ପଶ୍ଚିମ ଓଡ଼ିଶାରେ ସୀମା ପାର କରୁଛି ଟାଟା ପାୱାରର ମନମୁଖୀ କାର୍ଯ୍ୟ

ସମ୍ବଲପୁର : ପଶ୍ଚିମ ଓଡ଼ିଶାରେ ବିଜୁଳି ବିତରଣ କରୁଥିବା ଟାଟା ପାୱାରର ମନମୁଖୀ କାର୍ଯ୍ୟ ସୀମା ପାର କରି ସାରିଛି । ବର୍ଷ ତମାମ ବିଭିନ୍ନ ଆଳରେ ମନଇଚ୍ଛା ଅଘୋଷିତ ବିଦ୍ୟୁତ କାଟ କରି ଚାଲିଥିବା ବେଳେ ବିଜୁଳି ଗ୍ରିଡ ଓ ସବ ଷ୍ଟେସନ ଆଦିର ମାସିକ ଓ ବାର୍ଷିକ ରକ୍ଷଣାବେକ୍ଷଣ ନାମରେ ବିଜୁଳି କାଟ ଉପଭୋକ୍ତାମାନଙ୍କୁ ହନ୍ତସନ୍ତ କରି ରଖି ଦେଇଛି । ଶନିବାର ୧୫ ଅକ୍ଟୋବରରେ ସମ୍ବଲପୁର ସହର ସମେତ ଆଖାପାଖ ଅଞ୍ଚଳରେ ଓପିଟିସିଏସଲର ବାର୍ଷିକ ରକ୍ଷଣାବେକ୍ଷଣ ଓ ମରାମତି ନିମନ୍ତେ ସକାଳ ୮ଟା ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବିଜୁଳି କାଟର ଘୋଷଣା ୧୨ ଅକ୍ଟୋବରରେ କରାଯିବା ସହିତ ୧୪ ତାରିଖ ଶୁକ୍ରବାର ଏ ସର୍ମ୍ପକରେ ଡାକବାଜି ଯନ୍ତ୍ର ଲଗା ଗାଡି ଦ୍ୱାରା ସହରରେ ଘୋଷଣା ମଧ୍ୟ କରାଯାଇଥିଲା । ତେବେ କୌଣସି କାରଣରୁ ୧୪ ତାରିଖ ରାତ୍ର ପ୍ରାୟ ସାଢ଼େ ୭ଟା ସମୟରେ ଟାଟା ପାୱାରର ପଶ୍ଚିମ ଓଡ଼ିଶା ସର୍ମ୍ପକ ପ୍ରମୁଖ ମନୋଜ ପଟ୍ଟନାୟକ ଏକ ପ୍ରେସ ବାର୍ତ୍ତା ଦେଇ ୧୫ ତାରିଖ (ଶନିବାର)ରେ ବିଜୁଳି କାଟ ହେବ ନାହିଁ ବୋଲି ସୂଚନା ଦେଇ ସମସ୍ତ ଗଣମାଧ୍ୟମକୁ ଏହି ସୂଚନା ଜନତାଙ୍କୁ ପ୍ରଦାନ ପାଇଁ ଅନୁରୋଧ କରିଥିଲେ । ଗଣମାଧ୍ୟମମାନେ ନିଜର ଦାୟିତ୍ୱ ନିର୍ବାହ କରି ଜନତାଙ୍କୁ ସମ୍ବଲପୁର ସହରରେ ବିଜୁଳି କାଟ ହେବ ନାହିଁ ବୋଲି ଟାଟା କମ୍ପାନୀ ଦ୍ୱାରା ସୂଚିତ ସୂଚନା ପ୍ରଦାନ କରିଥିଲେ । କିନ୍ତୁ ମନମାନୀ କରିବାରେ ଅଭ୍ୟସ୍ଥ ଟାଟା ପାୱାର ଅଚାନକ ବିନା କୌଣସି ସୂଚନାରେ ସକାଳ ୮ଟା ପରେ ବିଦ୍ୟୁତ କାଟ କରି ଦେଇଥିଲେ । ଏଭଳି ବିଭ୍ରାଟ ଯୋଗୁଁ ଗଣମାଧ୍ୟମ ପ୍ରତିନିଧି ଓ ଜନତାଙ୍କ ପକ୍ଷରୁ ଟାଟା ପାୱାରକୁ ସର୍ମ୍ପକ କରାଯିବାରୁ ସମସ୍ତ ଅଧିକାରୀମାନେ ଚୁପ ହୋଇ ରହି ଯାଇଥିଲେ । ପରବର୍ତ୍ତୀ ସମୟରେ ବିଭିନ୍ନ ଆଳ ଦେଖାଇ ସେମାନଙ୍କର ମନମୁଖୀ କାର୍ଯ୍ୟକୁ ଠିକ ବୋଲି ସାବ୍ୟସ୍ତ କରିବାକୁ ଅପଚେଷ୍ଟା କରିଛନ୍ତି ।

ଟାଟା ପାୱାର କମ୍ପାନୀର ଆଭିମୁଖ୍ୟରୁ ସ୍ପଷ୍ଟ ଜଣାପଡୁଛି ଯେ, ବିଜୁଳି ବିତରଣ ଦାୟିତ୍ୱ ନେଇଥିବା ଏହି କମ୍ପାନୀ ଉପରେ ସରକାରଙ୍କ ନିୟନ୍ତ୍ରଣ ନଥିବା ବେଳେ ସେମାନେ ଗ୍ରାହକମାନଙ୍କର ସୁବିଧା ପାଇଁ ତିଳେ ହେଲେ ଇଚ୍ଛୁକ ନୁହନ୍ତି । କେବଳ ରାଜସ୍ୱ ଆଦାୟରେ ଫୋକସ ରଖି ବର୍ଷତମାମ ଅଘୋଷିତ ବିଦ୍ୟୁତ କାଟ, ରକ୍ଷଣାବେକ୍ଷଣ ନାମରେ ପ୍ରତି ମାସ ୮ ରୁ ୧୨ ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତ କାଟ କରୁଥିବାରୁ ଜନତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ଶନିବାରର ଅଘୋଷିତ ବିଦ୍ୟୁତ କାଟ ଯୋଗୁଁ ଅନେକ ଅଞ୍ଚଳକୁ ଜଳ ଯୋଗାଣ ହୋଇପାରି ନଥିବାରୁ ଲୋକେ ଗଭୀର ପାନୀୟ ଜଳ ସଙ୍କଟର ସମ୍ମୁଖୀନ ହୋଇଥିଲେ । ଏଥିସହ ଡାକ୍ତରଖାନାଗୁଡିକରେ ରୋଗୀମାନଙ୍କ ସମେତ ବରିଷ୍ଠ ନାଗରିକ ଓ ଜନତା ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଦିନତମାମ ବିଜୁଳି କାଟ ହୋଇଥିବା ବେଳେ ସହରର ଅନେକ ଅଞ୍ଚଳରେ ଅପରାହ୍ନ ବଦଳରେ ସନ୍ଧ୍ୟା ସମୟରେ ବିଦ୍ୟୁତ ସରବରାହ ଚାଲୁ ହୋଇଥିଲା । ଅପରପକ୍ଷରେ ଟାଟା କମ୍ପାନୀର ମନମୁଖୀ କାର୍ଯ୍ୟ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହାକୁ ନେଇ ଜନତାଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଉଛି, ଯାହାକି ଖୁବ ଶିଘ୍ର ବିସ୍ପୋଟକ ରୂପ ନେଇ ପାରେ ବୋଲି ଅନୁମାନ କରାଯାଉଛି ।

Leave a Reply

Your email address will not be published. Required fields are marked *