ଥାନା ଭିତରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳାଙ୍କର ମୃତ୍ୟୁ

ଗୋପାଳପୁର : ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ଭିତରେ ପଶି ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳାଙ୍କର ମୃତ୍ୟୁ ଘଟିଥିବାର ସୂଚନା ମିଳିଛି । ଗତକାଲି ତାଙ୍କୁ ଗୁରୁତର ଅବସ୍ଥାରେ ଏମକେସିଜିକୁ ଅଣାଯାଇଥିଲା । ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ରାତି ପ୍ରାୟ ୧୨ଟା ୪୫ ମିନିଟ୍ ସମୟରେ ମୃତ୍ୟୁ ଘଟିଥିବା ଜଣାଯାଇଛି । ମୃତକ ହେଲେ ମାଣ୍ଡିଆପଲ୍ଲୀ ସ୍ଥିତ ଜ୍ୟୋତି ନଗରର ଟିକିନା ଦାସ(୩୦) ।

ଗତକାଲି ସଂଧ୍ୟା ପ୍ରାୟ ୬ଟା ବେଳେ ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ଆଗରେ ଟିକିନା ଦାସ କୀଟନାଶକ ଔଷଧ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସେଠାରେ କାହାକୁ କିଛି ନକହି ସାଙ୍ଗରେ ଆଣିଥିବା କୀଟନାଶକ ଔଷଧ ଖାଇ ଦେଇଥିଲେ । ଉପସ୍ଥିତ ପୁଲିସ କର୍ମଚାରୀ ଏହା ଦେଖି ତୁରନ୍ତ ତାଙ୍କ ଠାରୁ କୀଟନାଶକ ଔଷଧ ଛଡ଼ାଇବା ସହ ସଙ୍ଗେ ସଙ୍ଗେ ବ୍ରହ୍ମପୁର ମେଡ଼ିକାଲରେ ଭର୍ତ୍ତି କରିଥିଲେ । ମେଡ଼ିକାଲରେ ସଦର ଏସ୍‌ଡିପିଓ ଶିବଶଙ୍କର ମହାପାତ୍ର, ଥାନା ଅଧିକାରୀ ଶ୍ରୀକାନ୍ତ ଖମାରୀ, ଏସ୍‌ଆଇ ସଫିଆ ମିଶ୍ର, ଏଏସ୍‌ଆଇ ତିରୁପତି ରାଓ, ଏଏସ୍‌ଆଇ ପୁଷ୍ପା ମଲିକ, ଏସ୍‌ଆଇ ଜୟଚନ୍ଦ୍ର ମଲ୍ଲିକ ଉପସ୍ଥିତ ଥିଲେ ।

ମିଳିଥିବା ସୂଚନା ଅନୁଯାୟୀ, ଟିକିନା ଦାସ ଧାର ଉଧାର ହୋଇ ବହୁଦିନ ଧରି ବାହାରକୁ ଚାଲି ଯାଇଥିଲେ । ଗତ ୮ ଦିନ ତଳେ ଗ୍ରାମକୁ ଫେରି ସ୍ବାମୀଙ୍କ ସହ ନରହି ନିଜ ଘରେ ରହୁଥିଲେ । ସ୍ବାମୀ ଏକ ଭଡ଼ା ଘରେ ରହୁଥିବା ଜଣାପଡ଼ିଛି । ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *