ବୁର୍ଲା : ସମ୍ବଲପୁର ଜିଲ୍ଲା ଧନକଉଡ଼ା ବ୍ଲକ ଗୋଶାଳାରୁ ମୁଣ୍ଡୋଘାଟ ମଧ୍ୟରେ ଅନେକ ରାଇସ୍ ମିଲ୍ ରହିଛି l ଏହି ରାଇସ୍ ମିଲ୍ମାନଙ୍କର ପ୍ରଦୂଷଣ ଯୋଗୁ ସ୍ଥାନୀୟ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଖପ୍ସିପାଲିରୁ ପରଦେଶୀ ପଡ଼ା ପର୍ଯ୍ୟନ୍ତ ଧାନ ମିଲ୍ଗୁଡିକରୁ ବାହାରୁଥିବା ପାଉଁଶ ଗୁଣ୍ଡ ପରିବେଶ ସୁରକ୍ଷା ନିୟମ ପାଲନ କରି ସ୍ବତନ୍ତ୍ର ଡମ୍ପିଂର ବ୍ୟବସ୍ଥା କରିବା କଥା । ମାତ୍ର, ମିଲ୍ ମାଲିକମାନେ ନିଜ ଖର୍ଚ୍ଚ ବଞ୍ଚାଇବା ପାଇଁ ରାସ୍ତାର ଉଭୟ ପାର୍ଶ୍ବରେ ପକାଉଥିବାରୁ ପଥଚାରୀମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସାମାନ୍ୟ ପବନ ବୋହିଲେ ପାଉଁଶ ଉଡ଼ି ଲୋକଙ୍କ ଆଖିରେ ପଡୁଛି । ଦୁର୍ଘଟଣା ଘଟୁଛି ଓ ଯଦ୍ୱାରା ସେମାନେ ଡାକ୍ତରଖାନା ଯାଇ ଖର୍ଚ୍ଚାନ୍ତ ହେଉଥିବା ନଜର ରହିଛି l
ଏପରିକି ଅଧିକ ପବନ ହେଲେ ପାଉଁଶ ଉଡ଼ି ପଥଚାରୀମାନଙ୍କ ଦେହରେ ପୋତି ହୋଇଛି । ତେବେ ଏନେଇ ମିଲ୍ ମାଲିକମାନଙ୍କୁ ପଚାରିଲେ ଆମେ ରାସ୍ତାରେ ପାଉଁଶ ପକାଉ ନାହୁଁ ବୋଲି ନିଜ ଦୋଷ ଛାଡ଼ିବାକୁ ଚେଷ୍ଟା କରୁଛନ୍ତି । ଏହି ଘଟଣା ସମ୍ପର୍କରେ ଚନ୍ଦ୍ରମା ରାଇସ୍ ମିଲ୍ ମାଲିକ ଚନ୍ଦନ ଶର୍ମାଙ୍କୁ ପଚାରିବାରୁ ସେ କହିଲେ ଯେ ରାସ୍ତା କଡ଼ରେ ପଡ଼ିଥିବା ପାଉଁଶ କୌଣସି ଗୋଟିଏ ରାଇସ୍ ମିଲ୍ର ନୁହେଁ । ଦୁଇ ଚାରି ମାସ ହେବ ଡମ୍ପିଂ ଗାଡ଼ି ଆସୁ ନଥିବାରୁ ଏତେ ପରିମାଣର ପାଉଁଶ ଜମା ହୋଇଯାଇଥିଲା । ଏହାକୁ ହଟେଇବାକୁ ଆମେ ଚେଷ୍ଟା କରୁଛୁ । କିନ୍ତୁ, ଏଥିପାଇଁ କିଛି ସମୟ ଲାଗିବ । ଏହି ଘଟଣାକୁ ଗୁରୁତର ସହ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଂପୃକ୍ତ ମିଲର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।
