କନ୍ଧମାଳରେ ଜଳ ଯୋଗାଣର ବିକଟ ଚିତ୍ର : ଅଚଳ ହୋଇ ପଡ଼ିଛି ୩୫% ନଳକୂଅ

ଭୁବନେଶ୍ୱର : ରାଜ୍ୟ ସରକାର ୨୦୨୪ ସୁଦ୍ଧା ସବୁ ଘରକୁ ପିଇବା ପାଣି ଯୋଗାଇବା ପାଇଁ ଯୋଜନା କରୁଛନ୍ତି । ଏଭଳି ସ୍ଥିତିରେ କନ୍ଧମାଳ ଜଳଯୋଗାଣର ବିକଟ ଚିତ୍ର ଉପାସ୍ଥାପିତ କରିଛନ୍ତି ସାମାଜିକ ସଂଗଠନ ଆତ୍ମଶକ୍ତି ଟ୍ରଷ୍ଟ, ଓଡ଼ିଶା ଶ୍ରମଜୀବୀ ମଞ୍ଚ, ମହିଳା ଶ୍ରମଜୀବୀ ମଞ୍ଚ ଏବଂ ଜୀବିକା ସୁରକ୍ଷା ମଞ୍ଚ । ‘ଜଳର ଉପଲବ୍ଧତା ଏବଂ ଉତ୍ସ’ ସମ୍ପର୍କିତ ଅନ୍‌ଲାଇନ ସର୍ଭେରୁ ଏହା ଜଣାପଡ଼ିଥିବା ସଂଗଠନ କହିଛି । କନ୍ଧମାଳ ଜିଲ୍ଲାର କୋଟଗଡ ବ୍ଲକ ଅଧୀନସ୍ଥ ୧୫ଟି ଗ୍ରାମ ପଞ୍ଚାୟତର ୩୦୪ଟି ଗାଁରେ ଏହି ସର୍ଭେ କରାଯାଇଛି । କନ୍ଧମାଳ ଜିଲ୍ଲା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ତଥ୍ୟ ଅନୁସାରେ କୋଟଗଡ ବ୍ଲକର ସମସ୍ତ ନଳକୂପ ଠିକ ଭାବରେ କାର୍ଯ୍ୟ କରୁଛି ।

ସର୍ଭେ ଅନୁସାରେ ଏଠାରେ ଥିବା ୩୦୪ ଟି ଗାଁରେ ସମୁଦାୟ ୬୦୪ଟି ନଳକୂପ ରହିଛି । ଏଥିରୁ ୨୧୫ଟି (୩୫.୬%) ଲୁହା ମିଶ୍ରିତ ଏବଂ ପାଣି ଅଭାବ ଯୋଗୁଁ ଅବ୍ୟବହୃତ ହୋଇପଡ଼ିଛି । କେବଳ୪୯ (୮%) ଟିରେ ସୋକ୍‌ପିଟ ଅଛି । ୨୭୨ (୪୫%) ନଳକୂପ ରେ କୌଣସି ପ୍ଲାଟଫର୍ମ ନାହିଁ । ୫୪ଟି (୧୭.୭୬%) ଗାଁରେ ଏକ ସୌରଟାଙ୍କି ଅଛି। ୨୨ଟି (୪୦.୭%) କାର୍ଯ୍ୟକ୍ଷମ ଅଛି । ୩୨ଟି (୫୯.୩%)ଗାଁରେ ମୋଟର ପମ୍ପରେ ସମସ୍ୟା ରହିଛି । ଭୂତଳ ଜଳସ୍ତର ଏବଂ କ୍ଷତି ହେତୁ କିମ୍ବା ଷ୍ଟାଣ୍ଡ-ପୋଷ୍ଟର ଅଭାବ ଯୋଗୁଁ ଅଚଳ ହୋଇ ପଡ଼ିରହିଛି । ଏହି ଅଞ୍ଚଳରେ ୧୭୪ଟି (୫୭.୨%) ଗାଁର ଲୋକେ କୂଅ ଉପରେ ନିର୍ଭରଶୀଳ କିନ୍ତୁ ଗ୍ରୀଷ୍ମ ଋତୁରେ ଭୂତଳ ଜଳସ୍ତର ନିମ୍ନଗାମୀ ହେଉଥିବାରୁ ଗ୍ରାମବାସୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ଷା ଋତୁରେ ମଇଳା ପାଣି ଯୋଗୁଁ ଗ୍ରାମବାସୀ ପାନୀୟ ଜଳ ପାଇଁ ଅନେକ ସମସ୍ୟା ଭୋଗୁଛନ୍ତି । ଜଳ ନିଷ୍କାସନ ସମସ୍ୟା ମଧ୍ୟ ଗ୍ରାମବାସୀଙ୍କ ଚିନ୍ତା ବଢ଼ାଇ ଦେଉଛି ।

ସର୍ବେକ୍ଷଣରୁ ଜଣାପଡ଼ିଛି ଯେ କେବଳ ୮୫ଟି (୨୮%) ଗାଁରେ ଜଳ ନିଷ୍କାସନ ବ୍ୟବସ୍ଥା ଅଛି । ମୋଟ ୨୨ଟି (୨୫.୮୮%) ଗାଁରେ ଜଳ ନିଷ୍କାସନ ସଂରଚନା କାମ କରୁନାହିଁ ଏବଂ ୨୮ ଟି (୩୩%) ଗାଁର ଜଳ ନିଷ୍କାସନ ସଂରଚନା ଆଂଶିକ ଭାବେ ନଷ୍ଟ ହୋଇଯାଇଛି । ଯଦିଓ ଅନେକ ଗାଁରେ ପାନୀୟ ଜଳର ସୁବିଧା ଅଛି, କିନ୍ତୁ ଏହା ପାନୀୟ ବା ବ୍ୟବହାର ଉପଯୋଗୀ ନୁହେଁ । ସର୍ବେକ୍ଷଣର ତଥ୍ୟ ଅନୁସାରେ ୨୨୬ (୭୪.୩%) ଗାଁରେ କାଦୁଅ ଏବଂ ଲୁହା ପାଣି ପରି ଦୂଷିତ ଜଳ ବାହାରୁଛି ଯାହା ଆଦୌ ପିଇବା ଯୋଗ୍ୟ ନୁହେଁ । ଫଳରେ ଲୋକମାନେ ଝାଡ଼ାବାନ୍ତି ଭଳି ରୋଗରେ ପଡ଼ୁଛନ୍ତି । ଅପରପକ୍ଷରେ ଲୋକମାନେ ବର୍ଷା ଜଳ ଉପରେ ନିର୍ଭର କରନ୍ତି । କିନ୍ତୁ ଏହା ମଣିଷକୁ ଅସୁସ୍ଥ କରିଥାଏ । ସରକାରୀ ତଥ୍ୟ ଅନୁସାରେ ଜିଲ୍ଲାର କୋଟଗଡ଼ ବ୍ଲକରେ ପ୍ରାୟ ୧୮୦୦୦ ରୁ ଅଧିକ ପରିବାର ବସବାସ କରନ୍ତି । ଏହି ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ଏହି ୧୮୦୦୦ ପରିବାର ମଧ୍ୟରୁ କେବଳ ୫୦୦୮ ପରିବାର ନିଜ ଘରେ ଶୌଚାଳୟ ନିର୍ମାଣ କରିଛନ୍ତି, ଯେଉଁଥିରୁ କେବଳ ୧୫୩୬ଟି ପରିବାର ଶୌଚାଳୟ ବ୍ୟବହାର କରୁଛନ୍ତି ।

Leave a Reply

Your email address will not be published. Required fields are marked *