କେନ୍ଦୁଝର : ରାସ୍ତା କଡ଼ରୁ ନବଜାତକ ଶିଶୁ ଉଦ୍ଧାର । ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅଞ୍ଚଳରେ । ଗତକାଲି ବିଳମ୍ବିତ ରାତିରେ ସଢା ଗ୍ରାମର କିଛି ଯୁବକ ମହୁଦା ଗ୍ରାମରୁ ଭୋଜି ଖାଇ ଫେରୁଥିବା ବେଳେ ମିଠିଗାଁ ରାସ୍ତା କଡ଼ରୁ ଏକ ନବଜାତ ଶିଶୁ ପୁତ୍ରକୁ ପାଇଥିଲେ ।
ନବଜାତ ଶିଶୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ କାନ୍ଦୁଥିବାର ଦେଖି ଉଦ୍ଧାର କରିଥିଲେ । ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ସାହାଯ୍ୟରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବାବେଳେ ନବଜାତ ଶିଶୁ ପୁତ୍ରକୁ କିଏ ଏବଂ କାହିଁକି ଏଭଳି ଅବସ୍ଥାରେ ଫିଙ୍ଗି ଦେଇଛି ପୋଲିସର ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡ଼ିବ ।
