ଆର୍‌ଡବ୍ଲୁଏସ୍‌ଏସ୍‌ ଡିଭିଜନର ଗୁପ୍ତଟେଣ୍ଡର କେଳେଙ୍କାରୀ : ତଦନ୍ତ କରିବେ ଅତିରିକ୍ତ ମୁଖ୍ୟଯନ୍ତ୍ରୀ

ଯାଜପୁର : ଯାଜପୁର ଆରଡବ୍ଲୁଏସ୍‌ଏସ୍‌ ଡିଭିଜନ୍(ଚଣ୍ଡିଖୋଲ)ର ଏକାଧିକ କେଳେଙ୍କାରୀ ପର୍ଦ୍ଦାଫାସ ହେବାରେ ଲାଗିଛି । ଏହାକୁ ନେଇ ବିଭାଗୀୟ ସର୍ବୋଚ୍ଚ ଅଧିକାରୀମାନେ ଚିନ୍ତାରେ । ପିଇବା ପାଣି ପରୀକ୍ଷା ନେଇ ମିଛ ରିପୋର୍ଟ‌ ହେଉ କି ବସୁଧା ଯୋଜନାରେ ନିମ୍ନମାନର କାମ, କାମ ନକରି ଅନୁଦାନ ହଡ଼ପ, ହୋର୍ଡିଂ କେଳେଙ୍କାରୀ ଘଟଣା ଉପରେ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ (ଇଂଜିନିୟର ଇନ୍ ଚିଫ୍) ବାରମ୍ବାର କୈଫିୟତ ତଲବ କରିଥିଲେ । ଏବେ ୧୫୯ ଗୁପ୍ତଟେଣ୍ଡର ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । କଟକର ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ ଦ୍ବାରା ଏହାର ତଦନ୍ତ କରିବାକୁ ଗତକ‌ାଲି ସର୍ବୋଚ୍ଚ ଯନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଯାଜପୁର ଆରଡବ୍ଲୁଏସ୍‌ଏସ୍‌ ଡିଭିଜନ୍‌ର ପକ୍ଷରୁ ଯାଜପୁର ଜିଲ୍ଲାର ୩ଟି ବ୍ଲକ୍‌ ବିଂଝାରପୁର, ଯାଜପୁର ଓ ଦଶରଥପୁରରେ ଗତ ୩ ବର୍ଷରେ ୧୫୯ଟି ଗୁପ୍ତଟେଣ୍ଡର କରାଯାଇ ୨ କୋଟି ୮୨ ଲକ୍ଷ ୮୦ ହଜାର ୯୪୭ ଟଙ୍କାର ବିଲ୍ ପୈଠ କରାଯାଇଛି । ବିଂଝାରପୁର ବ୍ଲକରେ ୨୦୧୯-୨୦, ୨୦୨୦-୨୧ ଓ ୨୦୨୧-୨୨ ବର୍ଷରେ ୫୦ଟି ଗୁପ୍ତ ଟେଣ୍ଡର କାମ କରାଯାଇ ୧୧ ଜଣ ନିର୍ଦ୍ଦିଷ୍ଟ ଠିକାଦାରଙ୍କୁ ୬୮ ଲକ୍ଷ ୧୩ ହଜାର ୪୮୯ ଟଙ୍କା ବିଲ୍ ପୈଠ ହୋଇଛି । ୫୦ଟି ମଧ୍ୟରୁ ୩୪ଟି ଗୁପ୍ତଟେ‌ଣ୍ଡର ମାତ୍ର ଜଣେ ଠିକାଦାର ପାଇଛନ୍ତି । ସେହିପରି ଦଶରଥପୁର ବ୍ଲକରେ ଏହି ତିନି ବର୍ଷରେ ୬୩ଟି ଗୁପ୍ତ ଟେଣ୍ଡର କରାଯାଇ ୫ ଜଣ ଠିକାଦାରଙ୍କ ଜରିଆରେ ୧ କୋଟି ୧୯ ଲକ୍ଷ ୯୧ ହଜାର ୮୪୬ ଟଙ୍କା ବ୍ୟୟ ହୋଇଥିବାର ଦର୍ଶାଯାଇଛି । ଏପରିକି ଯାଜପୁର ବ୍ଲକକୁ ମଧ୍ୟ ଏହି ଅସାଧୁମେଣ୍ଟ ଛାଡ଼ି ନାହାନ୍ତି । ଏଠାରେ ୨୦୧୯-୨୦, ୨୦୨୦-୨୧ ଓ ୨୦୨୧-୨୨ ଆର୍ଥିକ ବର୍ଷରେ ମାତ୍ର ୮ ଜଣ ନିର୍ଦ୍ଦିଷ୍ଟ ଠିକାଦାରଙ୍କ ନାମରେ ମରାମତି ଆଳରେ ୪୬ଟି ଗୁପ୍ତଟେଣ୍ଡର କରି ୯୪ ଲକ୍ଷ ୭୫ ହଜାର ୬୧୨ ଟଙ୍କା ପୈଠ କରାଯାଇଛି । ଏ ସଂପର୍କରେ ଗତ ୧୧ ତାରିଖରେ  ୩ ବର୍ଷରେ ୧୫୯ ଗୁପ୍ତଟେଣ୍ଡର ଶୀର୍ଷକ ଖବର ପ୍ରକାଶ ପାଇଥିଲା । ଏହି ଖବର ଉପରେ ଗତକାଲି ସର୍ବୋଚ୍ଚ ଯନ୍ତ୍ରୀ ଚିଠି ନମ୍ବର ୪୮୬୩ ତା ୧୭/୬/୨୨ରେ ତଦନ୍ତ କରିବା ପାଇଁ କଟକର ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *