ବୃକ୍ଷ ରୋପଣ ନାଁରେ ଲକ୍ଷାଧିକ ଟଙ୍କାର ଦୁର୍ନୀତି

କେନ୍ଦୁଝର : ବୃକ୍ଷ ରୋପଣ ନାଁରେ ଲକ୍ଷାଧିକ ଟଙ୍କାର ଦୁର୍ନୀତି ଅଭିଯୋଗ । ବିଭାଗୀୟ ଅଧିକାରୀ ଓ କାର୍ଯ୍ୟକାରୀ ସଂସ୍ଥାର ମିଲି ଭଗତରେ ଚାଲିଛି ହରିଲୁଟ । ଏଭଳି ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲା, ଚମ୍ପୁଆ ବ୍ଲକ୍, କରଞ୍ଜିଆ ଗାଁରୁ । ୩୨ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇ ବୃକ୍ଷ ରୋପଣ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେଲା, ଫଳକ ବି ଲାଗିଲା, ହେଲେ ପ୍ରକଳ୍ପ ସ୍ଥାନରେ ଗୋଟେ ହେଲେ ବି ଗଛର ନାଁ ଗନ୍ଧ ନାହିଁ । ବାଡ଼ ଯଦି କ୍ଷେତ ଖାଇବ ଲୋକେ ଭରସା କରିବେ କାହାକୁ । ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ହିତାଧିକାରୀ ।

ଗ୍ରାମରେ ୨୦ ଜଣ ହିତାଧିକାରୀଙ୍କ ୨୦ ଏକର ଜମିରେ ଆମ୍ବ ଓ କାଜୁ ବଗିଚା କରାଇଦେବା ନାଁରେ ବୃକ୍ଷ ରୋପଣ କରାଗଲା । ଏଥିପାଇଁ ମହାତ୍ମା ଗାନ୍ଧି ନିଶ୍ଚିତ କର୍ମ ନିଜୁକ୍ତି ଯୋଜନାରୁ ୧୨ ଲକ୍ଷ ୩ ହଜାର ୭୫୦ ଟଙ୍କା ଓ ଜିଲ୍ଲା ଖଣିଜ ଉନ୍ନୟନ ପାଣ୍ଠିରୁ ୨୦ ଲକ୍ଷ ୧୭ ହଜାର ୭ ଶହ ୮୦ ଟଙ୍କା ଏହିପରି ମୋଟ୍ ୩୨ ଲକ୍ଷ ୨୧ ହଜାର ୫ ଶହ ୩୦ ଟଙ୍କା ବ୍ୟୟ ବରାଦ କରାଗଲା ।

ହେଲେ କେବଳ ଫଳକରେ ସିମୀତ ରହିଯାଇଛି ଏହି ପ୍ରକଳ୍ପ । ଦେଖନ୍ତୁ ଏହି ୨୦ ଏକର ଜାଗାକୁ । ନା ଆମ୍ବ ନା କାଜୁ ଗୋଟିଏ ହେଲେ ବି ଗଛ ଦେଖିବାକୁ ମିଳିବନାହିଁ । ସରକାରୀ ତହବିଲରୁ ଯୋଜନାକୁ କାଗଜପତ୍ରରେ ରୂପାନ୍ତରିତ କରାଯିିବା ପାଇଁ କିଭଳି ଲକ୍ଷଲକ୍ଷ ଟଙ୍କା ଚଳୁ କରାଯାଉଛି, ତାହା ଏଠାରୁ ସ୍ପଷ୍ଟ ଅନୁମେୟ ।

ଏହି ପ୍ରକଳ୍ପ ପାଇଁ କେନ୍ଦୁଝରର ଏସ୍ ଜି ଏଫ୍ ନାମକ ସଂସ୍ଥାକୁ କାମ ଦିଆଯାଇଥିଲା । ୨୦୧୯-୨୦ ଆର୍ଥିକ ବର୍ଷରେ କାମ ଆରମ୍ଭ କରିଥିଲା ଏହି କାର୍ଯ୍ୟକାରୀ ସଂସ୍ଥା । ପ୍ରକଳ୍ପ ସ୍ଥାନରେ ତାର ବାଡ଼ ସହ ଜଳ ସେଚନ ପାଇଁ ୨ଟି ସୋଲାର ଚାଳିତ ବୋରିଂ କରି ଅଳ୍ପ କିଛି ଗଛ ବି ଲଗାଇଲା ସଂପୃକ୍ତ ଏଜେନ୍ସି । ବାସ୍ ସେତିକିରେ କାମ ସରିଗଲା ।  ଗଛର ରକ୍ଷଣ ବେକ୍ଷଣ ଓ ସୁରକ୍ଷା ପାଇଁ କୌଣସି ପଦକ୍ଷେପ ନିଆଗଲା ନାହିଁ । ହିତାଧିକାରୀ ଆଶା ରଖିଥିଲେ ସେମାନଙ୍କ ଜମିରେ ଲଗାଯିବା ଗଛରୁ ଲାଭ ପାଇବେ ହେଲେ, ଆଶା ଆଶାରେ ରହିଗଲା  ।

ଜମିରେ ଗଛ ଲାଗିବ ବୋଲି ହିତାଧିକାରୀ ୩ ବର୍ଷ ଧରି ଅପେକ୍ଷା କଲେ । ହେଲେ ଜମି ସେମିତି ପଡ଼ିଆ ହୋଇ ପଡ଼ି ରହିଲା । କେତେବା ଅପେକ୍ଷା କରିଥାଆନ୍ତେ, ଶେଷରେ ନିଜ ଜମିକୁ ନିଜ ଅକ୍ତିଆରକୁ ନେଇ ବ୍ୟବହାର କଲେ । କିଏ ପନିପରିବା ଚାଷ କଲା ତ ଆଉ କିଏ ପୋଖରୀ ଖୋଳିଲା । ଏଭଳି ପରିସ୍ଥିତିରେ ଆଗକୁ ଏହି ପ୍ରକଳ୍ପ ହେବା ନେଇ ଅନିଶ୍ଚିତତା ଦେଖାଦେଇଛି ।

Leave a Reply

Your email address will not be published. Required fields are marked *