କେନ୍ଦୁଝରରେ କୁପୋଷଣ ଓ ରକ୍ତହୀନତାର ସଙ୍ଗୀନ ଚିତ୍ର, ପୋଷଣ ଅଭାବରୁ ହୋଇପାରୁନି ଶିଶୁର ମାନସିକ ଓ ଶାରୀରିକ ବିକାଶ

କେନ୍ଦୁଝର : କେନ୍ଦୁଝରରେ କୁପୋଷଣ ଓ ରକ୍ତହୀନତାର ସଙ୍ଗୀନ ଚିତ୍ର । ପୋଷଣ ଅଭାବରୁ ହୋଇପାରୁନି ଶିଶୁର ମାନସିକ ଓ ଶାରୀରିକ ବିକାଶ । ଜିଲ୍ଲାରେ ୭୪ ପ୍ରତିଶତ ମହିଳା ରକ୍ତହୀନତାର ଶିକାର । ଜିଲ୍ଲାରେ ହାରାହାରି ଶିଶୁ ମୃତ୍ୟୁ ସଂଖ୍ୟା  ୫୩ ।

ତଳେ ପ୍ରାଚୁର୍ଯ୍ୟ ଉପରେ ଦାରିଦ୍ର୍ୟ । ଏଠି ମହିଳା ଏବଂ ଶିଶୁଙ୍କ ନିମ୍ନତମ ଆବଶ୍ୟକତା ପୂରଣ ହେଉନି । ଖଣି ଖାଦାନ ଭରା କେନ୍ଦୁଝର ଜିଲ୍ଲାରେ ଅପପୁଷ୍ଟର ବିକଳ ଚିତ୍ର । ତଥ୍ୟ କହୁଛି, ଦେଶର ଗଛିତ ଥିବା ଖଣିଜ ଲୌହର ସର୍ବାଧିକ ଅଂଶ ରହିଛି କେନ୍ଦୁଝର ଜିଲ୍ଲାରେ । ଆର୍ଥିକ ଦୃଷ୍ଟିରୁ କେନ୍ଦୁଝର ସହ ରାଜ୍ୟର କୌଣସି ଜିଲ୍ଲା ସମକକ୍ଷ ନୁହଁନ୍ତି ।

କିନ୍ତୁ ଏଠାକାର ମହିଳା ରକ୍ତହୀନତାର ଶିକାର ହୋଇ ମୃତ୍ୟୁବରଣ କରୁଛି, ପୋଷଣ ଅଭାବରୁ ଶିଶୁର ମାନସିକ ଓ ଶାରୀରିକ ବିକାଶ ହେଉନାହିଁ । କେନ୍ଦୁଝରରେ ହିଁ ରାଜ୍ୟର ସର୍ବାଧିକ ରକ୍ତହୀନତାର ଶିକାର ମହିଳା ଏବଂ କୁପୋଷଣର ଶିକାର ଶିଶୁ ରହିଛନ୍ତି । ଗତ ସେପ୍ଟେମ୍ବର ୧ ରୁ ୧୮ ଭିତରେ ଜିଲ୍ଲାରେ ୧୩ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ଯାହାକୁ ନେଇ ଜିଲ୍ଲାରେ ହଇଚଇ ସୃଷ୍ଟି ହେବା ପରେ ଗଣମାଧ୍ୟମରେ ମୁଁହ ଖୋଲିଥିଲେ ସ୍ବାସ୍ଥ୍ୟମନ୍ତ୍ରୀ ।  କହିଥିଲେ ଶିଶୁଙ୍କ ଓଜନ କମ୍ ଥିବା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିଲା ।

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଏହି ବୟାନ ହିଁ ଖୋଲି ଦେଇଛି ସ୍ବାସ୍ଥ୍ୟସେବାର ଅସଲ ଗୁମର । ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅନ୍ୟ ଜିଲ୍ଲା ତୁଳନାରେ ସବୁଠୁ ତଳେ ରହିଛି କେନ୍ଦୁଝର । ରାଜ୍ୟରେ ମୋଟ୍ ୧୩.୪୮ ଲକ୍ଷ ପରିବାରରେ କୁପୋଷଣ ଶିଶୁ ଏବଂ ଗର୍ଭବତୀ ରକ୍ତହୀନତାର ଶିକାର ଥିବାବେଳେ କେବଳ କେନ୍ଦୁଝରରେ ଏହି ସଂଖ୍ୟା ୯୮ ହଜାର ୯୧୮ ।

Leave a Reply

Your email address will not be published. Required fields are marked *