ମାନ୍ୟମ୍‌କୁ ଅନୁମତି ; ଓଡ଼ିଶାକୁ ନା

ଜେମାଦେଇପେଣ୍ଠ : ଆଦିବାସୀ ବହୁଳ ନହୋଇ ବି ନୂତନ ଭାବେ ଗଠିତ ଆନ୍ଧ୍ରପ୍ରଦେଶର ମାନ୍ୟମ୍‌ ଜିଲାରେ ପ୍ରତିଷ୍ଠା ହେବ କେନ୍ଦ୍ରୀୟ ଆଦିବାସୀ ବିଶ୍ବବିଦ୍ୟାଳୟ । ଓଡ଼ିଶା ସୀମାନ୍ତ ଆଦିବାସୀ ବହୁଳ ଗଜପତି, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର, କୋରାପୁଟ ଆଦି ଆଦିବାସୀ ବହୁଳ ଜିଲାର ପିଲାମାନେ ସେଠାରେ ଉଚ୍ଚଶିକ୍ଷା ଗ୍ରହଣ କରିବେ । ଆଦିବାସୀ ଅଧ୍ୟୁଷିତ କେବିକେ ପଛୁଆ ଅଞ୍ଚଳ । ଓଡ଼ିଶାରେ ଆଦିବାସୀ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପାଇଁ ସମସ୍ତ ଭିତ୍ତିଭୂମି ଥାଇ ମଧ୍ୟ ଏହା ପ୍ରତିଷ୍ଠା ହୋଇ ନ ପାରିବାକୁ ସହଜେ ଗ୍ରହଣ କରିପାରୁନାହାନ୍ତି ମାଲିଭୂମିର ବୁଦ୍ଧିଜୀବୀ ।

ରାଜନୈତିକ ଇଚ୍ଛାଶକ୍ତି ଅଭାବ ଯୋଗୁଁ ଏହା ସୀମାନ୍ତ ରାଜ୍ୟକୁ ଚାଲିଯିବା ନିହାତି ପରିତାପର ବିଷୟ । ପୂର୍ବତନ ମାନବ ସମ୍ବଳ ମନ୍ତ୍ରୀ ଅର୍ଜୁନ ସିଂହ ନିଜ ରାଜନୈତିକ କ୍ଷମତା ପ୍ରୟୋଗ କରି ନିଜ ରାଜ୍ୟ ଅମରକଣ୍ଟାରେ ଏକ ଆଦିବାସୀ ବିଶ୍ବ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ; କିନ୍ତୁ ଆଦିବାସୀଙ୍କ ଅଧିକାର ପାଇଁ ଯୁକ୍ତି ବାଢୁଥିବା ନେତାଙ୍କର ଏହିବର୍ଗଙ୍କ ପାଇଁ କେତେ ଦରଦ ତାହା ସହଜରେ ଅନୁମେୟ । ବୃହତ୍ ରାଜ୍ୟମାନଙ୍କ ମଧ୍ୟରେ ଆଦିବାସୀ ଜନସଂଖ୍ୟା ଦୃଷ୍ଟିରୁ ଦେଶରେ ଓଡ଼ିଶାର ସ୍ଥାନ ତୃତୀୟ । ୨୦୧୧ ଜନଗଣନା ଅନୁଯାୟୀ ଓଡ଼ିଶାର ଜନସଂଖ୍ୟାର ୨୨.୮ ପ୍ରତିଶତ ଆଦିବାସୀ ବର୍ଗର; ଯାହାକି ସମଗ୍ର ଦେଶରେ ୯.୨ ପ୍ରତିଶତ ଆଦିବାସୀ କେବଳ ଓଡ଼ିଶାରେ ବସବାସ କରନ୍ତି । ପୁଣି ଆନ୍ଧ୍ର ନିଜ ଜନସଂଖ୍ୟାର ଅପେକ୍ଷାକୃତ କମ୍‌ ଅର୍ଥାତ୍‌ ୫.୩ ପ୍ରତିଶତ ଆଦିବାସୀ ଥିବାବେଳେ ଦେଶରେ ସମୁଦାୟ ଆଦିବାସୀ ସଂଖ୍ୟାର ମାତ୍ର ୨.୫ ପ୍ରତିଶତ ଆଦିବାସୀ ବସବାସ କରନ୍ତି । ପୁଣି ଆନ୍ଧ୍ର ସୀମାନ୍ତ ସାଲୁର୍, କମରଡ଼ା, ଗୁମାଲକ୍ଷ୍ମୀପୁରମ ମଣ୍ଡଳରେ ବସବାସ କରୁଥିବା ଦୁଲିଆ, ପାଇକ, ପୁଟିଆ, ଗଦବା ଗୁଟବ, ଗଦବା କନାଇ, ଗଦବା ବପୁ, ଗଦବା କଥିଆ, କୋଟିଆ, ବେନ୍ଥ ଓଡ଼ିଆ, ଦୋଲି କୋୟା, ପଟିଡି କୋୟା,ରାଜ କୋୟା, ଲିଙ୍ଗାଧାରୀ କୋୟା, ଓ ଶବର ଆଦି ୩୪ ପ୍ରକାର ଆଦିବାସୀ ବସବାସ କରୁଛନ୍ତି । ୨୦୧୩ ମସିହା ଅଗଷ୍ଟରେ ଏହି ଆଦିବାସୀଙ୍କୁ ସୀମାରୁ ଆଗତ (ମାଇଗ୍ରେଟ) ଓଡ଼ିଆ କହି ସରକାରୀ ସ୍ତରରେ ସ୍ଥାନ ସଂରକ୍ଷଣର ସମାନତା ଆଣିବା ପାଇଁ ତତ୍କାଳୀନ ଆନ୍ଧ୍ର ସରକାର ସର୍ବୋଚ୍ଚ ଅଦାଲତରେ ଏକ ଆବେଦନ ଦାୟର କରିଥିଲେ, ଯାହାକି ଆଜିପର୍ଯ୍ୟନ୍ତ ତାହା ଫାଇଲ ତଳେ ଅଛି ।

ସେହିପରି ଓଡ଼ିଶା ସୀମାନ୍ତ ରାୟଗଡ଼ା ଜିଲାରେ ଆଦିବାସୀଙ୍କ ସଂଖା ୨୦୧୧ ଜନଗଣନା ଅନୁଯାୟୀ ଜିଲାର ମୋଟ ଜନସଂଖ୍ୟାର ୧୪.୨୮ ପ୍ରତିଶତ ଅନୁସୂଚିତ ଜାତି, ୫୬ ପ୍ରତିଶତ ଜନ ଜାତି ଓ ୨୯.୬୫ ଅନ୍ୟାନ୍ୟ ସମ୍ପ୍ରଦାୟ ବସବାସ କରୁଥିବା ବେଳେ ସୀମାନ୍ତ ପଡୋଶୀ ଆନ୍ଧ୍ରର ୨୦୧୧ ଜନଗଣନା ଅନୁସାରେ ମାନ୍ୟମରେ ଜିଲାର ଏହି ସଂଖ୍ୟା ମାତ୍ର ୨୮.୧୪ ପ୍ରତିଶତ । ଏପରି ସ୍ଥଳେ ରାୟଗଡ଼ା ଜିଲା ସମେତ କେବିକେ ଜିଲାର ଆଦିବାସୀ ସଂଖ୍ୟା ଅନେକ ଗୁଣ ରହିଥିବାବେଳେ କେନ୍ଦ୍ରୀୟ ଆଦିବାସୀ ବିଶ୍ବବିଦ୍ୟାଳୟ ଓଡ଼ିଶା ସୀମାରେ ନ ହେବା ଆଦିବାସୀଙ୍କ ପ୍ରତି ଏକ ଅନ୍ୟାୟ ବୋଲି ଅଭିଯୋଗ ହେଉଛି ।

ଅନ୍ୟପକ୍ଷରେ ଏ ନେଇ ରାଜ୍ୟ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ କେନ୍ଦ୍ରୀୟ ଆଦିବାସୀ ବିଶ୍ବବିଦ୍ୟାଳୟ ଓଡ଼ିଶାରେ ପ୍ରତିଷ୍ଠା ହୋଇଥିଲେ ଭଲ ହୋଇଥାନ୍ତା, ତେବେ ମାନ୍ୟମରେ କାହିଁକି ପ୍ରତିଷ୍ଠା ହେଲା ​ସେ‌ ସମ୍ପର୍କ​‌ରେ କିଛି କହିବାକୁ ମନା କରି ଦେଇଛନ୍ତି ।

Leave a Reply

Your email address will not be published. Required fields are marked *