୫-ଟି ବିଦ୍ୟାଳୟ ରୂପାନ୍ତରଣ କାମରେ ବ୍ୟାପକ ଅନିୟମିତତା ଅଭିଯୋଗ

ଜଳେଶ୍ବର : ଜଳେଶ୍ବର ବ୍ଲକରେ ୫-ଟି ବିଦ୍ୟାଳୟ ରୂପାନ୍ତରଣ କାମରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି । ଦୁଇଟି ପର୍ଯ୍ୟାୟରେ ବ୍ଲକର ୨୦ଟି ବିଦ୍ୟାଳୟର ରୂପାନ୍ତରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ଏଥିରେ ବ୍ୟାପକ ପିସି କାରବାର ହୋଇଥିବା ସୂଚନା ମିଳିଛି । ଆଉ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ବିଭିନ୍ନ ମହଲରୁ ଦାବି କରାଯାଇଛି ।

ଜଳେଶ୍ବର ବ୍ଲକରେ ପ୍ରଥମ ପର୍ଯ୍ୟାୟରେ ୨ଟି ଓ ଦ୍ବିତୀୟ ପର୍ଯ୍ୟାୟରେ ୧୮ଟି ହାଇସ୍କୁଲକୁ ୫-ଟିରେ ରୂପାନ୍ତରଣ କରାଯାଇଛି । ପ୍ରତି ସ୍କୁଲ ପାଇଁ ସରକାର ୪୫ ଲକ୍ଷ ଟଙ୍କା ଯୋଗାଉଥିବା ବେଳେ ସେଥିରୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ୭ ଲକ୍ଷ ୨୫ ହଜାର ଓ ଅବଶିଷ୍ଟ ଟଙ୍କା ବ୍ଲକ୍ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରାଯାଇଛି । ଏହି ଟଙ୍କାରେ ଭିତ୍ତିଭୂମି ବିକାଶ ସହ ସୌନ୍ଦର୍ଯ୍ୟକରଣ, ବେଞ୍ଚ, ଡେସ୍କ, ଚେୟାର ଟେବୁଲ, ବିଜ୍ଞାନ ଉପକରଣ, ପାଠାଗାର ଓ ଅନ୍ୟ ବିକାଶମୂଳକ କାର୍ଯ୍ୟ ହେବା କଥା । ତେବେ ବ୍ଲକ ପ୍ରଶାସନକୁ ଆସିଥିବା ଟଙ୍କା ପାଣି ଭଳି ଖର୍ଚ୍ଚ କରାଯାଇଥିବା ବେଳେ ଟଙ୍କା ଖର୍ଚ୍ଚ ପାଇଁ ଥିବା ସରକାରୀ ନିୟମର ଖୋଲାଖୋଲି ଉଲ୍ଲଂଘନ କରାଯାଇଛି । ଯେକୌଣସି ସରକାରୀ କାର୍ଯ୍ୟରେ ୧୦ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ ହେଉଥିଲେ ଟେଣ୍ଡର ଆହ୍ବାନ କରିବା ସରକାରୀ ନିୟମ ରହିଛି । ତେବେ ଜଳେଶ୍ବରର ଅଧିକାଂଶ ୫-ଟି ସ୍କୁଲ ରୂପାନ୍ତରଣ କାର୍ଯ୍ୟ ସମୟରେ ଅତି ଚତୁରତାର ସହ ଏକକାଳୀନ ୧୦ ଲକ୍ଷ ଟଙ୍କାର ପ୍ରକଳ୍ପକୁ କାର୍ଯ୍ୟକାରୀ କରାନଯାଇ ୫ ଲକ୍ଷ ଟଙ୍କା କିମ୍ବା ତା’ଠାରୁ କମ୍ ଟଙ୍କାର ଛୋଟ ଛୋଟ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି । ଏହିସବୁ କାର୍ଯ୍ୟ ଜେଇଙ୍କ ନାମରେ ରଖାଯାଇଥିବା ବେଳେ କାମଗୁଡ଼ିକୁ ଆଖିବୁଜି ବାଲେଶ୍ବର ଓ କେନ୍ଦ୍ରାପଡ଼ା ଅଞ୍ଚଳର ଠିକାସଂସ୍ଥା ବା ଏଜେନ୍ସିକୁ ଦିଆଯାଇଛି । ଏସବୁ ଠିକାସଂସ୍ଥା ସହ କାମ ପାଇଁ ଫିକ୍ସିଂ ହୋଇଥିବା ସନ୍ଦେହ ଘନୀଭୂତ ହୋଇଛି ।

ଅନ୍ୟପକ୍ଷରେ ସରକାରଙ୍କ ଯେ କୌଣସି ଉନ୍ନୟନ କାର୍ଯ୍ୟରେ ଠିକାସଂସ୍ଥା କିମ୍ବା ଏଜେନ୍ସି ଠାରୁ ଆବେଦନପତ୍ର ପାଇବା ପାଇଁ ଜିଲ୍ଲା ଓ୍ବେବସାଇଟ କୁହାଯାଉଥିବା ବାଲେଶ୍ବର ଡଟଏନଆଇସିଡଟଇନରେ ଏହି ସଂକ୍ରାନ୍ତୀୟ ବିଜ୍ଞପ୍ତି ଅପଲୋଡ୍ କରିବା ନିୟମ ଥିଲେ ବି ତାହା ହୋଇନାହିଁ । ଜିଲ୍ଲାର ଅନ୍ୟ ସବୁ ବ୍ଲକରେ ସରକାରଙ୍କ ଏସବୁ ନିୟମକୁ ଅନୁପାଳନ କରାଯାଇଥିବା ବେଳେ ଜଳେଶ୍ବରରେ ଏହାର ଖୋଲାଖୋଲି ଉଲ୍ଲଂଘନ କରାଯାଇଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ପ୍ରତି ୫-ଟି ସ୍କୁଲରେ ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ଗଠିତ ଆଲୁମନି ଏପରିକି ବିଦ୍ୟାଳୟର ପ୍ରଧାନଶିକ୍ଷକ ମଧ୍ୟ ବିଦ୍ୟାଳୟରେ କେତେ ଟଙ୍କା କେଉଁ କେଉଁ କାର୍ଯ୍ୟ ପାଇଁ ଖର୍ଚ୍ଚ ହୋଇଛି ତାହା ଜାଣିନାହାନ୍ତି । ସ୍କୁଲରେ ଏ ସଂକ୍ରାନ୍ତୀୟ କୌଣସି ସୂଚନାଫଳକ ମଧ୍ୟ ଲାଗିନାହିଁ । କୁହାଯାଇଛି ୫-ଟି ସ୍କୁଲ ରୂପାନ୍ତରଣ କାର୍ଯ୍ୟରେ ଚେୟାର, ଟେବୁଲ, ବେଞ୍ଚ ଡେସ୍କ, ମାର୍ବଲ, ଟାଇଲ, ଇଣ୍ଟେରିୟର ଓ ପ୍ଲାଇ କାମ ପାଇଁ ଆବଶ୍ୟକ ସାମଗ୍ରୀ କିଣାରେ ବ୍ୟାପକ ପିସି କାରବାର ହୋଇଛି । ପ୍ରାୟ ପ୍ରତି ବିଦ୍ୟାଳୟରେ ବ୍ୟାଡମିଣ୍ଟନ କୋର୍ଟ ତିଆରି ହୋଇଥିବା ବେଳେ ଏଥିପାଇଁ ମନଇଚ୍ଛା ବିଲ ପ୍ରଦାନ କରାଯାଇଛି ।

ଗତ ଫେବ୍ରୁଆରି ମାସ ଶେଷ ସପ୍ତାହରୁ ଜୁନ୍ ଦ୍ବିତୀୟ ସପ୍ତାହ ମଧ୍ୟରେ ଜଳେଶ୍ବରର ପାଖାପାଖି ୨୦ଟି ୫-ଟି ସ୍କୁଲ ପାଇଁ ୪ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବିଲ ପ୍ରଦାନ କରାଯାଇଛି । ମାତ୍ର ବିଲ ପ୍ରଦାନ ସମୟରେ ମଧ୍ୟ ସରକାରଙ୍କ ନିୟମ ଉଲ୍ଲଂଘନ କରାଯାଇଛି । ଏସବୁ ଅନିୟମିତତା ପଛରେ ବ୍ଲକ ପ୍ରଶାସନର ମୁଖିଆଙ୍କ ପ୍ରଚ୍ଛନ୍ନ ହାତ ରହିଥିବା ବେଳେ ଭିଜିଲାନ୍ସ ମାମଲା ପରେ ସେ ସବୁ ଅନିୟମିତତା ଧୀରେ ଧୀରେ ପଦାକୁ ଆସୁଥିବା ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *