ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ଲାଗି ରହିଛି ବର୍ଷା । ଏଭଳି ସ୍ଥିତିରେ ଖଜୁରୀପଡା ବ୍ଲକର ବିଭିନ୍ନ ଅଂଚଳରେ ଲଗାଣ ବର୍ଷା କାରଣରୁ କେତେବେଳେ କାହାର ଜୀବନ ଚାଲିଯିବ ତାହା କହିହେବ ନାହିଁ । ଗୋଟିଏ ପଟେ ଭାରତ ସରକାରଙ୍କ ହରଘର ତ୍ରୀରଙ୍ଗା ଶୋଭାଯାତ୍ରା ଚାଲୁଥିବାବେଳେ ଘର ଉପରେ ତ୍ରୀରଙ୍ଗା ଲଗାଇବା ପୂର୍ବରୁ ଭୂଷୁଡି ପଡୁଛି ଚାଳ ଛପର ଘର । ତେଣୁ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତିରେ ଉତ୍ସବ ପାଳନ ପୂର୍ବରୁ କଚ୍ଚା ଚାଳଘର ଥିବା ପରିବାର ଯେ ୭୬ ତମ ସ୍ୱାଧୀନତା ଦିବସ ଦେଖିବେ ନା ନାହିଁ ତାହା ମଧ୍ୟ ଅନେକ ଲୋକ କ୍ଷୋଭର ସହ ମତ ପ୍ରକାଶ କରୁଛନ୍ତି । ଦେଶରେ କରୋନା ମହାମାରୀ ପ୍ରବେଶ ସମୟରେ ଶେଷଥର ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କିଛି କିଛି ପକ୍କାଘର ହିତାଧିକାରୀଙ୍କୁ ବଣ୍ଟନ କରାଯାଇଥିବା ବେଳେ ବର୍ତ୍ତମାନ ଦୁଇ ବର୍ଷରୁ ଅଧିକ ହେଲାଣି ନା ମିଳୁଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିମ୍ବା ରାଜ୍ୟ ସରକାରଙ୍କ ବିଜୁ ପକ୍କାଘର ଯୋଜନାରେ ପକ୍କାଘର । ଗୋଟିଏ ପଟେ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଥିବା ବେଳେ ଗ୍ରାମାଞ୍ଚଳରେ ରହୁଥିବା ଗରୀବ ଜନସାଧାରଣଙ୍କ ଝାଟିମାଟି ଘର ଗୋଟିଏ ପରେ ଗୋଟିଏ ଭୂଷୁଡି ପଡୁଥିବା ଦେଖିବାକୁ ମିଳୁଛି ।
ଆଜି ଗୋଟିଏ ଦିନରେ ଖଜୁରୀପଡା ମୁଖ୍ୟାଳୟରେ ସରୋଜ ବାରିକଙ୍କ ଘରର କାନ୍ଥ ଭୂଷୁଡି ପଡିଥିବା ବେଳେ ସୌଭାଗ୍ୟବଶତଃ ତାହା ବାହାର ପଟକୁ ପଡିବା କାରଣରୁ ସରୋଜଙ୍କ ପରିବାରର ଜୀବନ ଅଳ୍ପକେ ବର୍ତ୍ତି ଯାଇଥିବା ଦେଖିବାକୁ ମିଳିଛି । ସରୋଜ ବାରିକ୍ ଜଣେ ଗରୀବ ଖଟିଖିଆ ହୋଇଥିବା ବେଳେ ବହୁବାର ପଂଚାୟତ ଠାରୁ ଆରମ୍ଭ କରି ବ୍ଲକ ଏବଂ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ କରିଥିବା ଅଭିଯୋଗର ମାଳମାଳ ଦରଖାସ୍ତ ସାଇତି ରଖିଥିବା ବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସେ ଜଣେ ଯୋଗ୍ୟ ହିତାଧିକାରୀ ଭାବେ ସରକାରୀ ସ୍ତରରେ ୨୯. ୫.୨୦୧୭ ରେ ପ୍ରଦାନ କରାଯାଇଥିବା ପ୍ରାପ୍ତି ସ୍ୱୀକାର ଫର୍ମ ନଂ ୩୪୦ ମଧ୍ୟ ସାଇତି ରଖିଛନ୍ତି । କିନ୍ତୁ ଏଯାଏଁ ତାଙ୍କୁ ପକ୍କାଘର ଯୋଜନାରେ ସାମିଲ୍ କରାଯାଇନଥିବା କହିଛନ୍ତି ସରୋଜ ବାରିକ୍ । ସେହିଭଳି ଦୁତିମେଣ୍ଡି ଗ୍ରାମପଞ୍ଚାୟତ ବଇକୁମ୍ପା ଗ୍ରାମର ସୀମାଂଚଳ ସେଠୀଙ୍କ ଘରର ଗୋଟିଏ କାନ୍ଥ ସମ୍ପୂର୍ଣ୍ଣ ଭୂଷୁଡି ପଡିଥିବାବେଳେ ତାଙ୍କର ସପରିବାର ମଧ୍ୟ ଅଳ୍ପକେ ରକ୍ଷା ପାଇଥିବା କହିଥିଲେ ସୀମାଂଚଳ ସେଠୀ । ଦୁତିମେଣ୍ଡି ଗ୍ରାମପଞ୍ଚାୟତ ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟ ପଛପଟେ ତ୍ରୀଫୁଲ୍ଲା କହଁରଙ୍କ ଚାଵଘର ସମ୍ପୂର୍ଣ୍ଣ ଭୂଷୁଡି ପଡିଥିବା ବେଳେ ୬୦ ବର୍ଷିୟା ବିଧବା ତ୍ରୀଫୁଲ୍ଲା ନିଜର ଦୁଇ ଭେଣ୍ଡିଆ ପୁଅକୁ ଧରି ଯେଉଁଭଳି ସ୍ଥିତିରେ ରହୁଛନ୍ତି ତାହା ଯେ କେହି ଦେଖିଲେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଉପରେ କ୍ଷୋଭର ସହ ଧିକ୍କାର କରୁଛନ୍ତି ।
ଏଭଳି ସ୍ଥିତି ଖଜୁରୀପଡା ବ୍ଲକରେ ସମସ୍ତ ଗ୍ରାମପଞ୍ଚାୟତରେ ଦେଖିବାକୁ ମିଳୁଥିବା ବେଳେ କୌଣସି ଗରୀବ ଖଟିଖିଆ ପରିବାର ବର୍ଗଙ୍କୁ ମୁଣ୍ଡ ଉପରେ ଛାତ ଘର ଟିଏ ମିଳୁନଥିବା ବେଳେ ଆଜି ଦେଶ କିନ୍ତୁ ଆଜାଦୀକି ଅମ୍ରୁତ ମହୋତ୍ସବ ପାଳନ ପାଇଁ ତତ୍ପର ହୋଇ ଉଠୁଛି । କିନ୍ତୁ ଯେପର୍ଯ୍ୟନ୍ତ ଗରୀବ ଖଟିଖିଆ ପରିବାର ଟିଏ ଆଜି ଶାନ୍ତିରେ ଘରେ ଶୋଇ ପାରୁନାହଁ ସେଠି ସ୍ୱାଧୀନତାର ପର୍ବ ପାଳନ ରେ କୌଣସି ମୂଲ୍ୟ ନାହିଁ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରୁଛନ୍ତି । ଉଭୟ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ମାଳମାଳ ଲୋକାଭିମୁଖୀ ଯୋଜନା ଚାଲିଥିବା ବେଳେ କାହିଁକି ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିମ୍ବା ବିଜୁ ପକ୍କାଘର ଏଯାଏଁ ବଣ୍ଟନ କରାଯାଉ ନାହିଁ ? ତାହା ହିଁ ବର୍ତ୍ତମାନ ସଙ୍ଗୀନ ପରିସ୍ଥିତି ସୃଷ୍ଟି କଲାଣି । କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର କାହିଁକି କାହାର ଧନଜୀବନ ପ୍ରତି ଧ୍ୟାନ ଦେଉନାହାନ୍ତି ନା ବିପଦପୂର୍ଣ୍ଣ ଅବସ୍ଥାରେ ରହୁଥିବା ଗରୀବ ଖଟିଖିଆ ଲୋକଙ୍କ ପରିସ୍ଥିତି ସରକାରଙ୍କ ନଜର ଆଢୁଆଳରେ ରହି ଯାଉଛି ତାହା କୌଣସି ସରକାରୀ ସ୍ତରରେ କେହି ଚିନ୍ତା ମଧ୍ୟ କରୁନଥିବା ଦେଖିବାକୁ ମିଳୁଛି । ଆଜି ସରକାରୀ ଛୁଟି ଦିବସ ହୋଇଥିବା ବେଳେ ଖଜୁରୀପଡା ବ୍ଲକରେ ଲଗାଣ ବର୍ଷାରେ କ୍ଷୟକ୍ଷତି ହୋଇଥିବା ବିଭିନ୍ନ ଘରକୁ ତହସିଲଦାର ଶ୍ରୀମତୀ ସ୍ୱପ୍ନିତା ନାୟକ ରାଜସ୍ବ ନୀରିକ୍ଷକ ଅମିୟ ଭୂଷଣ ରାମ୍ ଶୁଭଦର୍ଶିନୀ ମହାରଣା ପ୍ରମୁଖ ବିଭିନ୍ନ ଅଂଚଳରେ କ୍ଷତିଗ୍ରସ୍ତ ପରିବାରକୁ ପଲିଥିନ ତୁରନ୍ତ ପହଞ୍ଚାଇବା ସହ କ୍ଷୟକ୍ଷତି ମଧ୍ୟ ଆକଳନ କରୁଥିବା ଦେଖିବାକୁ ମିଳିଛି ।
