ବୈତରଣୀର ହେବ ଅକାଳ ମୃତ୍ୟୁ, ସ୍ଲରି ଶୋଷିଦେବ ପାଣି

କେନ୍ଦୁଝର : ଓଡ଼ିଶାର ଗଙ୍ଗା କୁହାଯାଉଥିବା ବୈତରଣୀ ନଦୀର ଅକାଳ ମୃତ୍ୟୁ ହେବାନେଇ ଆଶଙ୍କା ଦେଖାଦେଇଛି । ଏହାର ଉପର ମୁଣ୍ଡରେ ଯେଉଁଭଳି ଭାବେ ଖନନ ଚାଲିଛି ଏବଂ ସ୍ଲରି ପାଇପ୍‌ଲାଇନ୍‌ ଜରିଆରେ ଖଣିଜ ପରିବହନ ପାଇଁ ଯେଉଁ ପରିମାଣରେ ପାଣି ବ୍ୟବହାର କରାଯାଉଛି, ତାହା ହିଁ ଏହି ନଦୀକୁ ବିପଦ ଘେରକୁ ଟାଣିଆଣିବ ବୋଲି କୁହାଯାଉଛି ।

କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଲକ୍‌ ଅନ୍ତର୍ଗତ ଗୋନାସିକା ଠାରୁ ବାହାରି ଯୋଡ଼ା ଏବଂ ଚମ୍ପୁଆ ବ୍ଲକ୍‌ ଅତିକ୍ରମ କରିଛି ବୈତରଣୀ । ଏହି ନଦୀର କୂଳରେ ଏକାଧିକ ଖଣି ଏବଂ ଶିଳ୍ପସଂସ୍ଥା ଗଢ଼ି ଉଠିଛି । ହେଲେ, ନଦୀରେ ଶିଳ୍ପସଂସ୍ଥାରୁ ବାହାରୁଥିବା ବର୍ଜ୍ୟବସ୍ତୁ ପଡ଼ିବା ଦ୍ବାରା ବୈତରଣୀ ଜଳ ବ୍ୟବହାର ଉପଯୋଗୀ ହୋଇପାରୁନାହିଁ । ଅନ୍ୟପଟେ, ଏକାଧିକ ଶିଳ୍ପସଂସ୍ଥାର ସ୍ଲରି ପାଇପ୍‌ଲାଇନ୍‌ ବୈତରଣୀ ପାଇଁ ବିପଦର ପ୍ରମୁଖ କାରଣ ପାଲଟିଛି । ପୂର୍ବରୁ ଜିଲ୍ଲାରେ ମାତ୍ର ଦୁଇଟି କମ୍ପାନି ସ୍ଲରି ପାଇପ୍‌ଲାଇନ୍‌ ଦ୍ବାରା ଲୁହାପଥର ଗୁଣ୍ଡ ପରିବହନ କରୁଥିଲେ । ଏବେ ଏଥିରେ ଆଉ ଦୁଇଟି କମ୍ପାନି ଯୋଡ଼ି ହୋଇଛନ୍ତି । ଆଗାମୀ ଦିନରେ ଆହୁରି ଦୁଇଟି କମ୍ପାନି ନିଜର ଲୁହାପଥର ପରିବହନ ପାଇପ୍‌ଲାଇନ୍‌ରେ ଜରିଆରେ କରିବାକୁ ଆବେଦନ କରିଛନ୍ତି । ପୂର୍ବରୁ ବିଆର୍‌ପିଏଲ୍‌ ଏବଂ ଏସାର (ବର୍ତ୍ତମାନର ନିପୋ ମିତ୍ତଲ)ର ସ୍ଲରି ପାଇପ୍‌ଲାଇନ୍‌ ଥିଲା । ବିଆର୍‌ପିଏଲ୍‌ ବଡ଼ବିଲରୁ କଳିଙ୍ଗନଗର ପର୍ଯ୍ୟନ୍ତ ପ୍ରାୟ ୨୦୦ କିଲୋମିଟର ପାଇପ୍‌ ବିଛାଇଥିବାବେଳେ ଏସାର ବସନ୍ତପୁର ଠାରୁ ପାରାଦୀପ ପର୍ଯ୍ୟନ୍ତ ୨୦୦ କିମିରୁ ଊର୍ଦ୍ଧ୍ବ ପାଇପ୍‌ଲାଇନ୍‌ ବିଛାଇ ଲୁହାପଥର ଗୁଣ୍ଡ ପରିବହନ କରୁଛନ୍ତି । ବିଆର୍‌ପିଏଲ୍‌ ଏଥିପାଇଁ ବାର୍ଷିକ ୪୧ ଲକ୍ଷ ୯୯ ହଜାର ୫୪୪ କ୍ୟୁସେକ୍‌ ମିଟର ପାଣି ବୈତରଣୀରୁ ବ୍ୟବହାର କରୁଥିବା ବେଳେ ଏସାର ବାର୍ଷିକ ୧ କୋଟି ୫ ଲକ୍ଷ ୧୬ ହଜାର ୭୩୦ କ୍ୟୁସେକ୍‌ ମିଟର ପାଣି ବ୍ୟବହାର କରୁଛି । ଯଦିଓ ଏହା ହେଉଛି ସରକାରୀ ହିସାବ, ମାତ୍ର ପ୍ରକୃତ କ୍ଷେତ୍ରରେ ଏହି ଦୁଇ କମ୍ପାନି ବହୁ ଅଧିକ ପରିମାଣର ଜଳ ବୈତରଣୀରୁ ବ୍ୟବହାର କରୁଛନ୍ତି । ଏହା ବାଦ୍‌ ବର୍ତ୍ତମାନ ଜେଏସ୍‌ଡବ୍ଲ୍ୟୁ ଏବଂ ଜେଏସ୍‌ପିଏଲ୍‌ ନିଜନିଜର ପାଇପ୍‌ଲାଇନ୍‌ ବିଛାଇବା କାମ ଆରମ୍ଭ କରିଥିବାବେ‌ଳେ ଆଉ ଦୁଇଟି କମ୍ପାନି ସ୍ଲରି ପାଇପ୍‌ଲାଇନ୍‌ ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଆବେଦନ କରିଛନ୍ତି ।

ଏହା ଛଡ଼ା ବୈତରଣୀର ଉପରମୁଣ୍ଡରେ ଏକାଧିକ ଶିଳ୍ପସଂସ୍ଥା ନଦୀଗର୍ଭରେ ଇନ୍‌‌ଟେକ୍‌ ୱେଲ୍‌ କରି ପାଣି ନେଉଥିବା ବେଳେ ୪ଟି କମ୍ପାନି ସ୍ଲରି ପାଇପ୍‌ଲାଇନ୍‌ ପାଇଁ ପାଣି ନେବା ଦ୍ବାରା ‌ସ୍ବାଭାବିକ ଭାବେ ବୈତରଣୀର ଜଳସ୍ତର କମିବ । ଅଧିକାଂଶ ସମୟରେ ଏହା ଶୁଖିଲା ପଡ଼ିବ । ବୈତରଣୀର ଜଳ ଶୋଷଣ ସଂପର୍କରେ ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ ଅନୁସାରେ, ବୈତରଣୀର ଉପର ଭାଗରୁ ଦୁଇଟି ଉପାୟରେ ଶତାଧିକ ଶିଳ୍ପସଂସ୍ଥା ଜଳ ସଂଗ୍ରହ କରୁଛ । ପ୍ରଥମତଃ ନଦୀରୁ ସିଧାସଳଖ ଭାବେ କିଛି ଶିଳ୍ପସଂସ୍ଥା ଇନ୍‌ଟେକ୍‌ ୱେଲ୍‌ କରି ଜଳ ସଂଗ୍ରହ କରୁଥିବା ବେଳେ ଆଉ କିଛି ସଂସ୍ଥାକୁ ଗଭୀର ନଳକୂପ ଖନନ କରି ଜଳ ସଂଗ୍ରହ କରିବାକୁ ଅନୁମତି ଦିଆଯାଇଛି । କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡର ସୂଚନା ଅନୁସାରେ, କେନ୍ଦୁଝରରେ ୮୧ଟି ଶିଳ୍ପସଂସ୍ଥାକୁ ଗଭୀର ନଳକୂପ ଖୋଳିବା ପାଇଁ ଅନୁମତି ଦିଆଯାଇଛି । ବୈତରଣୀ ନଦୀକୂଳ‌ରେ ଏସବୁ ଶିଳ୍ପସଂସ୍ଥା ଅବସ୍ଥିତ ଥିବାରୁ ବହୁଳ ମାତ୍ରା‌ରେ ଭୂତଳ ଜଳ ସଂଗ୍ରହ କରିବା ଦ୍ବାରା ବୈତରଣୀ ସିଧାସଳଖ ପ୍ରଭାବିତ ହେଉଥିବା ଦେଖିବାକୁ ମିଳିଛି ।

ଅନ୍ୟ ପକ୍ଷରେ, ବର୍ଷା ଦିନେ ଶିଳ୍ପସଂସ୍ଥାଗୁଡ଼ିକ ମନଇଚ୍ଛା ପାଣି ଶୋଷିଲେ ମଧ୍ୟ ବୈତରଣୀରେ ପାଣି ରହୁଛି । ମାତ୍ର ଖରାଦିନେ ବୈତରଣୀ ଶୁଖିଲା ପଡ଼ିଥାଏ । କେନ୍ଦ୍ରୀୟ ଜଳ ଆୟୋଗ ବିଭିନ୍ନ ଶିଳ୍ପସଂସ୍ଥାଙ୍କ ଜଳ ସଂଗ୍ରହ ସମ୍ପର୍କରେ ଏକ ଆକଳନ କରିଛନ୍ତି । ୧୯୯୨ ରୁ ୨୦୦୯ ମସିହା ପର୍ଯ୍ୟନ୍ତ ଜଳ ବ୍ୟବହାର ତଥ୍ୟକୁ ଆଧାର କରି ଜଳ ଆୟୋଗ ଆକଳନ କରିଛନ୍ତି ଯେ, ଆଗାମୀ ଦିନରେ ବୈତରଣୀର ଉପର ଭାଗ ବାସୁଦେବପୁର ଅଞ୍ଚଳ ଦେଇ ଯେତିକି ପରିମାଣର ଜଳସ୍ରୋତ ପ୍ରବାହିତ ହେବ ସେଥିରୁ ସର୍ବାଧିକ ଶିଳ୍ପସଂସ୍ଥା ଶୋଷି ନେବେ । ମାର୍ଚ୍ଚ ମାସରେ ଜଳସ୍ରୋତର ୭୨ ପ୍ରତିଶତ, ଏପ୍ରିଲରେ ୮୭ ପ୍ରତିଶତ ଏବଂ ମେରେ ୪୯ ପ୍ରତିଶତ ଜଳ ବିଭିନ୍ନ ଶିଳ୍ପସଂସ୍ଥା ‌‌ଶୋଷି ନେବେ ।  ଅର୍ଥାତ୍‌ ବୈତରଣୀ ଖରାଦିନେ ଶୁଖିଯିବା ନିଶ୍ଚିତ ବୋଲି ଲାଗୁଛି ।

Leave a Reply

Your email address will not be published. Required fields are marked *