ଭୁବନେଶ୍ବର : ୧୬ ନମ୍ବର ଜାତୀୟ ରାଜପଥର ମହାରାଜା ହଲ୍ ନିକଟ ଆଚାର୍ଯ୍ୟବିହାର ଫ୍ଲାଏଓଭର୍ରେ ରବିବାର ବିଳମ୍ବିତ ରାତିରେ ଦୁଇ ଦୁଇଟି ଅଘଟଣ ଘଟିଛି । ରାତି ପ୍ରାୟ ୧୨ଟା ବେଳେ ରାଜପଥ ଉପରେ ଅତି ରହସ୍ୟଜନକ ଭାବେ ଜଣେ ଯୁବକ ଓ ତାଙ୍କ ବାଇକ୍ ପୋଡ଼ି ଯାଇଥିବା ବେଳେ, ଏହାର ଅଧଘଣ୍ଟା ପରେ ଠିକ୍ ସେହି ସ୍ଥାନରେ ରାସ୍ତା ଅପରପାର୍ଶ୍ବରେ ଆଉ ଏକ ଦୁର୍ଘଟଣା ଘଟିଛି । ଏକ ଦ୍ରୁତଗାମୀ ହାଇୱା ଧକ୍କାରେ ଏକ ଟାଟା ଏସ୍ ଭାଙ୍ଗିରୁଜି ଯାଇଛି । ଏହି ଦୁର୍ଘଟଣାରେ ଟାଟା ଏସ୍ରେ ଥିବା ଚାଳକ ସମେତ ୩ ଜଣ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ସହିଦନଗର ଥାନା ପୁଲିସ୍ ଓ ଦମକଳବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ପୁଲିସ ଦରପୋଡ଼ା ଯୁବକଙ୍କ ଶବକୁ କ୍ୟାପିଟାଲ ହସ୍ପିଟାଲ ପଠାଇବା ସହ ବାଇକ୍ (ନଂ ଓଡି୦୫ଏ.ଏଚ୍-୬୩୮୧)କୁ ଜବତ କରିଛି । ସେହିପରି ରାସ୍ତା ଅପରପାର୍ଶ୍ବରେ ଘଟିଥିବା ଦୁର୍ଘଟଣାରେ ପୁଲିସ୍ ଦୁର୍ଘଟଣାଗ୍ରସ୍ତ ହାଇୱା ଓ ଟାଟା ଏସ୍କୁ ଜବତ କରିଛି । ଆହତ ୩ ଜଣଙ୍କୁ ଚିକିତ୍ସା ଲାଗି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

କିଛି ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନାନୁସାରେ, ରବିବାର ରାତି ପ୍ରାୟ ୧୨ଟା ୧୫ ବେଳେ ଫ୍ଲାଏଓଭର୍ ଉପରେ ଜଣେ ଯୁବକ ବାଇକ୍ ଉପରେ ପଡ଼ିଥିବା ବେଳେ ବାଇକ୍ଟି ହୁତୁହୁତୁ ହୋଇ ଜଳୁଥିଲା । ଏହା ଦେଖି ଲୋକମାନେ ତାଙ୍କୁ ବାଇକ୍ ଉପରୁ ଘୋଷାଡ଼ି ଆଣିଥିଲେ । କିନ୍ତୁ ସେତେବେଳକୁ ଯୁବକଙ୍କ ମୃତ୍ୟୁ ହୋଇସାରିଥିଲା । ତାଙ୍କ ଶରୀରର ପାଖାପାଖି ୭୦ ପ୍ରତିଶତ ପୋଡ଼ି ଯାଇଥିଲା । ଏ ସଂପର୍କରେ ସେମାନେ ସହିଦନଗର ଥାନାକୁ ଖବର ଦେବା ପରେ ପୁଲିସ୍ ଓ ଦମକଳବାହିନୀ କିଛି ସମୟ ଭିତରେ ସେଠାରେ ପହଞ୍ଚି ଯାଇଥିଲେ । ଦମକଳବାହିନୀ ନିଆଁକୁ ଆୟତ୍ତ କରିବା ସହ ପୁଲିସ ସହାୟତାରେ ମୃତ ଯୁବକଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା । ଆସନ୍ତାକାଲି ଶବ ବ୍ୟବଚ୍ଛେଦ ହେବ ବୋଲି ଜଣାଯାଇଛି । ତେବେ ଯୁବକ ଜଣଙ୍କ କିଏ ? ଏତେ ରାତିରେ ସେ କୁଆଡ଼େ ଯାଉଥିଲେ ? ଶେଷ ଖବର ଲେଖା ହେବା ବେଳକୁ ସେ ସଂପର୍କରେ କିଛି ଜଣାପଡ଼ି ନଥିଲା । ପୁଲିସ୍ ବାଇକ୍ର ଗାଡ଼ି ନମ୍ବରକୁ ଯାଞ୍ଚ କରି ଯୁବକଙ୍କ ସଂପର୍କରେ ତଥ୍ୟ ହାସଲ କରିବାକୁ ଚେଷ୍ଟା ଚଳାଇଛି । ଏହା ସହ ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ୍ ସଂଗ୍ରହ କରୁଛି । ଅପରପକ୍ଷେ, ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । କିଛି ଦୁର୍ବୃତ୍ତ ଯୁବକଙ୍କୁ ଅନ୍ୟତ୍ର ହତ୍ୟା କରି ଏଠାକୁ ଆଣିବା ପରେ ନିଛାଟିଆ ରାସ୍ତା ଦେଖି ଯୁବକଙ୍କୁ ବାଇକ୍ ଉପରେ ପକାଇ ନିଆଁ ଲଗାଇ ଦେଇଥିବା ଅନୁମାନ କରାଯାଉଛି । ପୁଲିସ୍ ସବୁ ଦିଗକୁ ଟିକିନିଖି ଯାଞ୍ଚ କରୁଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହି ମାମଲା ଅଧିକ ସ୍ପଷ୍ଟ ହେବ ବୋଲି ପୁଲିସ୍ କହିଛି ।
ଅପରପକ୍ଷେ, ରାସ୍ତାର ଅପରପାର୍ଶ୍ବରେ ଯାଉଥିବା ଯାନବାହାନଗୁଡ଼ିକ ଏହି ଦୁର୍ଘଟଣା ଦେଖି ଗାଡ଼ିର ଗତି ମନ୍ଥର କରି ଦେଇଥିଲେ । ଏକ ଟାଟା ଏସ୍ ଭୁବନେଶ୍ବରରୁ କଟକ ଆଡ଼କୁ ଯାଉଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ହାଇୱା ତାକୁ ପଛପଟୁ ଧକ୍କା ଦେଇ ମଝିରେ ଥିବା ଲାଇଟ୍ ଖୁଣ୍ଟକୁ ଧକ୍କା ଦେଇଥିଲା । ଫଳରେ ଲାଇଟ୍ ଖୁଣ୍ଟଟି ଉପୁଡ଼ି ପଡ଼ିଥିଲା । ଅପରପକ୍ଷେ ଏହି ଦୁର୍ଘଟଣାରେ ଟାଟା ଏସ୍ରେ ଥିବା ଚାଳକଙ୍କ ସମେତ ୩ ଜଣ ଗୁରୁତର ଆହତ ହୋଇଥିଲେ । ପୁଲିସ୍ ସେମାନଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଇଛି ।
