ସମସ୍ୟା ଘେରରେ ୟୁପି ସ୍କୁଲ : ୧୦୨ ପିଲାଙ୍କୁ ୨ ଶିକ୍ଷକ, ବର୍ଷା ହେଲେ ଛାତରୁ ଗଳୁଛି ପାଣି

ମୋହନା : ଶିକ୍ଷାର ବିକାଶ ସହ ବିଦ୍ୟାଳୟ ଭିତ୍ତିଭୂମିର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ତଥାପି ଏବେବି ସୁଧୁରିନି ଅନେକ ବିଦ୍ୟାଳୟର ସମସ୍ୟା । କେଉଁଠି ଶିକ୍ଷକ ସମସ୍ୟା ତ କେଉଁଠି ଶ୍ରେଣୀ ଗୃହ ସମେତ ଭିତ୍ତିଭୂମିର ଅଭାବ ରହିଛି । ଏଭଳି ଏକ ସମସ୍ୟା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଲବାରସିଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ।

ଏଠି ଶିକ୍ଷକ ସମସ୍ୟା ସହ ଶ୍ରେଣୀ ଗୃହ ଅଭାବ ରହିଛି । ୧୯୫୩ ରୁ ସ୍ଥାପିତ ଏହି ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିବାବେଳେ ୧୦୨ ଜଣ ଛାତ୍ରଛାତ୍ରୀ ଅଛନ୍ତି । ହେଲେ ଏଠି ମାତ୍ର ଦୁଇଜଣ ଶିକ୍ଷକ ନିଯୁକ୍ତି ପାଇଛନ୍ତି । ଗୋଟିଏ ଶ୍ରେଣୀରେ ଜଣେ ଶିକ୍ଷକ ପ୍ରଥମ ରୁ ଚତୁର୍ଥ ଶ୍ରେଣୀ ପିଲାଙ୍କୁ ପାଠ ପଢ଼ାଉଥିବା ବେଳେ ଅନ୍ୟ ଏକ ଶ୍ରେଣୀରେ ପଞ୍ଚମ ରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ପଢ଼ାଉଛନ୍ତି ଆଉ ଜଣେ ଶିକ୍ଷକ ।

ଏଥିପାଇଁ ଗୋଟିଏ କଳାପଟାକୁ ଚାରି ଭାଗ କରି ଶିକ୍ଷାଦାନ କରୁଛନ୍ତି । ଆଠଟି ଶ୍ରେଣୀକୁ ମାତ୍ର ତିନିଟି ଶ୍ରେଣୀକକ୍ଷ ଥିବାବେଳେ ତାହାବି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ଛାତ ଉପରେ ଗଛ ଉଠିଯାଇଛି । ଫଳରେ ବର୍ଷା ହେଲେ ଛାତରୁ ପାଣି ଗଳୁଛି । ଏଭଳି ବିପଦ ସଙ୍କୁଳ ଅବସ୍ଥାରେ ପିଲାମାନେ ପାଠ ପଢୁଥିବା ବେଳେ ଅଧିକ ବର୍ଷା ହେଲେ ପାଠ ପଢା ବନ୍ଦ ହୋଇଯାଉଥିବା କହିଛନ୍ତି ଛାତ୍ରଛାତ୍ରୀ ।

ସେପଟେ ବିଦ୍ୟାଳୟରେ ପାନୀୟ ଜଳ ସମସ୍ୟା ଥିବା ସହ ଆବଶ୍ୟକତା ଅନୁଯାୟୀ ଶୌଚାଳୟ ମଧ୍ୟ ନାହିଁ । ବିଦ୍ୟାଳୟ ସମସ୍ୟା ସମ୍ପର୍କରେ ବହୁବାର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଥିବା କହିଛନ୍ତି ପ୍ରଧାନ ଶିକ୍ଷକ । ଅନ୍ୟ ପକ୍ଷରେ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ସହ ଶ୍ରେଣୀ ଗୃହ ନିର୍ମାଣ ପାଇଁ ମୋହନା ବ୍ଲକ ଶିକ୍ଷାଧିକାରୀ, ଜିଲ୍ଲା ଶିକ୍ଷାଧିକାରୀଙ୍କୁ ବାରମ୍ବାର ଜଣାଇଥିବା ବେଳେ କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ କରିଛନ୍ତି ମୋହନା ବ୍ଲକ ସାଂସଦ ପ୍ରତିନିଧି ।

Leave a Reply

Your email address will not be published. Required fields are marked *