୁପସ୍ଥିତ ପିଲାଙ୍କ ନାମରେ ଆସିଥିବା କଲ୍ୟାଣକାରୀ ଯୋଜନାର ଲାଭ କିଏ ଉଠାଇଲା ତାହା ମଧ୍ୟ ବିଭାଗକୁ ଦେଖିବାକୁ ପଡ଼ିବ ବୋଲି କୁହାଯାଉଛି ।
